କନକ ବ୍ୟୁରୋ: ରେଡ୍ ଚାଲିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଦିବଙ୍ଗତ ନେତା ତଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ବିଭିନ୍ନ ଠିକଣାରେ ଆଜି ଦ୍ବିତୀୟ ଦିନର ରେଡ୍ ବେଳେ ଚାଞ୍ଚଲ୍ୟକର ତଥ୍ୟ ଆୟକର ଟିମ୍ ହାତରେ ଲାଗିଥିବା କୁହାଯାଉଛି । ୧୦ରୁ ଅଧିକ ଫେକ୍ କମ୍ପାନିର କାଗଜପତ୍ର ରେଡ୍ ବେଳେ ଆଇଟି ଅଧିକାରୀଙ୍କୁ ମିଳିଥିବା ସୂଚନା ମିଳିଛି । ସେହି ସବୁ ଫେକ୍ କମ୍ପାନି ଦ୍ବାରା କେତେ ଟଙ୍କା କାରବାର କରାଯାଇଛି ସେନେଇ ଖୋଳତାଡ଼ କରୁଛି ଆୟକର ବିଭାଗର ସ୍ବତନ୍ତ୍ର ଟିମ୍ । 

Advertisment

ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ସ୍ଥିତ ବିଭିନ୍ନ ଠିକଣାରେ ପହଞ୍ଚି ଛାନଭିନ୍ ଚଳାଇଛି ଆୟକର ବିଭାଗ । ଝାରସୁଗୁଡ଼ା ସ୍ଥିତ ବାସ ଭବନରେ ଗତକାଲିଠାରୁ ଆଇଟି ରେଡ୍ ଜାରି ରହିଛି । ଏହି ଚଢ଼ାଉରେ ଆୟକର ବିଭାଗର ୧୦ ଜଣ ଅଧିକାରୀ ସାମିଲ ହୋଇଥିବା ଜଣାପଡିଛି । ସେପଟେ ଦ୍ବିତୀୟ ଦିନରେ ସମ୍ବଲପୁରରେ ରେଡ୍ ଜାରି ରହିଛି । ଆଜି ସକାଳୁ ପୁଣି  ସମ୍ବଲପୁରର ବିଭିନ୍ନ ସ୍ଥାନରେ ଥିବା ସ୍ବର୍ଗତ ନବ ଦାସଙ୍କ ଭିନ୍ନ ଭିନ୍ନ ଠିକଣାରେ ପହଞ୍ଚି ଯାଞ୍ଚ କରୁଛି ଆୟକର ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହେଉଥିବା ସୂଚନା ମିଳିଛି । 

ସମ୍ବଲପୁରର ଠାରେ ଥିବା ପୁରୁଣା ବାସ ଭବନ, ହୋଟେଲ ମାଣ୍ଡାରିନ୍, ଭାଲୁପାଲି ସ୍ଥିତ ଏକ ବାରରେ ଏହି ରେଡ କରାଯାଉଛି । ଗତକାଲି ସକାଳ ୫ଟାରୁ ଏହି ରେଡ୍ ଆରମ୍ଭ ହୋଇଥିବାବେଳେ ଆଜି ମଧ୍ୟ ଜାରି ରହିଛି । କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ନେଇ ଚାଲିଛି ଯାଞ୍ଚ । ନବ ଦାସଙ୍କ ବ୍ୟବସାୟୀ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଟ୍ରାନ୍ସପୋର୍ଟ ଅଫିସରେ ଚଢ଼ାଉ କରାଯାଉଛି । ସଞ୍ଜୟ ନନ୍ଦଙ୍କ ମିସନରୋଡ୍ ସ୍ଥିତ ଅଫିସରେ ଆଜି ବି ଚଢ଼ାଉ କରୁଛି ଆୟକର ବିଭାଗ । କୋଇଲା ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରୁଛି ଆୟକର ବିଭାଗର ସ୍ୱତନ୍ତ୍ର ଟିମ୍ ।