କନକ ବ୍ୟୁରୋ : ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ୍ ଆବେଦନକୁ ଅଗ୍ରାହ୍ୟ କରିବା ସହ, ହାଇକୋର୍ଟ ଯେଉଁ ଟିପ୍ପଣୀ କରିଛନ୍ତି, ତାହା ଅତି ସାଙ୍ଘାତିକ । କୋର୍ଟ କହିଛନ୍ତି, କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ଛାଇ ପରି ଗୋଡ଼ାଇଥାଏ ଦୁର୍ନୀତି । ତେଣୁ ଜାମିନ ପ୍ରଦାନ କଲେ ତଦନ୍ତରେ ବାଧା ସୃଷ୍ଟି ହେବ । ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ଘଟଣାରେ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ ।
ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ହାଇକୋର୍ଟ ଦେଇଥିବା ରାୟର ନକଲ କପିରେ କୋର୍ଟ ଟିପ୍ପଣୀ କରିଛନ୍ତି ଯେ, ଦୁର୍ନୀତିର କ୍ଷମତା ଛାଇ ପରି । କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ଛାଇ ପରି ଗୋଡ଼ାଇଥାଏ ଦୁର୍ନୀତି । ଆବେଦନକାରୀ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ହୋଇଥିବାରୁ ସେ ଖୁବ୍ କ୍ଷମତାଶାଳୀ ।
ହାଇକୋର୍ଟ କହିଛନ୍ତି, ରେକର୍ଡରେ ଥିବା ପ୍ରମାଣ ଆଧାରରେ ଆବେଦନକାରୀଙ୍କ ଦୁର୍ନୀତିର ଅବାଧ ତଦନ୍ତ ଜରୁରୀ । ଆବେଦନକାରୀ ଉଚ୍ଚ ପଦବୀରେ ଥିବାରୁ ଅଧିକ ଉତ୍ତରଦାୟୀ ହେବା ଉଚିତ । ଏଭଳି ଗୁରୁତର ମାମଲାରେ ଆବେଦନକାରୀଙ୍କୁ ଆଗୁଆ ଜାମିନ ମିଳିପାରିବନି । ୧୦ ଲକ୍ଷ ଲାଞ୍ଚ କାରବାରରେ ଆବେଦନକାରୀଙ୍କ ସଂପୃକ୍ତି ଥିବା ସିବିଆଇ କହିଛି । ଆବେଦନକାରୀଙ୍କ ଝିଅ ଓ ସ୍ତ୍ରୀଙ୍କୁ ଦାମୀ ଉପହାର ଦେଇଛନ୍ତି ଅନ୍ୟତମ ଅଭିଯୁକ୍ତ ଦେବଦତ୍ତ ମହାପାତ୍ର । ବିଷ୍ଣୁପଦଙ୍କ ଝିଅ ମାକ୍ ବୁକ୍ ଓ ଲଗଜୁରି ଘଣ୍ଟା ଉପହାରରେ ନେଇଥିବା ସିବିଆଇ କହିଛି । ଦେବଦତ୍ତଙ୍କ ନାଁରେ ରେଜିଷ୍ଟ୍ରେସନ୍ ହୋଇଥିବା ମୋବାଇଲରୁ ବିଷ୍ଣୁପଦ ହ୍ୱାଟସ୍ଆପ୍ ବ୍ୟବହାର କରିଛନ୍ତି । ଅଭିଯୁକ୍ତ ଚଞ୍ଚଲ୍ ମୁଖାର୍ଜୀଙ୍କ ଫୋନରୁ ଦେବଦତ୍ତଙ୍କୁ କଲ୍ କରିଥିଲେ ବିଷ୍ଣୁପଦ ସେଠୀ । ଏହାର ରେକର୍ଡିଂ ଉପଲବ୍ଧ ଥିବା ସିବିଆଇ ଦାବି କରିଛି । ସିଏଫ୍ଏସ୍ଏଲ୍ ରିପୋର୍ଟରୁ କଣ୍ଠସ୍ୱର ବିଷ୍ଣୁପଦଙ୍କ ସହ ମେଳ ଖାଉଥିବା ଜଣାପଡ଼ିଛି ।
୨୦୨୪ ଡିସେମ୍ବର ୭ ତାରିଖ ରାତିରେ ରାଜଧାନୀର ଏକ ତାରକା ହୋଟେଲ୍ ସମ୍ମୁଖ ରାସ୍ତାରେ ସିବିଆଇ ଟିମ୍ ଦୁଇଟି ଗାଡ଼ିକୁ ଅଟକାଇଥିଲା । ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍ର ଜେନେରାଲ୍ ମ୍ୟାନେଜର୍ ଚଞ୍ଚଲ୍ ମୁଖାର୍ଜୀ, ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଓ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣାଙ୍କୁ ଗିରଫ କରିଥିଲା । ଠିକାଦାର ଦେବଦତ୍ତଙ୍କ ଗାଡ଼ିରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା ଓ ସେହି ଗାଡ଼ିରେ ଥିଲେ ଚଞ୍ଚଲ୍ ମୁଖାର୍ଜୀ । ନୂଆ ଠିକା କାମ ଓ ପୁରୁଣା କାମର ବିଲ୍ ପାସ୍ କରାଇବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ବେଳେ ମାଡ଼ି ବସିଥିଲା ସିବିଆଇ । ବିଷ୍ଣୁପଦ ସେଠୀଙ୍କ ନିର୍ଦ୍ଦେଶରେ ଏହି ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରି ମାମଲା ରୁଜୁ କରିଛି ସିବିଆଇ ।