କନକ ବ୍ୟୁରୋ: ପୁରୀ ସଦର ଥାନାରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସଦର ଥାନା ଅନ୍ତର୍ଗତ କଣ୍ଠପୁର ଅଞ୍ଚଳରେ ୩ ଭଉଣୀ ଘରଠାରୁ ଅଢ଼େଇ କିମି ଦୂରରେ ଥିବା ମନ୍ଦିର ଦର୍ଶନ କରିବାକୁ ଯାଇଥିବା ସମୟରେ କଣ୍ଠପୁର ପାଖରେ ଥିବା ବସ୍‌ଷ୍ଟାଣ୍ଡ ପାଖରେ ୬ଜଣ ଦୁର୍ବୃତ୍ତ ମଦ୍ୟପାନ କରୁଥିଲେ । ମନ୍ଦିର ଦର୍ଶନ ସାରି ଫେରିବା ସମୟରେ ୬ଜଣ ମଦ୍ୟପ ଯୁବକ ଅନ୍ଧାର ଦେଖି ୩ ଭଉଣୀଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ ।

Advertisment

ଓଢ଼ଣି ଟାଣିବା ସହ ମୋବାଇଲ୍‌ ଛଡ଼ାଇ କମେଣ୍ଟ ମାରିଥିଲେ । ସେମାନଙ୍କଠାରୁ ଏକ ମନିପର୍ସ ଛଡ଼ାଇ ନେଇଥିଲେ ଓ ସେଥିରୁ ୨ହଜାରରୁ ୩ହଜାର ଟଙ୍କା ଥିବା ନେଇ ସୂଚନା ମିଳିଛି । ୩ ଭଉଣୀଙ୍କୁ ଦୁର୍ବ୍ୟବହାର କରିବା ସମୟରେ ସେମାନେ ଘରକୁ ଫୋନ୍‌ କରିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକ ପହଞ୍ଚିଥିଲେ । ଘଟଣାସ୍ଥଳରୁ ୬ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ହେଲେ କିଛି ସମୟ ପରେ ଦୁଇ ଦୁର୍ବୃତ୍ତ ଫେରିକି ଆସିବା ସମୟରେ ପରିବାର ଲୋକ ତାଙ୍କୁ କାବୁ କରି ପୁଲିସର ଜିମା ଦେଇଥିଲେ । ପରେ ବିଳମ୍ବିତ ରାତିରେ ସଦର ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି ।

ଏପଟେ, ଜଗତସିଂହପୁର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ବାନ୍ଧବୀଙ୍କ ସହ ଆସୁଥିବା ବେଳ ଦୁଇ ଯୁବକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କଲେ ପୀଡ଼ିତାଙ୍କ ବାପା । ଗୁରୁତର ଅବସ୍ଥାରେ ୧୮ ବର୍ଷୀୟ ଛାତ୍ରୀ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ, ସଦର ଥାନା ମଜୁରାଇ ଚାନ୍ଦଗଡ଼ ଅଞ୍ଚଳର ଯୁବତୀ ଏକ ଜନ୍ମଦିନ ଉତ୍ସବ ମନାଇବାକୁ ଯାଉଥିଲେ । ଶୀଘ୍ର ପହଞ୍ଚିବା ପାଇଁ ବିଲ ରାସ୍ତା ଦେଇ ବାନ୍ଧବୀଙ୍କ ସହ ଯାଉଥିବା ସମୟରେ ଦୁଇ ଜଣ ଯୁବକ ପୀଡିତାଙ୍କ ପାଟିକୁ ବନ୍ଦ କରି ଵିଲକୁ ନେଇ ଦୁଷ୍କର୍ମ କରିଥିଲେ ।