କନକ ବ୍ୟୁରୋ : ଗୁରୁଙ୍କ ନାଁରେ କଳଙ୍କ । ଅଧ୍ୟାପନା ନାଁରେ ବ୍ଲାକମେଲ୍ କରି ଛାତ୍ରୀଙ୍କ ସହ ରଖୁଥିଲେ ଅନୈତିକ ସମ୍ପର୍କ । ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ପଛର ମୁଖ୍ୟ ଖଳନାୟକ ସମୀର ସାହୁଙ୍କର ଟ୍ରାକ ରେକର୍ଡ କିଛି ଏମିତି ଥିଲା । ଯୁଆଡ଼େ ଯାଉଥିଲେ ସବୁଠି ନାଁ ପକାଉଥିଲେ ।
ଅଧ୍ୟାପକ ସମୀର ସାହୁ । ଯିଏ ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ପଛର ସୈତାନ । ବିବାଦ ୟାଙ୍କ ପାଇଁ ନୂଆ ନୁହେଁ । କି ବିବାଦରୁ ଦୂରେଇ ରହିବା ଏ ବାବୁଙ୍କର ପସନ୍ଦ ନୁହେଁ । ଚାକିରି ଆରମ୍ଭରୁ ଏବେ ଯାଏଁ, ସମୀରଙ୍କ ଅଧ୍ୟାପନା କ୍ୟାରିୟର କେବଳ କଳଙ୍କିତ ଇତିହାସରେ ପରିପୂର୍ଣ୍ଣ । ଯୁଆଡ଼େ ଯାଇଛନ୍ତି ନାଁ ପକାଇଛନ୍ତି । କେନ୍ଦ୍ରାପଡ଼ାରୁ ଅଧ୍ୟାପନା କ୍ୟାରିୟର ଆରମ୍ଭ କରିଥିବା ସମୀର ପରେ ଢେଙ୍କାନାଳ ଭୁବନ ବାଜି ରାଉତ ସ୍ମୃତି କଲେଜରେ ୫ ବର୍ଷ ଏଜୁକେସନ ବିଭାଗର ଅଧ୍ୟାପକ ରହିଥିଲେ । କଲେଜରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ବିବାଦୀୟ କାର୍ଯ୍ୟ ପାଇଁ ମାଡ଼ ଖାଇଥିଲେ । ମନ୍ଦ ଉଦ୍ଦେଶ୍ୟ ରଖି ଛାତ୍ରୀଙ୍କୁ ହଇରାଣ କରୁଥିବାରୁ ବଦଳି ହୋଇଥିଲେ ।
ଭୁବନରୁ ଚମ୍ପୁଆ । ଚାକିରିରେ ବଦଳି ସହ ସ୍ଥାନ ବଦଳିଥିଲା, କିନ୍ତୁ ବଦଳିନଥିଲା ଚରିତ୍ର । ଚମ୍ପୁଆ ଚନ୍ଦ୍ରଶେଖର କଲେଜରେ ମାତ୍ର ୧୬ ମାସର ଚାକିରି କାଳରେ ବେଶ୍ ବିବାଦୀୟ ହୋଇଥିଲେ ସମୀର ସାହୁ । ପଢ଼ାଇବା ବାହାନାରେ ଛାତ୍ରୀଙ୍କ ମେସ୍ ଓ ହଷ୍ଟେଲରେ କଟୁଥିଲା ସମୀରଙ୍କ ସମୟ । ଏପରିକି କଲେଜ ଛାତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖି ଧରା ବି ପଡ଼ିଥିଲେ । ବାରମ୍ବାର ଅଭିଯୋଗ ପରେ ବାଲେଶ୍ୱର ଏଫଏମ୍ କଲେଜକୁ ବଦଳି ହୋଇଥିଲେ । କିନ୍ତୁ ମଣିଷ ପ୍ରକୃତି ପରା । ସହଜରେ ଯିବ କେମିତି ? ବାଲେଶ୍ୱରରେ ମଧ୍ୟ ସମୀରଙ୍କ ବିକୃତ ମାନସିକତା ଜଣେ ଛାତ୍ରୀଙ୍କ ଜୀବନ ନେଇଯାଇଛି ।
ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ କେଳେଙ୍କାରୀର ଲମ୍ବା ଫର୍ଦ୍ଦ ରହିଛି । ତେବେ ନିଜ ରାଜନୈତିକ ଲିଙ୍କ୍ ପାଇଁ ସବୁଠୁ ଖସି ଯାଇଥିଲେ ସମୀର । ହେଲେ ବାଲେଶ୍ୱରରେ ଛାତ୍ରୀଙ୍କ ଜୀବନ ଯିବା ପରେ କଠୋର ହୋଇଛନ୍ତି ସରକାର । ନେଇଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ ।