କନକ ବ୍ୟୁରୋ : ସେଦିନ ଥିଲା ୧୫ ସେପ୍ଟେମ୍ୱର ୨୦୨୫ । ବିଳମ୍ୱିତ ରାତିରେ ମେଜର ଗୁରୁବଂଶ ସିଂକୁ ଦୁର୍ବୁତ୍ତ ମାଡ଼ ମାରିବା ସହ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଥିଲା । ରୋଡ୍ ରୋମିଓ ମାନେ ରକ୍ତମୁଖା ହୋଇଥିଲେ । ଆଉ ଥାନାରେ ପହଞ୍ଚିବା ପରେ, ପୁଲିସ ଆକ୍ରୋଶର ଶୀକାର ହୋଇଥିବା ଅଭିଯୋଗ ଆଣିଥିଲେ ଯୁବତୀ । ଭୁବନେଶ୍ୱର ଭରତପୁର ଥାନାର ଏହି ଘଟଣାକୁ ନେଇ ସାରା ଭାରତ ପଡ଼ିଲା ଉଠିଲା । ରାସ୍ତା ଉପରେ ହୋ- ହଲ୍ଲା ପାଟିତୁଣ୍ଡ, ତମ୍ୱି ତୋଫାନ୍ । ସରକାରଙ୍କୁ କାଠଗଡାକୁ ଟାଣି ଥିଲେ ବିରୋଧୀ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଘଟଣାକୁ ବର୍ଷେ ପୁରି ଥିଲେ ବି କୋର୍ଟରେ ଚାର୍ଜସିଟ୍ ଦାଖଲ କରିନି ସିଆଇଡି । କାହିଁକି ଚାର୍ଜସିଟକୁ ଦାଖଲ କରାଯାଉନି ସେନେଇ ପ୍ରଶ୍ନ ଉଠାଇଛନ୍ତି ମେଜରଙ୍କ ବାନ୍ଧାବୀ । ଯେଉଁ ଘଟଣାକୁ ସରକାର ଅତି ସମ୍ୱେଦନଶୀଳ ଘଟଣା ଭାବେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ, ସେହି ଘଟଣାକୁ କିଏ ଓ କାହିଁକି ହାଲୁକା କରିବାକୁ ଚେଷ୍ଟା କରୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ।

Advertisment

ଥାନା ଭିତରେ ଥିବା କର୍ମଚାରୀମାନେ ମାଡ଼ ମାରିବା ଓ ସହଯୋଗ ନକରିବା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା । ସିସିଟିଭି ନ ଥିବାରୁ ଘଟଣାର ମୂଳକୁ ଯାଇ ଥାନା ଭିତରେ ଘଟିଥିବା ଘଟଣାକ୍ରମର ତର୍ଜମା କରିଥିଲା ସିଆଇଡି । ଏପରିକି କ୍ରାଇମସିନକୁ ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧାବୀଙ୍କୁ ନେଇ ସିନ୍ ରି କ୍ରିଏସନ୍ କରିଥିଲା । ତଦନ୍ତ ଚାଲିଥିବା ସମୟରେ ତତ୍‌କାଳୀନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର, ଏସଆଇ ବିଳାଶିନି ପଣ୍ଡା, ଏଏସଆଇ ଶଲିଳମୟୀ ସାହୁ, ସାଗରିକା ରଥ ଏବଂ କନଷ୍ଟେବଳ ବଳରାମ ହାଁସଦାଙ୍କୁ ସସପେଣ୍ଡ କରାଯାଇଥିଲା । ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ ପାଇଁ ପୁଲିସକୁ ଗୁଜୁରାଟ ଓ ମେଜରଙ୍କ ବାନ୍ଧବୀଙ୍କୁ ଓଡିଶା ଏସ୍.ଏଫ୍.ଏସ୍.ଏଲ୍ ନିଆଯାଇଥିଲା । ହେଲେ ଏହାର ତଦନ୍ତ ରିପୋର୍ଟରେ କଣ ଆସିଲା ତାହା ଏବେ ଫାଇଲ ତଳେ ଚାପି ହୋଇ ରହିଯାଇଥିବା ଅଭିଯୋଗ କରିଛନ୍ତି ମେଜରଙ୍କ ବାନ୍ଧାବୀ । ସେପଟେ ଏହି ଘଟଣାରେ ସିଆଇଡି, କ୍ରାଇମ ବ୍ରାଞ୍ଚ ପକ୍ଷରୁ ପ୍ରତିକ୍ରିୟା ରଖିବାକୁ ମନା କରି ଦେଇଛି ।

ଭରତପୁର ଥାନା ଘଟଣାକୁ ଯଦି ଗୋଟିଏ ଉଦାହରଣ ହିସାବରେ ନିଆଯାଏ । ସରକାରଙ୍କ ନିର୍ଦ୍ଦେଶ ପରେ ବି ଯଦି ବର୍ଷେ ପରେ ଚାର୍ଜସିଟ୍ ନ ହୁଏ । ତାହେଲେ ରାଜ୍ୟରେ ଥିବା ଅନ୍ୟ ପୁଲିସ ଥାନା ମାନଙ୍କରେ ନାରୀଙ୍କ ପ୍ରତି ହେଉଥିବା ଅପରାଧର କେମିତି ତଦନ୍ତ ଚାଲୁଥିବା ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।