କନକ ବ୍ୟୁରୋ : ରଥଯାତ୍ରା... ଏହା କେବଳ ଏକ ପରମ୍ପରା କି ଉତ୍ସବ ନୁହେଁ... ଏହା ସାଢ଼େ ୪କୋଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ । କୋଟି ଓଡ଼ିଆର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ । ଯାହାଙ୍କ ପ୍ରେମରେ ବାନ୍ଧି ହୋଇ ସାତଦରିଆ ପାର କରି ବିଦେଶୀ ଚାଲିଆସନ୍ତି ଜଗନ୍ନାଥ ଧାମ । ପୁରୀରେ ବସି ଚକାଆଖିଆ ଏମିତି କିମିଆ କରେ ଯେ ଦେଶ କ’ଣ ଦେଶ ବାହାରୁ ବି ଟାଣି ହୋଇ ଆସନ୍ତି ଭକ୍ତ । ଭକ୍ତବତ୍ସଳ ପ୍ରଭୁ ବିଦେଶୀ ଭକ୍ତଙ୍କୁ ବି କରିଛନ୍ତି ବାଇ । ସେଥିପାଇଁ ତ ଶାଢ଼ି , ତୁଳସୀ ମାଳା , ଚୈତନ୍ୟ ଟିକା ଲଗାଇ ବିଦେଶୀ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବାକୁ ଚାଲି ଆସନ୍ତି ଶ୍ରୀକ୍ଷେତ୍ର । ବର୍ଷତମାମ ଶ୍ରୀମନ୍ଦିର ଯିବାକୁ ନିଷେଧ ଥିବାରୁ ଏହି ୯ ଦିନର ଯାତ୍ରାରେ ମହାବାହୁଙ୍କ ମନପୂରାଇ ଦେଖିବାକୁ ଧାଇଁ ଆସନ୍ତି ବିଦେଶୀ ଭକ୍ତ । ହେଲେ ରଥଯାତ୍ରାକୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ବିଚଳିତ କରିଦେବ । 
ରଥଯାତ୍ରାରେ ଅଣ୍ଡା ମାଡ଼ 
କାନାଡାର ଟୋରଣ୍ଟୋରେ ରଥଯାତ୍ରା ସମୟରେ କିଛି ଅଶାନ୍ତ ବ୍ୟକ୍ତି ଅଣ୍ଡା ଫିଙ୍ଗିଥିଲା ଘଟଣା ସାମ୍ନାକୁ ଆସିଛି । ଯାହା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି । ଜଣେ ବ୍ଲଗର ବ୍ଲଗ୍ କରୁଥିବା ସମୟରେ ଏହି ଦୃଶ୍ୟ କଏଦ ହୋଇଥିଲା । ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି...

Advertisment

ଏଭଳି ନିନ୍ଦନୀୟ ଘଟଣା କାନାଡାର ଟୋରଣ୍ଟୋରେ ଦେଖିବାକୁ ମିଳିଛି । ରଥଯାତ୍ରା ସମୟରେ କିଛି ଅଶାନ୍ତ ବ୍ୟକ୍ତି ଅଣ୍ଡା ମାଡ଼ କରିଥିଲେ । ଆଉ ଏହି ଘଟଣା ଜଗନ୍ନାଥ ପ୍ରେମୀଙ୍କୁ କଷ୍ଟ ଦେଇଛି । ଘଟଣାକୁ ଭାରତ ସରକାର କଡ଼ା ବିରୋଧ କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଏହାକୁ "ଦୁର୍ଭାଗ୍ୟଜନକ" ସେ ଆହୁରି କହିଛନ୍ତି, "ଟୋରଣ୍ଟୋରେ ରଥଯାତ୍ରା ସମୟରେ ଦୁର୍ବୃତ୍ତମାନଙ୍କ ଦ୍ୱାରା ହୋଇଥିବା ବିଶୃଙ୍ଖଳାର ରିପୋର୍ଟ ଆମେ ଦେଖିଛୁ । ଏପରି ନିନ୍ଦନୀୟ କାର୍ଯ୍ୟ କେବଳ ଦୁଃଖଦ ନୁହେଁ ବରଂ ଭକ୍ତି ଓ ଭାବନାର ବିପରୀତ।" ଭାରତ ଏହି ମାମଲାକୁ କାନାଡିୟ କର୍ତ୍ତୃପକ୍ଷଙ୍କ ନିକଟରେ ଦୃଢ଼ ଭାବରେ ଉଠାଇଛି ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । 
ଅନ୍ୟପଟେ ଏହି ଘଟଣାକୁ ନେଇ ନବୀନ ପଟ୍ଟନାୟକ ମଧ୍ୟ ନିନ୍ଦା ପ୍ରକାଶ କରିଛନ୍ତି । ଟ୍ବିଟ କରି ଏହି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ନବୀନ । 

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍
ରବିବାର ଦିନ ଇନଷ୍ଟାଗ୍ରାମ ବ୍ୟବହାରକାରୀ ସଙ୍ଗନା ଏକ ଭିଡିଓ ପୋଷ୍ଟ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ଇସ୍କନର ରଥଯାତ୍ରାରେ ଅଂଶଗ୍ରହଣ କରୁଥିବାର ଦେଖାଯାଉଛି । ଯାତ୍ରାରେ କମ୍ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପହଞ୍ଚିବା ପରେ ରାସ୍ତାରେ ଭଙ୍ଗା ଅଣ୍ଡା ପଡ଼ିଥିବାର ଦେଖାଯାଉଛି । ସଙ୍ଗନା ଦାବି କରିଛନ୍ତି ଯେ ଏହି ଅଣ୍ଡାଗୁଡ଼ିକ ନିକଟବର୍ତ୍ତୀ ଏକ କୋଠାରୁ ଫିଙ୍ଗାଯାଇଥିଲା ।