କନକ ବ୍ୟୁରୋ : ତାମିଲନାଡୁରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଅପରାଧ ଘଟାଇବା ପରେ ୩ ଜଣ ଫେରାର ହେବା ପାଇଁ ଚେଷ୍ଟା କରୁଥିଲେ । ଏନକାଉଣ୍ଟର ପରେ ଗିରଫ କରିଛି କୋଏମ୍ବାଟୁର ପୁଲିସ ।

Advertisment

୩୬ ଘଣ୍ଟାର ଛକାପଞ୍ଝା ପରେ ଶେଷରେ ଧରାପଡ଼ିଛନ୍ତି ୩ ସଇତାନ । କୋଏମ୍ବାଟୁର ବିମାନବନ୍ଦର ନିକଟରେ ଗଣଦୁଷ୍କର୍ମ କରି ଫେରାର ଥିବା ଅଭିଯୁକ୍ତଙ୍କୁ ଗୁଳିମାଡ଼ କରି ଆହତ କରିବା ପରେ ଶେଷରେ ମାଡ଼ିବସିଛି କୋଏମ୍ବାଟୁର ପୁଲିସ । ସୂଚନା ଅନୁସାରେ, ୩ ଅଭିଯୁକ୍ତ କନଷ୍ଟ୍ରକସନ କମ୍ପାନିରେ କାମ କରୁଥିଲେ ଓ ଘଟଣା ଦିନ ନିଶାଗ୍ରସ୍ତ ହୋଇ ନାରକୀୟ କାଣ୍ଡ କରିଥିଲେ । ସେପଟେ ଦୁଷ୍କର୍ମ ଘଟଣାକୁ ଗମ୍ଭୀରତା ସହ ଗ୍ରହଣ କରିଛି ଜାତୀୟ ମାନବଧିକାର କମିଶନ ।

ଅଧିକ ପଢ଼ନ୍ତୁ : ରାଜଧାନୀରେ ମହିଳା ଡାକ୍ତରଙ୍କୁ ଅସଦାଚରଣ : ବନ୍ଧା ହେଲା ରସିକିଆ ଡାକ୍ତର କେ. ସେଠୀ

ରବିବାର ରାତିରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା । ପୁରୁଷ ବନ୍ଧୁଙ୍କ ସହ ବିମାନବନ୍ଦର ନିକଟସ୍ଥ ଏକ ଜାଗାରେ ଗପସପ କରୁଥିଲେ ଛାତ୍ରୀ । ହଠାତ ବାଇକରେ ୩ ଅଭିଯୁକ୍ତ ପହଞ୍ଚି ଦୁର୍ବ୍ୟବହାର କରିବା ସହ ପୁରୁଷ ବନ୍ଧୁଙ୍କୁ ନିର୍ଦ୍ଧୁମ ମାଡ଼ମାରି ଲହୁଲୁହାଣ କରିଥିଲେ । ଛାତ୍ରୀଙ୍କୁ ନିଛାଟିଆ ସ୍ଥାନକୁ ଟେକି ନେଇ ଦୁଷ୍କର୍ମ କରିବା ପରେ ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଫେରାର ହୋଇଯାଇଥିଲେ ଅଭିଯୁକ୍ତ । ୩ଘଣ୍ଟା ପରେ ଚେତା ଫେରିବା ପରେ ରାସ୍ତାରେ ଯାଉଥିବା ଲୋକଙ୍କୁ ସାହାଯ୍ୟ ମାଗିବା ସହ ପୂରା ଘଟଣା କହିଥିଲେ ପୁରୁଷ ବନ୍ଧୁ । ସେପଟେ ରବିବାର ଭୋରରୁ ଯୁବତୀଙ୍କୁ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାମିଲନାଡୁ ରାଜନୀତିରେ ଜୋର ଧରିଛି ଏହି ଗଣଦୁଷ୍କର୍ମ ଘଟଣା । ଶାସକ ଡିଏମକେ ସରକାରଙ୍କୁ ଦାୟୀ କରିଛି ବିଜେପି ।

ଦିଲ୍ଲୀର ଲୋମହର୍ଷଣକାରୀ ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ପୁଣି ମନେ ପକାଇ ଦେଇଛି କୋଏମ୍ବାଟୁର ମାମଲା । ପ୍ରଶ୍ନ ଉଠିବା ସ୍ୱାଭାବିକ-ବିକଶିତ ଦେଶ ଓ ଆଗକୁ ବଢ଼ୁଥିବା ସମାଜରେ ଆଉ କେତେଦିନ ପର୍ଯ୍ୟନ୍ତ ଏମିତି ଅସୁରକ୍ଷିତ ରହିବେ ମହିଳା ?