କନକ ବ୍ୟୁରୋ : ନ୍ୟାୟ ନମିଳିବାରୁ ଏଫ୍ଏମ୍ କଲେଜ ଛାତ୍ରୀ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ । ଏହି ଘଟଣାର ତାତି ସାରା ରାଜ୍ୟକୁ ସରଗରମ କରି ରଖିଛି । ଏତିକିବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ବଢ଼ିଚାଲିଛି ନ୍ୟାୟ ପାଇଁ ଆତ୍ମହତ୍ୟାର ଧମକ । କେନ୍ଦୁଝରର ଜଣେ ଯୁବତୀ, ସ୍ୱାମୀଙ୍କୁ ଅଯଥାରେ ହଇରାଣ କରାଯାଉଥିବା ଓ ବିନା ଦୋଷରେ ଚାକିରିରୁ ବାହାର କରିଦିଆଯାଇଥିବା ଅଭିଯୋଗ ଆଣି ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି । କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କରେ କାମ କରୁଥିବା ତାଙ୍କ ସ୍ୱାମୀ ରାଜନୈତିକ ଷଡ୍ଯନ୍ତ୍ରର ଶିକାର ହୋଇ ଚାକିରି ହରାଇଥିବା ସେ ଅଭିଯୋଗ କରିଛନ୍ତି ।
ସେହିପରି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଦ୍ୱାରବତପୁର ଗାଁର ମମତା ବେହେରା ଦେଇଥିଲେ ଆତ୍ମାହୁତି ଧମକ । ସ୍ୱାମୀ କାହ୍ନା ରାଉତଙ୍କୁ ହତ୍ୟା ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଥିବା ଅଭିଯୋଗ କରିଥିଲେ । ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେବା ପରେ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଥିଲା ଖୁଣ୍ଟୁଣୀ ଥାନା ପୁଲିସ । ଆସିକା-ଟେକ୍ନିକାଲ ହାଇସ୍କୁଲର ଶିକ୍ଷୟିତ୍ରୀଙ୍କ ବିରୋଧରେ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣି ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ । ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇବା ସହ ଶ୍ରେଣୀ ବର୍ଜନ କରିଥିଲେ ।
ସାମାଜିକ ଅସୁରକ୍ଷା ଫଳରେ ମହିଳା ଓ ଛାତ୍ରଛାତ୍ରୀଙ୍କ ଭିତରେ ବଢ଼ୁଛି ଅବସାଦ । ନ୍ୟାୟ ନପାଇ ଅଧିକାଂଶ, ଆତ୍ମହତ୍ୟାକୁ ଶେଷ ବିକଳ୍ପ ଭାବେ ବାଛି ନେଉଛନ୍ତି । ବିଧାନସଭା ପ୍ରଶ୍ନୋତ୍ତରରୁ ଜଣାପଡ଼ିଛି ଯେ ବଢ଼ୁଛି ଅବସାଦ ଓ ଆତ୍ମହତ୍ୟା । ଗତ ୫ ବର୍ଷରେ ୭୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ନିର୍ଯାତନା ଓ ମାନସିକ ଚାପ ଏହାର ମୁଖ୍ୟ କାରଣ ।ପାରିବାରିକ ବିବାଦ ଓ ପାଠପଢ଼ା ଚାପ ମଧ୍ୟ ଆତ୍ମହତ୍ୟାର କାରଣ । ପ୍ରେମରେ ବିଫଳ ହୋଇ ଛାତ୍ରଛାତ୍ରୀ ମାନସିକ ଅବସାଦ ଭୋଗୁଛନ୍ତି । ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟାକୁ ଆଦରି ନେଉଛନ୍ତି ।
ବ୍ୟବସ୍ଥାଗତ ତ୍ରୁଟି ଓ ପୁଲିସର ନିଷ୍କ୍ରିୟତା କାରଣରୁ ଅଧିକାଂଶ ଘଟଣାରେ ଆତ୍ମହତ୍ୟା କରୁଛନ୍ତି ପୀଡ଼ିତା । ତେଣୁ ଏମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଓ ନ୍ୟାୟକୁ ସୁନିଶ୍ଚିତ କରିବା ସବୁଠାରୁ ବଡ଼ ଆହ୍ୱାନ ।