କନକ ବ୍ୟୁରୋ : ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ଘଟଣା କ୍ରାଇମବ୍ରାଞ୍ଚ ପାଇଁ ଏବେ ବଡ଼ ଆହ୍ୱାନ ସୃଷ୍ଟି କରିଛି । ଏଯାଏଁ କ୍ରାଇମ୍ବ୍ରାଞ୍ଚ ମୋଟ ୮୦ ଜଣ ଛାତ୍ରଛାତ୍ରୀଙ୍କ ବୟାନ ରେକର୍ଡ କରିଛି । କିନ୍ତୁ ଏମାନେ ଅନ୍ୟ ତଦନ୍ତକାରୀ କମିଟି ସାମନାରେ ଯେଉଁ ବୟାନ ରଖିଛନ୍ତି, ତାହା କ୍ରାଇମବ୍ରାଞ୍ଚ ସାମନାରେ ରଖିଥିବା ବୟାନ ସହ ମେଳ ଖାଉ ନାହିଁ । ସମାନ ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ କମିଟି ସାମନାରେ ଭିନ୍ନ ବୟାନ ଦେବାକୁ ନେଇ କ୍ରାଇମ୍ବ୍ରାଞ୍ଚ ଅଡ଼ୁଆରେ ପଡ଼ିଛି । ଅନ୍ୟପଟେ ଜ୍ୟୋତିପ୍ରକାଶ ସୁସ୍ଥ ହେବା ପରେ କଟକ ବଡ଼ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇଛନ୍ତି । କ୍ରାଇମ୍ବ୍ରାଞ୍ଚ ତାଙ୍କର ମଧ୍ୟ ବୟାନ ରେକର୍ଡ କରିବାକୁ ଯାଉଛି ।
ଗଲା ୧୨ ତାରିଖରେ ଛାତ୍ରୀଙ୍କ ଆତ୍ମାହୁତି ପରେ ସେଦିନ ବିଏଡ୍ ବିଭାଗର ମୁଖ୍ୟ ପ୍ରଫେସର ସମୀର କୁମାର ସାହୁ ଓ ୧୩ ତାରିଖରେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଘୋଷଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣା ସହିତ ଜଡ଼ିତ ଆହୁରି ତିନି ଜଣ ଏବେ କ୍ରାଇମବ୍ରାଞ୍ଚ ସ୍କାନର୍ରେ ଅଛନ୍ତି । ୧୬ ତାରିଖଠାରୁ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ୍. ସାଇନିଙ୍କ ନେତୃତ୍ୱରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚକୁ ଏ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । କ୍ରାଇମବ୍ରାଞ୍ଚ କଲେଜ କ୍ୟାମ୍ପସ, ପେଟ୍ରୋଲ୍ ପମ୍ପର ସମସ୍ତ ସିସିଟିଭି ଭିଡିଓ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରିକୁ ପଠାଇଛି । ଏହା ସହିତ ଜ୍ୟୋତିପ୍ରକାଶ ନିଜ ମୋବାଇଲ୍ରେ ରେକର୍ଡ କରିଥିବା ଅଧଘଣ୍ଟାର ଭିଡିଓ ମଧ୍ୟ ଫରେନସିକ୍ ସାଇନ୍ସ ଲାବୋରେଟୋରିକୁ ପଠାଯାଇଛି ।
ଅନ୍ୟପଟେ ଆତ୍ମାହୁତି ଘଟଣା ପରେ ଯୌନ ନିର୍ଯାତନା କମିଟି, ଉଚ୍ଚଶିକ୍ଷା ବିଭାଗର କମିଟି ଓ ୟୁଜିସି ଟିମ୍ ଗଠନ ହୋଇଥିଲା । ତେବେ ଯୌନ ନିର୍ଯାତନା କମିଟି ସାମନାରେ ବୟାନ ଦେଇଥିବା ୮୦ ଜଣ ଛାତ୍ରଛାତ୍ରୀ ଅନ୍ୟ କମିଟି ସାମନାରେ ବୟାନ ବଦଳାଇଛନ୍ତି । ଏମାନେ କ୍ରାଇମବ୍ରାଞ୍ଚ ଟିମ୍ ସାମନାରେ ମଧ୍ୟ ନିଜର ବୟାନ ବଦଳାଇଛନ୍ତି । ଆତ୍ମାହୁତି ଘଟଣା ସହିତ ସିଧାସଳଖ ସମ୍ପର୍କ ରଖୁଥିବା ଛାତ୍ରୀଙ୍କ ଦୁଇ ବାନ୍ଧବୀ ଓ ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କୁ କ୍ରାଇମ୍ବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିଛି ।
ଗତକାଲି ଅପରାହ୍ଣ ୩ଟା ୩୦ରେ ଜ୍ୟୋତିପ୍ରକାଶ ବଡ଼ ଡାକ୍ତରଖାନାରୁ ଡିସ୍ଚାର୍ଜ ହେବା ପରେ ବାପା ସନାତନ ବିଶ୍ୱାଳ ଓ ମା’ଙ୍କ ସହିତ ଘରକୁ ଫେରିଯାଇଛନ୍ତି । କିନ୍ତୁ ଗଣମାଧ୍ୟମ ସାମନାରେ ଘଟଣା ସମ୍ପର୍କରେ ମୁହଁ ଖୋଲି ନାହାନ୍ତି । ପ୍ଲାଷ୍ଟିକ୍ ସର୍ଜରି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ନାୟକଙ୍କ ନେତୃତ୍ୱରେ ଏକ ୫ଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା ଦାୟିତ୍ୱରେ ଥିଲେ । ୧୫ ଦିନ ପରେ ପୁଣି ବଡ଼ ଡାକ୍ତରଖାନାକୁ ଆସିବାକୁ ଜ୍ୟୋତିପ୍ରକାଶଙ୍କୁ ପରାମର୍ଶ ଦିଆଯାଇଛି ।