କନକ ବ୍ୟୁରୋ : କଟକରେ ଲଜ୍ୟା । ଯାତ୍ରୀଙ୍କ ଭରସାରେ ବିଷଦେଲା ଅଟୋ ଚାଳକ । ସହାୟତା କରିବେ କଣ ଏକୁଟିଆ ଦେଖି କଲେ ଅସଦାଚରଣ । ଚାଉଳିଆଗଞ୍ଜ ଥାନାରେ ଏ ନେଇ ଅଭିଯୋଗ ପରେ ବନ୍ଧା ହୋଇଛି ଅଟୋଚାଳକ । ଅଭିଯୁକ୍ତ ଅଟୋ ଚାଳକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ସୁବାସ ନାୟକ । ଚାଉଳିଆଗଞ୍ଜ ଥାନା ଦ୍ଵାରା ଜବତ୍ ହୋଇଥିବା ଅଟୋରେ ସେ ନାବାଳିକାଙ୍କୁ ଅସଦାଚରଣ କରିଥିଲେ । ଅଭିଯୁକ୍ତ ଅଟୋ ଚାଳକଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା ।
ଚାଉଳିଆଗଞ୍ଜ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ- ଜଗତପୁର ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ତାଙ୍କର ଜଣେ ବାନ୍ଧବୀଙ୍କ ସହିତ ପୋଷାକ କିଣିବା ପାଇଁ ବାଦାମବାଡ଼ି ଆସିଥିଲେ । ପୋଷାକ କିଣିବା ପରେ ଜଗତପୁର ଫେରିବା ପାଇଁ ଗୋଟିଏ ଅଟୋ ଭଡ଼ା କରିଥିଲେ । ସେହି ସମୟରେ ନାବାଳିକାଙ୍କ ମୁଣ୍ଡ ବୁଲାଇବାରୁ ପାଣି ମାଗିଥିଲେ । ସାଥିରେ ଥିବା ସାଙ୍ଗ ରାସ୍ତାକଡ଼କୁ ଯାଇ ପାଣି ଆଣିବା ଭିତରେ, ଅଟୋ ଚାଳକ ଅସଦାଚରଣ କରିଥିଲେ । ନାବାଳିକା ତାଙ୍କ ଅଭିଯୋଗରେ ଅଟୋ ଚାଳକର ଗାଡ଼ି ନମ୍ୱର ଉଲ୍ଲେଖ କରିଥଲେ । ଏହାଛଡ଼ା CCTV ଫୁଟେଜ ଆଧାରରେ ଅଭିଯୁକ୍ତକୁ ବାନ୍ଧିଛି ପୁଲିସ । ଡିସିପି କହିଛନ୍ତି, ସହର ଭିତରେ ସମସ୍ତ ଅଟୋ ଚାଳକଙ୍କ ଆପରାଧିକ ପୃଷ୍ଠଭୂମି ଯାଞ୍ଚ କରାଯିବ । ଅଟୋ ସଂଘ ସହ ଆଲୋଚନା କରାଯିବ । ଏପରିକି ଆଇକାର୍ଡ, ଡ୍ରେସକୋଡ୍ ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ପଦେକ୍ଷପ ନିଆଯିବ ।
ସମ୍ବଲପୁର ଯୁଯୁମୁରାରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ୫ଜଣ ସମ୍ପୃକ୍ତ ଥିବାବେଳେ ୪ଜଣଙ୍କୁ ପୋଲିସ ଉଠାଇନେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ହେଉଛି । ଅନ୍ୟଜଣେ ଫେରାର ଥିବାବେଳେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
ମୟୂରଭଞ୍ଜ ଯଶିପୁର ଅଞ୍ଚଳରେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଶୌଚ ପାଇଁ ଯାଇଥିବାବେଳେ ଜଣେ ଯୁବକ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କରିଥିଲା । ଶିଶୁ କନ୍ୟାର ଦୟନୀୟ ଅବସ୍ଥା ଦେଖି ତାର ବାପା, ମାଆ ଯଶିପୁର ଥାନାକୁ ଯାଇ ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ । ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ଗିରଫ କରାଯାଇଛି । କରଞ୍ଜିଆ ଡ଼ାକ୍ତରଖାନାରେ ଶିଶୁ କନ୍ୟାର ଡାକ୍ତରୀ ମାଇନା କରାଯାଇଛି ।