କନକ ବ୍ୟୁରୋ: ଜୟଦେବ ବିହାର ଘଟଣାକୁ ମାସେ ନପୂରୁଣୁ ପୁଣି ରାଜଧାନୀରେ ଆଉ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ଏନେଇ ମଞ୍ଚେଶ୍ଵର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ମାନଙ୍କର ପତ୍ତା ମିଳୁନି । ଘଟଣାକୁ ନେଇ ପୁଣି କାଠଗଡ଼ାରେ ଛିଡ଼ା ହୋଇଛି କମିସନରେଟ୍ ପୁଲିସ୍ ।
ସୂଚନା ମୁତାବକ ଶନିବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ କିଛି ଯୁବକ ମଞ୍ଚେଶ୍ବର କେନାଲ୍ ରୋଡ୍ (ସାଇମନ୍ଦିର ପାଖ) ନୂଆ ପୋଲ ପାଖରେ ବସିଥିଲେ । ଏହି ସମୟରେ ଶ୍ରୀରାମନଗରରେ ରହୁଥିବା ଜଣେ ଯୁବତୀ କୌଣସି କାମରେ ଯାଇ ଘରକୁ ଫେରୁଥିଲେ । ଷ୍ଟେସନ୍ ପଟୁ ସେ ଚାଲି ଚାଲି ଘରକୁ ଆସୁଥିବା ବେଳେ ସେଠାରେ ବସିଥିବା ନିଶାସକ୍ତ ଯୁବକମାନେ ତାଙ୍କୁ କମେଣ୍ଟ ମାରିଥିଲେ । ଏପରିକି କମେଣ୍ଟ ମାରିବା ସହ ତାଙ୍କୁ ଖରାପ ଇଙ୍ଗିତ କରିଥିଲେ । ଯୁବତୀ ଜଣକ ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ବଳପୂର୍ବକ ଏକ ନିଛାଟିଆ ଜାଗାକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ଯୁବତୀ ଜଣକ ଚିତ୍କାର କରିବାରୁ ସାଇମନ୍ଦିର ପାଖରେ ବସିଥିବା ଲୋକେ ଉଠି ଆସିବାରୁ ଯୁବକମାନେ ଫେରାର ହୋଇଯାଇଥିଲେ । ହେଲେ ନିଶାସକ୍ତ ଯୁବକମାନେ ତାଙ୍କୁ ଖଣ୍ଡିଆଖାବରା କରିଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଯୁବତୀଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପୁଲିସ କାହାରି ଟେର୍ ପାଉନଥିବା ବେଳେ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି ।
ଖାଲି ଏତିକି ନୁହେଁ ଗତ ମାସରେ ଭୁବନେଶ୍ବରର ଛାତି ଉପରେ ପୁଲିସ ଆଖିରେ ଧୂଳି ଦେଇ ଯୁବତୀଙ୍କୁ ଅପହରଣ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଜୟଦେବ ବିହାର ଅଞ୍ଚଳରେ ଚଳନ୍ତା ଅଟୋରୁ କଳେ ବଳେ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ ଯୁବତୀ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯାଗ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିବା ସହ ଆହତ ଯୁବତୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲା । ତେବେ ଏମିତି ବାରମ୍ବାର ଅପରାଧ ଘଟିବା ପରେ ମଧ୍ୟ କାହିଁକି ଚେତୁନି କମିସରେଟ୍ ପୁଲିସ? ପାଟ୍ରୋଲିଂରେ କାହିଁକି କୋହଳ ହେଉଛି? ଅପରାଧୀ ମାନଙ୍କ ମନରୁ ପୁଲିସର ଭୟ କମି ଯାଉଛି କି?