କନକ ବ୍ୟୁରୋ : ବିହାର ପାଟନାର ଏକ ଘରୋଇ ହସ୍ପିଟାଲରେ ୫ ଅଭିଯୁକ୍ତ ବନ୍ଧୁକ ସହ ଭିତରେ ପ୍ରବେଶ କଲେ । ପରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ଗ୍ୟାଙ୍ଗଷ୍ଟରର କ୍ୟାବିନ୍ ଡୋର ଖୋଲି ଭିତରକୁ ପଶିଲେ । ଆଉ ସଙ୍ଗେ ସଙ୍ଗେ ବାହାରକୁ ଆସିଲେ । କ୍ୟାବିନ ଭିତରକୁ ପଶିବା ପରେ ବେଡ୍‌ରେ ଚିକିତ୍ସାଧୀନ ଥିବା ଗ୍ୟାଙ୍ଗଷ୍ଟରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଅଭିଯୁକ୍ତ । ପୂର୍ବ ଶତ୍ରୁତାକୁ ନେଇ ଏଭଳି ଗୁଳିକାଣ୍ଡ ଘଟିଛି । ବଡ଼ କଥା ହେଉଛି ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ପାରୋଲ୍‌ରେ ଆସି ଚିକିତ୍ସିତ ହେଉଥିଲେ । ମୃତ ବ୍ୟକ୍ତି ହେଉଛନ୍ତି ଚନ୍ଦନ ଦାସ, ତାଙ୍କ ବିରୋଧରେ ଡଜନରୁ ଅଧିକ ହତ୍ୟା ମାମଲା ରହିଛି । ଆଜି ସକାଳୁ ହସ୍ପିଟାଲରେ କିଛି ବ୍ୟକ୍ତି ବନ୍ଧୁକ ଧରି ପଶିବା ସହ ଗୁଳିମାଡ଼ କରିଛନ୍ତି । ଯାହାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisment

ନଭେମ୍ବରରେ ବିହାର ନିର୍ବାଚନ ହେବାକୁ ଥିବା ବେଳେ ଅଶାନ୍ତ ହୋଇପଡ଼ିଛି ପୂରା ପ୍ରଦେଶ । ବିହାରରେ ୨୪ ଘଣ୍ଟାରେ ତିନି ହତ୍ୟା ହୋଇଛି ଏବଂ ଗତ ୧୭ ଦିନରେ ୪୯ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । କିନ୍ତୁ ଏହାଠୁ ଅଧିକ ଚିନ୍ତା ବଢ଼ାଇଛି ବିହାର ଏଡିଜିଙ୍କ ବୟାନ । ପରୋକ୍ଷରେ ସେ କୃଷକଙ୍କୁ ହତ୍ୟାକାଣ୍ଡର ଦୋଷୀ ବୋଲି କହିଛନ୍ତି । ବିହାର ଏଡିଜି କହିଛନ୍ତି, ଏପ୍ରିଲ, ମେ, ଜୁନ ମାସରେ ବିହାରରେ ହତ୍ୟାକାଣ୍ଡ ଘଟେ । ବର୍ଷା ଋତୁ ଆସିବା ପର୍ଯ୍ୟନ୍ତ ଏଭଳି ଘଟଣା ଘଟେ । କାରଣ ଲୋକଙ୍କ ପାଖରେ କାମ ନଥାଏ । ବର୍ଷା ଆସିବା ପରେ କୃଷକମାନେ ଚାଷ କାର୍ଯ୍ୟରେ ବ୍ୟସ୍ତ ରହିବେ, ଅପରାଧ କମିବ । ତେବେ ଅପରାଧ କମାଇବା ପାଇଁ ସୁପାରି କିଲର, ପୂର୍ବତନ ସୁଟର୍‌, ଜେଲ୍‌ରୁ ଫେରନ୍ତା ଅପରାଧୀଙ୍କ ଡାଟା ବେସ୍‌ ପ୍ରସ୍ତୁତ କରି ସେମାନଙ୍କ ଉପରେ ନଜର ରଖାଯିବ ।

ଅପରାଧ କମାଇବା ଲାଗି ବିହାରରେ ମଦକୁ ବ୍ୟାନ କରାଯାଇଛି । ଏହା ପରେ ବି ଅପରାଧ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ନିର୍ବାଚନକୁ ଆଉ କିଛି ମାସ ବାକିଥିବା ବେଳେ ବଢୁଥିବା ଅପରାଧକୁ ନେଇ ବ୍ୟାକ୍‌ଫୁଟ ଚାଲିଯାଇଛନ୍ତି ନୀତୀଶ ସରକାର ।