କନକ ବ୍ୟୁରୋ: ଆସନ୍ତା ୨୧ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହି ସମୟରେ ସଂସଦ ଘେରାଉ କରିବ କଂଗ୍ରେସ । ଘେରାଉ ବେଳେ ଓଡ଼ିଶା ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ । ଓଡ଼ିଶାରେ ସିଷ୍ଟମ ପୂରା ଫେଲ୍ ମାରିଛି ତେଣୁ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଲାଗୁ ହେଉ ବୋଲି ଜାତୀୟ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ଦାବି କରିଛନ୍ତି ।
କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଅଳକା ଲାମ୍ବା କହିଛନ୍ତି, ରାହୁଲ ଗାନ୍ଧୀ ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଦୁଇ ଦିନ ହେବ ଲଗାତର ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ କରିଛନ୍ତି । ପୂର୍ବରୁ ଆମ ବିଧାୟକମାନେ ମହିଳା ସୁରକ୍ଷା ପାଇଁ ଆଲୋଚନା କରିବାକୁ ଦାବି କରିବାରୁ ତାଙ୍କୁ ବିଧାନସଭାରୁ ବାହାର କରିଦେଇଥିଲେ ବିଜେପି ସରକାର । ଏବେ ପୁଣି ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା । ସେ ସମସ୍ତଙ୍କୁ ଜଣାଇଥିଲେ ହେଲେ ସରକାର ନିରବ ରହିଥିଲେ । ଓଡ଼ିଶା ମହିଳାଙ୍କ ପାଇଁ ମୃତ୍ୟୁ କୂଅ ସାଜିଛି କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଆଦୌ ଏନେଇ ଚିନ୍ତିତ ନୁହନ୍ତି । ଗୋଟେ ଧାଡ଼ି ବି ତାଙ୍କ ପାଇଁ ଲେଖି ନାହାନ୍ତି । ରାଷ୍ଟ୍ରପତି ଚିନ୍ତା ପ୍ରକଟ କରୁଛନ୍ତି ହେଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ସାଂସଦ, ବିଧାୟକ ସବୁ ଜାଣି ସୁଦ୍ଧ ଚୁପ୍ ଥିଲେ । ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲେ । ଓଡ଼ିଶାରେ ୪୦ ହଜାର ମହିଳା ଜିଖୋଜ । ପ୍ରଧାନମନ୍ତ୍ରୀ ଯଦି ଏହି ଝିଅକୁ ଦେଖା କରିଥାନ୍ତେ ତେବେ ସେ ଆଜି ମାରିନଥାନ୍ତା ।
ଓଡ଼ିଶାରେ ନାରୀ ନିର୍ଯାତନା ମାମଲା ସାରା ଦେଶକୁ ଦୋହଲାଇ ଦେଇଛି । ରାଜସ୍ଥାନ, ଉତ୍ତରପ୍ରଦେଶ, ସମେତ ୯ଟି ବିଜେପି ଶାସିତ ରାଜ୍ୟରେ ମହିଳା ଅତ୍ୟାଚାର ବଢିଛି । ଓଡ଼ିଶାରେ ପୁଲିସ କାର୍ଯ୍ୟାନୁଷ୍ଠାନ କରିବାକୁ ଡରୁଛି । ରାଜନୈତିକ ହସ୍ତକ୍ଷେପ ବଢ଼ିଥିବାରୁ ପୁଲିସ ଉପରେ ଚାପ ବଢିଛି । ପ୍ରତି ଜିଲ୍ଲା, ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯିବ ମହିଳା କଂଗ୍ରେସ । ନାରୀକୁ ସୁରକ୍ଷା ମିଳିବା ଯାଏ ଲଢ଼ିବ । ସଡ଼କରୁ ସଂସଦ ଯାଏ ଲଢ଼େଇ ହେବ । ଓଡ଼ିଶା ବନ୍ଦ ଡାକରାକୁ ସମସ୍ତେ ସମର୍ଥନ କରନ୍ତୁ ।