କନକ ବ୍ୟୁରୋ: ଏମ୍ସ ଭୁବନେଶ୍ବରରୁ ଓପିଡି ଟିକେଟ୍ ଦଲାଲି କରୁଥିବା ଖୋର୍ଦ୍ଧା ବାଣପୁର ଅଞ୍ଚଳର ସୁରେଶ ପ୍ରଧାନକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି । ସେ ପାତ୍ରପଡ଼ା ଏମ୍‌ସ ନଗରରେ ରହିବା ସହ ଏମ୍ସରେ ଓପିଡି ଟିକେଟ୍ ଦଲାଲି କରୁଥିଲା । ବିଶେଷ କରି ଅଣଓଡ଼ିଆ ଓ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଭଲ ସେବା ଯୋଗାଇ ଦେବା ଆଳରେ ଟଙ୍କା ଲୁଟି ନେଉଥିଲା । ଏମ୍ସର ସିକ୍ୟୁରିଟି ଅଫିସର ପିକେ ଲେଙ୍କାଙ୍କ ଅଭିଯୋଗ ମୁତାବକ, ଆଜି ସକାଳେ ଓପିଡି ଟିକେଟ୍ ପାଇଁ ଲୋକଙ୍କର ଲମ୍ବା ଲାଇନ୍ ଲାଗିଥିଲା । ଏହି ସମୟରେ ସୁରେଶ ଲୋକଙ୍କୁ ଠେଲାପେଲା କରି ଲାଇନ୍‌ର ଆଗକୁ ଯିବାକୁ ଚେଷ୍ଟା କରୁଥିଲା । ଲାଇନ୍‌ରେ ଠିଆ ହୋଇଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ କଥାବାର୍ତ୍ତା କରି ଯେଉଁ ଡାକ୍ତରଙ୍କ ପାଖରେ ଦେହ ଦେଖାଇବ ସେଠାକୁ ନେଇଯିବି ବୋଲି କହିଥିଲା । ‘୨ହଜାର ଦିଅ, ସବୁ ସୁବିଧା କରିଦେବି’ ବୋଲି ଲୋଭ ଦେଖାଉଥିଲା ।

Advertisment

ଏହା ଦେଖି ପିକେ ଲେଙ୍କା ସୁରେଶକୁ ପାଟି କରିବା ସହିତ ସେଠାରୁ ଚାଲିଯିବାକୁ କହିଥିଲେ । ମାତ୍ର ସୁରେଶ ତାଙ୍କୁ ନାଲିଆଖି ଦେଖାଇଥିଲା । ସିକ୍ୟୁରିଟି କର୍ମଚାରୀମାନେ ତା'କୁ ଘେରିଯାଇଥିଲେ । ଏମ୍ସ ଫାଣ୍ଡି ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ବାଦଲ ବରାଳ ସୁରେଶକୁ ଗିରଫ କରିଥିଲେ । ସୂଚନାଯୋଗ୍ୟ ଗତ ଜାନୁଆରିରେ ସୁରେଶ ଦଲାଲି କରି ଗିରଫ ହୋଇ ଜେଲ୍ ଯାଇଥିଲା । ମୁକୁଳିବା ପରେ ପୁଣି ଥରେ ଦଲାଲି ଆରମ୍ଭ କରିଦେଇଛି । ପୂର୍ବରୁ ତା’ ନାଁରେ ଖଣ୍ଡଗିରି ଓ ଭରତପୁର ଥାନାରେ ୩ଟି ମାମଲା ରହିଛି ।