କନକ ବ୍ୟୁରୋ : ନ୍ୟାୟ ପାଇଁ ସୌମ୍ୟାଶ୍ରୀ କଲେଜ ଅଧ୍ୟକ୍ଷଙ୍କଠାରୁ ଅନେକ ଲୋକଙ୍କୁ ଗୁହାରି କରିଥିଲେ । କିନ୍ତୁ ତାଙ୍କ ଅଭିଯୋଗର ସମାଧାନ ପାଇଁ କେହି ଆଗେଇ ଆସିନଥିଲେ । ଏବେ ବ୍ୟବସ୍ଥାକୁ ସମସ୍ତେ ଦାୟୀ କରୁଛନ୍ତି । ପ୍ରଶ୍ନ ଉଠୁଛି, କେଉଁଠି ରହିଲା ତ୍ରୁଟି ? ଆତ୍ମହୁତି ପର୍ଯ୍ୟନ୍ତ କାହିଁକି ଗଲେ ସୌମ୍ୟାଶ୍ରୀ ?

Advertisment

ପଞ୍ଚଭୂତରେ ବିଲୀନ ହୋଇଛନ୍ତି ସୌମ୍ୟାଶ୍ରୀ ବିଶି । ସ୍ୱର୍ଗରେ ରହି କିନ୍ତୁ ସେ ନ୍ୟାୟ ମାଗୁଛନ୍ତି । ସୌମ୍ୟାଶ୍ରୀଙ୍କ ଘଟଣା ବ୍ୟବସ୍ଥାଗତ ତ୍ରୁଟି ଉପରେ ପ୍ରଶ୍ନ ଉଠାଇଛି । କେଉଁଠି ରହିଲା ତ୍ରୁଟି ସେ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଛି । ପ୍ରଥମ ସନ୍ଦେହ ଘେରକୁ ଆସିଛି ଆଇସିସିଙ୍କ ଭୂମିକା । କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)ର ତଦନ୍ତକୁ ନେଇ ପ୍ରଶ୍ନ ଉଠୁଛି । ଆଇସିସି ଅଧ୍ୟାପକଙ୍କ ସପକ୍ଷରେ ଏକପାଖିଆ ରିପୋର୍ଟ ପ୍ରସ୍ତୁତ କରିଥିଲା ବୋଲି ଅଭିଯୋଗ ଆସିଛି । ତେଣୁ ଆଇସିସିର ସଦସ୍ୟଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିସାରିଛନ୍ତି ମୃତ ସୌମ୍ୟାଶ୍ରୀଙ୍କ ବାପା । ସେହିଭଳି ସନ୍ଦେହ ଘେରକୁ ଆସିଛି କଲେଜ ଅଧ୍ୟକ୍ଷଙ୍କ ଭୂମିକା ।

ଆଇସିସି କମିଟି ରିପୋର୍ଟ ଆସିବା ପରେ ପୀଡ଼ିତା ଓ ABVP ଅସନ୍ତୋଷ ପ୍ରକାଶ କରିବ ବୋଲି ନିଲମ୍ବିତ ଅଧ୍ୟକ୍ଷ ଅନୁମାନ କରିପାରିଥିଲେ । ସୌମ୍ୟାଶ୍ରୀଙ୍କୁ ଡାକି ସାରଙ୍କ ନାଁରେ ମିଛ ଅଭିଯୋଗ ଆଣିଥିବା କହି କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇଥିଲେ । ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ ହୋଇସାରିଛନ୍ତି ।

ସେହିଭଳି ସୋସିଆଲ ମିଡ଼ିଆ ଏକ୍ସରେ ହାତଲେଖା ପୋଷ୍ଟ କରି ସ୍ଥାନୀୟ ବିଧାୟକ, ଉଚ୍ଚଶିକ୍ଷା ବିଭାଗ ଓ ବିଭାଗୀୟ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ୍ କରିଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ତାଙ୍କ ବିଭାଗକୁ ବି ଟ୍ୟାଗ୍‌ କରିଥିଲେ । କିନ୍ତୁ କେହି କିଛି କରିନଥିବା ସମସ୍ତଙ୍କୁ ବ୍ୟଥିତ କରିଛି ।

ବଡ଼ କଥା ହେଲା ସ୍ଥାନୀୟ ସାଂସଦ ଓ ପୁଲିସ ବି କିଛି କରିନଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣା ସମ୍ପର୍କରେ ଜାଣିଥିବା ଗଣମାଧ୍ୟମରେ କହିଥିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ପ୍ରଶ୍ନ ଉଠୁଛି, ଯଦି ସାଂସଦ ପୂରା ଘଟଣା ଜାଣିଥିଲେ, ତାହାଲେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ କ'ଣ କରିଥିଲେ ? କୁହାଯାଉଛି, ସୌମ୍ୟାଶ୍ରୀ ପୁଲିସରେ ବି ଅଭିଯୋଗ କରିଥିଲେ । କିନ୍ତୁ ସହଦେବଖୁଣ୍ଟା ଆଇଆଇସି ଅଭିଯୋଗକୁ କେଶଡାଏରୀ କରି ରଖିଦେଇଥିବା ଅଭିଯୋଗ ହେଉଛି ।

ଶନିବାର ଦିନ ଅଚାନକ ସୌମ୍ୟାଶ୍ରୀ କାହିଁକି ଅଧ୍ୟକ୍ଷଙ୍କ ଚାମ୍ବରକୁ ଗଲେ, ତାହା ହିଁ ବଡ଼ ପ୍ରଶ୍ନ । ଅଧ୍ୟକ୍ଷଙ୍କ ଚାମ୍ବରରେ ଏମିତି କଣ ହେଲା ଯେ ଚାମ୍ବରରୁ ବାହାରିବା ପରେ ଯୁବତୀ ହୁତୁହୁତୁ ହୋଇ ଜଳୁଥିଲେ । ତେବେ ସୌମ୍ୟାଶ୍ରୀ ନିଜେ ଦେହରେ ନିଆଁ ଲଗାଇଥିଲେ ନା କେହି ଏଥିପାଇଁ ତାଙ୍କୁ ଉସୁକାଇଥିଲା ? ପେଟ୍ରୋଲ କେଉଁଠୁ ଆସିଲା ? ଦିଆସିଲି କିଏ ଆଣିଲା ଓ କିଏ ନିଆଁ ଲଗାଇଲା ? କଲେଜର ସିସିଟିଭି କ୍ୟାମେରା ଯାଞ୍ଚ କରି ପରଦା ପଛର ଖଳନାୟକଙ୍କୁ ଧରିବାକୁ ଦାବି ଉଠୁଛି ।