ଘର ଭିତରେ ବିପଦ : ଗତ ୫ ବର୍ଷରେ ନିଜ ମଥାରୁ ନିଜେ ସିନ୍ଦୂର ପୋଛିଛନ୍ତି ୭୮୫ ଜଣ ସ୍ତ୍ରୀ

ପ୍ରେମ ପାଇଁ ଜଣେ ମିଛ ବି କହିପାରେ , ଅନ୍ୟକୁ ପ୍ରତାରଣା ବି ଦେଇପାରେ ଏମିତିକି ଜୀବନରୁ ମାରିବାକୁ ପଡ଼ିଲେ ମଧ୍ୟ ମାରିଦିଏ । ତେବେ ଗତ କିଛି ବର୍ଷ ହେଲାଣି ଏହାର ଶିକାର ସେହି ସ୍ବାମୀମାନେ ହେଉଛନ୍ତି ଯେଉଁମାନେ ବହୁତ ଆଶା ନେଇ ବିବାହ କରିଥା’ନ୍ତି ।

Killer Wife

Killer Wife Photograph: (KanakNews)

କନକ ବ୍ୟୁରୋ : Everything is fair in love and war .. ଇଂରାଜୀ ଲେଖକ ଜନ୍ ଲିଲି ଯେତେବେଳେ ଏହି ବାକ୍ୟ ନିଜ ପୁସ୍ତକରେ ଲେଖିଥିଲେ ସେତେବେଳେ ତାଙ୍କୁ ମଧ୍ୟ ଜ୍ଞାତ ନଥିବ ଯେ ଏହି ବାକ୍ୟଟି ପାଠକଙ୍କ ଦ୍ବାରା ଏତେ ଆଦୃତ ପାଇବ । ଯାହାର ଅର୍ଥ ଥିଲା ପ୍ରେମ ଏବଂ ଯୁଦ୍ଧରେ ଯାହା ବି କଲେ ସବୁ ଠିକ୍ । ପ୍ରେମ ପାଇଁ ପରିବାର ଏବଂ ସମାଜର କ୍ରୋଧର ସାମ୍ନା କରିବାକୁ ପଡ଼ିଲେ ମଧ୍ୟ ପ୍ରେମିକ/ପ୍ରେମିକା ପଛଘୁଞ୍ଚା ଦିଅନ୍ତି ନାହିଁ । ପ୍ରେମ ପାଇଁ ଜଣେ ମିଛ ବି କହିପାରେ , ଅନ୍ୟକୁ ପ୍ରତାରଣା ବି ଦେଇପାରେ ଏମିତିକି ଜୀବନରୁ ମାରିବାକୁ ପଡ଼ିଲେ ମଧ୍ୟ ମାରିଦିଏ । ତେବେ ଗତ କିଛି ବର୍ଷ ହେଲାଣି ଏହାର ଶିକାର ସେହି ସ୍ବାମୀମାନେ ହେଉଛନ୍ତି ଯେଉଁମାନେ ବହୁତ ଆଶା ନେଇ ବିବାହ କରିଥା’ନ୍ତି । କିନ୍ତୁ କିଛି ସମୟ ପରେ ତାଙ୍କର ଖଣ୍ଡ ଖଣ୍ଡ ଶରୀର ନୀଳ ଡ୍ରମରେ ପ୍ୟାକ୍ ହୋଇ ମିଳେ କିମ୍ବା ହନିମୁନ୍ ଟ୍ରିପରେ ତାଙ୍କୁ ପତ୍ନୀ ପାହାଡ଼ ଉପରୁ ଠେଲି ମାରିଦିଅନ୍ତି । 

Muskan
Muskan Photograph: (google)

ମିରଠର ମୁସ୍କାନ ହୁଅନ୍ତୁ କି ଇନ୍ଦୋରର ସୋନମ ଏମିତି ଅନେକ ପତ୍ନୀ ନିଜ ସ୍ବାମୀଙ୍କୁ ମାରିବାର ଗୋଟିଏ ହିଁ କାରଣ ଥିଲା , ତାହା ହେଉଛି ପ୍ରେମ । କାହାର ବିବାହ ପୂର୍ବରୁ ପ୍ରେମ ସମ୍ପର୍କ ଚାଲିଥିଲା ତ ଆଉ କାହାର ବିବାହ ପରେ ପ୍ରେମ ଆରମ୍ଭ ହୋଇଥିଲା । ଏମାନଙ୍କର ପ୍ରେମର ପରିଣାମ ସେହି ନିରୀହ ସ୍ୱାମୀଙ୍କୁ ଭୋଗିବାକୁ ପଡ଼ିଲା, ଯେଉଁମାନେ ସ୍ତ୍ରୀଙ୍କର ପୁରୁଣା ପ୍ରେମ ବିଷୟରେ ଅଜ୍ଞ ଥିଲେ ।

Saurabh-hatyakand
Saurabh-hatyakand Photograph: (google)

ନିକଟରେ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ବହୁତ ଚର୍ଚ୍ଚାରେ ଥିଲା । ରାଜାଙ୍କ ପତ୍ନୀ ସୋନମ ତାଙ୍କୁ ହନିମୁନ୍ ଟ୍ରିପରେ ନେଇ ବଏଫ୍ରେଣ୍ଡ୍ ସହ ମିଶି ହତ୍ୟା କରିଥିଲେ । ମିରଠର ସୌରଭ ରାଜପୁତଙ୍କ କାହାଣୀ ମଧ୍ୟ କିଛି ଏହିପରି ଥିଲା । ସୌରଭଙ୍କୁ ତାଙ୍କ ପତ୍ନୀ ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲ ପ୍ରଥମେ ଅତି ନିର୍ଦ୍ଦୟ ଭାବେ ମାରିଥିଲେ, ତା'ପରେ ନୀଳ ଡ୍ରମରେ ସିମେଣ୍ଟ ଦେଇ ପ୍ୟାକ୍ କରି ଦେଇଥିଲେ । ଏ ତ ଥିଲା କେବଳ ୨ ଟି ମାମଲା । ଏମିତି ଅନେକ ମାମଲା ରହିଛି ଯେଉଁଠାରେ ସ୍ତ୍ରୀଙ୍କର ‘ପ୍ରେମ’ ଚକ୍କରରେ ବଳି ପଡୁଛନ୍ତି ସ୍ୱାମୀ । କ୍ରାଇମ୍ ଡାଟା ଏବଂ ରିପୋର୍ଟ ଅନୁସାରେ ଗତ ୫ ବର୍ଷରେ ଦେଶର ପାଞ୍ଚଟି ରାଜ୍ୟରେ ମୋଟ ୭୮୫ ସ୍ୱାମୀଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଛି । ଏହି ରାଜ୍ୟଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ ଏବଂ ମହାରାଷ୍ଟ୍ର ସାମିଲ ଅଛି । ଏହି ତଥ୍ୟ ଅନେକ ପ୍ରଶ୍ନ ଉଠାଇଛି । ବିଶେଷ କରି ମହିଳାମାନେ କାହିଁକି ନିଜ ସ୍ୱାମୀଙ୍କୁ ହତ୍ୟା କରିବା ଭଳି ଚରମ ପଦକ୍ଷେପ ନେଉଛନ୍ତି । ମାମଲାଗୁଡ଼ିକ ମଧ୍ୟରୁ କିଛି ଅତ୍ୟନ୍ତ ଜଘନ୍ୟ ଘଟଣା ରହିଛି ଯେଉଁଥିରେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲେ ।

_killer_Wife
_killer_Wife Photograph: (google)

ଦେଶରେ ପ୍ରତିବର୍ଷ ୨୭୫ ସ୍ୱାମୀଙ୍କ ହତ୍ୟା

୨୦୨୨ରେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (NCRB)ର ଏକ ରିପୋର୍ଟ ଆସିଥିଲା । ଉକ୍ତ ରିପୋର୍ଟ ଅନୁସାରେ ଭାରତରେ ହେଉଥିବା ହତ୍ୟା ମାମଲା ଗୁଡ଼ିକରେ ପ୍ରେମ ସମ୍ପର୍କ ହେଉଛି ସବୁଠାରୁ ବଡ଼ କାରଣ । ଏକ ଗବେଷଣାରୁ ଜଣାପଡ଼ିଛି ଯେ ଭାରତରେ ପ୍ରତିବର୍ଷ ପ୍ରାୟ ୨୭୫ ସ୍ୱାମୀ ନିଜ ପତ୍ନୀଙ୍କ ଦ୍ୱାରା ହତ୍ୟାର ଶିକାର ହେଉଛନ୍ତି । ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ ‘ଦ ଲାନ୍ସେଟ’ରେ ଛପାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ମହିଳାଙ୍କ ସହ ଜଡ଼ିତ ୬୦% ହତ୍ୟା ସେମାନଙ୍କର ବର୍ତ୍ତମାନ କିମ୍ବା ପୂର୍ବତନ ସାଥୀଙ୍କ ଦ୍ୱାରା କରାଯାଇଥାଏ ଯାହାର ଶିକାର ସେମାନଙ୍କର ସ୍ୱାମୀ ହୋଇଛନ୍ତି । ଦେଶରେ ୧୦ ଟି ହତ୍ୟା ମଧ୍ୟରୁ ଗୋଟିଏ ପ୍ରେମିକ, ସ୍ୱାମୀ କିମ୍ବା ସ୍ତ୍ରୀ ଦ୍ୱାରା କରାଯାଇଥାଏ । ୨୦୧୦ ରୁ ୨୦୧୪ ପର୍ଯ୍ୟନ୍ତ ପ୍ରେମ ସମ୍ପର୍କ ଏବଂ ସମ୍ପର୍କ ସହ ଜଡ଼ିତ ହତ୍ୟାର ଅନୁପାତ ୭% ଏବଂ ୮% ମଧ୍ୟରେ ଥିଲା । ୨୦୧୫ ରୁ ୨୦୨୨ ପର୍ଯ୍ୟନ୍ତ ଏହି ପ୍ରତିଶତ ବଢ଼ି ୧୦% ଏବଂ ୧୧% ମଧ୍ୟରେ ହୋଇଗଲା ।  

ଏହି ୫ ଟି ରାଜ୍ୟରେ ସ୍ୱାମୀମାନେ ପତ୍ନୀମାନଙ୍କର ରକ୍ତମୁଖା ଖେଳର ଶିକାର ହୋଇଛନ୍ତି : 

ଉତ୍ତରପ୍ରଦେଶ- ଉତ୍ତରପ୍ରଦେଶ ଏକ ଏପରି ରାଜ୍ୟ ଯେଉଁଠାରେ ବିବାହ ପରେ ସମ୍ପର୍କ ରଖିବା କାରଣରୁ ଅଧିକାଂଶ ପତ୍ନୀ ନିଜ ସ୍ୱାମୀଙ୍କ ହତ୍ୟା କରିଛନ୍ତି । ଯଦି ପାଞ୍ଚ ବର୍ଷର ତଥ୍ୟ ଉପରେ ନଜର ପକାଇବା ତେବେ ଏଠାରେ ୨୭୫ ଜଣ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ।

ବିହାର- ଦ୍ୱିତୀୟ ସ୍ଥାନରେ ବିହାର ଅଛି ଯେଉଁଠାରେ ପତ୍ନୀମାନଙ୍କ ଦ୍ୱାରା ସ୍ୱାମୀମାନଙ୍କୁ ହତ୍ୟା କରାଯାଇଛି । ପାଞ୍ଚ ବର୍ଷ ମଧ୍ୟରେ ବିହାରରେ ୧୮୬ ଜଣ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ।

ରାଜସ୍ଥାନ- ରାଜସ୍ଥାନରେ ମଧ୍ୟ ପତ୍ନୀମାନଙ୍କର ପରକୀୟା ପ୍ରୀତି କାରଣରୁ ସ୍ବାମୀଙ୍କ ଜୀବନ ଯାଇଛି । ଗତ ୫ ବର୍ଷ ମଧ୍ୟରେ ଏଠାରେ ୧୩୮ ଜଣ ସ୍ବାମୀଙ୍କୁ ହତ୍ୟା କରାଯାଇଛି । 

ମହାରାଷ୍ଟ୍ର- ଚତୁର୍ଥ ସ୍ଥାନରେ ମହାରାଷ୍ଟ୍ର ରହିଛି । ମହାରାଷ୍ଟ୍ରରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଏପରି ୧୦୦ ଟି ମାମଲା ସାମ୍ନାକୁ ଆସିଛି । ଯେଉଁଠି ପତ୍ନୀମାନେ ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି କିମ୍ବା ଗୁଣ୍ଡା ଲଗାଇ ହତ୍ୟା କରିଛନ୍ତି । 

ମଧ୍ୟପ୍ରଦେଶ- ଏହି ତାଲିକାରେ ୫ମ ସ୍ଥାନରେ ମଧ୍ୟପ୍ରଦେଶ ଅଛି । ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ହେଉଛି ସବୁଠୁ ଚର୍ଚ୍ଚିତ ହତ୍ୟାକାଣ୍ଡ । ମଧ୍ୟପ୍ରଦେଶରେ ଗତ ୫ ବର୍ଷ ମଧ୍ୟରେ ଏପରି ୮୭ ଟି ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ପତ୍ନୀମାନେ ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe