କନକ ବ୍ୟୁରୋ: ବାଲେଶ୍ବର ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜ୍ୟର ମାହୋଲ ଏବେ ତାତିକି ରହିଛି । ଏବେ ଏହି ମାମଲା ଥଣ୍ଡା ନପଡୁଣୁ ଆଉ ଜଣେ ନାରୀ ରାଜ୍ୟ ସରକାରଙ୍କୁ ନିଜ ଜୀବନ ହାରିବା ନେଇ ଧମକ ଦେଇଛନ୍ତି । ପୂର୍ବରୁ ଏକ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା ଅଭିଯୋଗକାରୀଣି ମହିଳା ଜଣକ ବିନା କାରଣରେ ତାଙ୍କ ସ୍ବାମୀଙ୍କ ଚାକିରି ଯିବା ଅଭିଯୋଗ ଆଣି ସରକାରଙ୍କୁ ତଦନ୍ତ ପାଇଁ ନିବେଦନ କରିଛନ୍ତି । ସେ ତାଙ୍କ ‘ଏକ୍ସ’ ଆକାଉଣ୍ଟ୍ରେ ସିଏମ୍ଓ-ଓଡ଼ିଶାକୁ ଟ୍ୟାଗ୍ କରି ନିଜର ସମସ୍ୟା ଜଣାଇଛନ୍ତି ଓ ସମସ୍ୟାର ସମାଧାନ ନକହେଲେ ଜୀବନ ହାରିଦେବେ ବୋଲି ଧମକ ମଧ୍ୟ ଦେଇଛନ୍ତି ।
ଆମ ପ୍ରତିନିଧୀଙ୍କ ସହ ଫୋନ୍ ଯୋଗେ କଥା ହୋଇ ମହିଳା ଜଣକ କହିଛନ୍ତି, ‘‘ମୋ ସ୍ବାମୀ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ୍ରେ ଚାକିରି କରୁଥିଲେ। ସେଠାରେ ବହୁତ ଅନୈତିକ କାର୍ଯ୍ୟ ହୁଏ । ଏପରିକି ବ୍ୟାଙ୍କରେ ଜଣେ ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ଚାକିରିରେ ରଖିଥିଲେ । ଯାହାକୁ କିଛି ଯୁବପିଢ଼ି ବିରୋଧ କରି ଆସୁଥିଲେ । ବ୍ୟକ୍ତି ଜଣକ ପୁନଃନିଯୁକ୍ତି ପାଇବା ପରେ ଯେତେବେଳେ ଅଫିସ୍କୁ ଆସିଲେ ତ କିଛି କର୍ମଚାରୀ ତାଙ୍କ ଚେୟାର୍ ଲୁଚାଇଦେଲେ । ମୋ ସ୍ବାମୀ ସେତେବେଳେ ବ୍ୟାଙ୍କ୍ରେ ଷ୍ଟୋର୍-ଇନ୍ଚାର୍ଜ ଥିଲେ । ସେହି ମାମଲାରେ ମୋ ସ୍ବାମୀଙ୍କ ମୁଣ୍ଡରେ ଦୋଷ ଲଦି ଦିଆଗଲା ।
ବ୍ୟାଙ୍କ୍ର ସଭାପତି ହେଉଛନ୍ତି ବିଜୁ ଜନତା ଦଳର ଜଣେ ପରୁଖା ନେତା । ଯିଏ ତାଙ୍କ ବିରୋଧରେ ଯାଆନ୍ତି; ସେ ତାଙ୍କର ବଦଳି କରିଦିଅନ୍ତି କିମ୍ବା ଅନ୍ୟାନ୍ୟ ସମସ୍ୟା କରନ୍ତି । ଯେତେବେଳେ ସଭାପତି ମୋ ସ୍ବାମୀଙ୍କୁ ଚେୟାର୍ ଲୁଚାଇବା ବିଷୟରେ ପଚାରିଲେ ସେ କିଛି ବି ଜାଣିନଥିବା କହିବାରୁ ସଭାପତି ମୋ ସ୍ବାମୀଙ୍କ ଉପରେ ରାଗ ରଖିଲେ । ତାଙ୍କୁ ସିସିଟିଭି ଟ୍ୟାମ୍ପରିଂ ମାମଲାରେ ଯୋଡ଼ିଲେ । ତାଙ୍କୁ ଦ୍ବିଗୁଣା ଦାୟିତ୍ବ ଦେଲେ । ହେଲେ ସେତେବେଳେ ଆମ ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ସେ ଅତିରିକ୍ତ ଦାୟିତ୍ବ ନେବାକୁ ମନାକଲେ । ଏଥିପାଇଁ ସେ ଲେଖା ବି ଦେଇଥିଲେ । ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କ ସ୍ବାମୀଙ୍କୁ ୨ ବର୍ଷ ଭିତରେ ୫ ଥର ବଦଳି କରାଇଛନ୍ତି । ଯାହା କି ନିୟମ ବାହାରେ । ଏଥିପାଇଁ ମୋର ପ୍ରଥମ ପିଲା ପେଟରେ ଥିବା ବେଳେ ମୁଁ ଏପଟ ସେପଟ ହେଇ ବହୁ ସମସ୍ୟାର ସାମ୍ନା କଲି ଓ ମୋ ପିଲାଟିକୁ ମୋତେ ହରେଇବାକୁ ପଡ଼ିଲା । ସେ ସମୟରେ ଦରମା ବି ବନ୍ଦ୍ କରିଦେଲେ। ଯେଉଁଥିପାଇଁ ଆମେ ନାହିଁନଥିବା ଅସୁବିଧା ସାମ୍ନା କରିଛୁ ।
ମୋ ସ୍ବାମୀଙ୍କୁ ବହୁତ ମାନସିକ ନିର୍ଯାତନା ଦିଆଯାଇଛି । ସେ ଅଫିସ୍ ଗଲେ ତାଙ୍କୁ ଚେୟାର୍ ବି ଦିଆଯାଉନଥିଲା । ସେ ପ୍ଲାଷ୍ଟିକ୍ ଚେୟାର୍ରେ ବସି ବସି ଘରକୁ ଫେରିବାକୁ ପଡୁଥିଲା । ଅଫିସ୍ର କେହି ବି ତାଙ୍କ ସହ କଥା ହେଉନଥିଲେ। ୨ ବର୍ଷ ତାଙ୍କର କୌଣସି ଦରମା ବଢ଼ିଲା ନାହିଁ । ନିକଟରେ ଜୁନ୍ ୧୩ ତାରିଖରେ ତାଙ୍କୁ ବହିଷ୍କୃତ କରାଯାଇଛି । ସେଇ ପୁରୁଣା ଘଟଣା ସବୁକୁ ଦର୍ଶାଇ ତାଙ୍କୁ ବହିଷ୍କୃତ କରାଯାଇଛି । ଏବେ ମୋର ୮ ମାସର ଝିଅଟିଏ । ଆମେ ସହରରେ ଘରଭଡ଼ା ନେଇ ରହୁଛୁ । ମୋର ସ୍ବାସ୍ଥ୍ୟଗତ ସମସ୍ୟା ଅଛି । ଏବେ ଚାକିରି ଯିବା ଘଟଣା ଆମ ପାଇଁ ଖୁବ୍ ସମସ୍ୟା ଛିଡ଼ା କରିଛି । ବେଳେ ବେଳେ ଆମ ମନକୁ ଆତ୍ମହତ୍ୟା ଭାବନା ବି ଆସୁଛି । ଆମେ କେତେବେଳେ କିଛି ବି କରିଦେବୁ । କେବଳ ଛୁଆ ପାଇଁ ବଞ୍ଚିରହିଛୁ । ମୋ ଝିଅକୁ ୨ ମାସ ହୋଇଥିବା ବେଳେ ମୁଁ ଜିଲ୍ଳାପାଳଙ୍କ ନିକଟକୁ ପୋଷ୍ଟାଲ୍ ଯୋଗେ ଅଭିଯୋଗ ପତ୍ର ପଠାଇଥିଲି । ଫେବ୍ରୁଆରି ୧୭ ତାରିଖରେ ଟ୍ବିଟ୍ (ଏବେ ଏକ୍ସ) ବି କରିଛି ହେଲେ ଫଳ ଶୂନ । ସରକାର ବୁଝୁନଥିବାରୁ ବାଧ୍ୟ ହୋଇ ପୁଣି ଥରେ ବୁଧବାର ରାତିରେ ପୋଷ୍ଟ୍ କରିଛି।’’