କନକ ବ୍ୟୁରୋ: ଗିରଫ ୧୦ଜଣ ଗୋମାଫିଆଙ୍କ ଠିକଣାରୁ ଜବତ ୫୦ କୋଟି ସଂପତ୍ତି ମଧ୍ୟରେ ରହିଛି ମାଫିଆଙ୍କ ଘର, ବ୍ୟାଙ୍କ ଜମା, ଜମିବାଡ଼ି ସହ, ଅନ୍ୟାନ୍ୟ ସମ୍ପତ୍ତି । ଯାହା ସେମାନେ ଠୁଳ କରିଥିଲେ ବେଆଇନ ଭାବେ ଗୋରୁ ଚାଲାଣ କରି । କେବଳ ଗିରଫ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ସୀମିତ ରହିବ ନାହିଁ କାର୍ପଟଦାରଙ୍କୁ ବି ବନ୍ଧା ଯିବ। ଗୋତସ୍କରଙ୍କ ପଛରେ ରହି ଯେଉଁମାନେ ସୁରକ୍ଷା ଦେଉଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ହେବ । ତେଣୁ ଆଗକୁ ବଡ଼ ବଡ଼ ଗୋମାଫିଆ ଓ କାର୍ପଟଦାର ପୋଲିସ ସ୍କାନରକୁ ଆସିବା ସମ୍ଭାବନା ରହିଛି । ଏବେ ଗିରଫ ଭୟରେ ସେମାନେ ଲୁଚିବା ଆରମ୍ଭ କଲେଣି । 

Advertisment

ଗୋମାଫିଆଙ୍କ ୪ଟି ଜିଲ୍ଲାର ୪୬ଟି ଠିକଣାରେ ଶନିବାର ଚଢ଼ାଉ କରି କେନ୍ଦୁଝର ପୁଲିସ ୧୦ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି । ଗୋଚାଲାଣ ରାକେଟର କିଙ୍ଗପିନ୍ ଭଦ୍ରକର ଶେଖ୍ ରାଜନ ଓ ସହଯୋଗୀଙ୍କ ବିଭିନ୍ନ ଠିକଣାରୁ ୫୦ କୋଟି ଟଙ୍କାର ସଂପତ୍ତି ଠାବ, ସାରା ରାଜ୍ୟକୁ ଚକିତ କରିଛି। ଗୋମାଫିଆ ସଂପତ୍ତି ପୋତା ଯେତେ ଉଭା ସେତେ। ଜେରା ବେଳେ ପୁଲିସ ହାତରେ ଗୋରୁ ଚାଲାଣରୁ ଅର୍ଜିତ ବିପୁଳ ସଂପତ୍ତିର ପ୍ରମାଣ ଲାଗିଛି । ତେଣୁ କେନ୍ଦୁଝର ପୁଲିସ ଏବେ ଗିରଫ ଅଭିଯୁକ୍ତଙ୍କ  ୫୦ଟି ବ୍ୟାଙ୍କ ଆକାଉଣ୍ଟ ଓ ୨୦ରୁ ଅଧିକ ଲକର ଖୋଲିବାକୁ ସ୍ଥିର କରିଛି ।   

ବେଆଇନ ଗୋଚାଲାଣରେ ଆଖି ତରାଟି ଦେଲା ଭଳି ଟଙ୍କାର କାରବାର ପ୍ରଭାବଶାଳୀଙ୍କ ଛତ୍ରଛାୟା ବିନା ସମ୍ଭବ ନୁହେଁ। ତେଣୁ ଏହି ରାକେଟର ମୂଳୋତ୍ପାଟନ ପାଇଁ ତଦନ୍ତ ପରିସରକୁ ବ୍ୟାପକ କରିବାକୁ ଦାବି ହେଉଛି । ଆଗକୁ ଅନ୍ୟ ଜିଲ୍ଲାର କେବେ ଗୋମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ତା ଉପରେ ସମସ୍ତଙ୍କ ନଜର ।