କନକ ବ୍ୟୁରୋ: ୨୪ ଜଣ କିନ୍ନର ଏକାଠି ବିଷ ପିଇବା ପରେ ସାରା ଦେଶରେ ଆଲୋଡନ ଖେଳିଯାଇଛି । ଇନ୍ଦୋର ନନ୍ଦଲାଲପୁରାରେ ଜଣେ କିନ୍ନର ଦୁଇଜଣ ନକଲି ସାମ୍ବାଦିକଙ୍କ ବିରୋଧରେ ଦୁଷ୍କର୍ମ, ଆକ୍ରମଣ ଏବଂ ହତ୍ୟା ଧମକର ଅଭିଯୋଗ କରିଥିଲେ । ଏହି ବିବାଦର କିଛି ଘଣ୍ଟା ମଧ୍ୟରେ ୨୪ ଜଣ କିନ୍ନର ଏକାଠି ବିଷ ପିଇ ଦେଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାସ୍ଥଳରେ ପହଞ୍ଚି ପୁଲିସ ତନାଘନା କରୁଛି । 

ନନ୍ଦଲାଲପୁରାରେ ପୁଲିସ ଅଧିକାରୀମାନେ ପହଞ୍ଚି ବିଷ ପିଇଥିବା କିନ୍ନର ମାନଙ୍କୁ ଆମ୍ବୁଲାନ୍ସ ସମେତ ପୁଲିସ ଗାଡ଼ିରେ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଅତିରିକ୍ତ ଡିସିପି ରାଜେଶ ଦଣ୍ଡୋତିଆ ଏହି ଘଟଣାକୁ ନେଇ କହିଛନ୍ତି, ‘ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କିନ୍ନର ଗୋଷ୍ଠୀର ୨୪ଜଣ କିନ୍ନର ଫିନାଇଲ୍ ପିଇ ଦେଇଛନ୍ତି । ପୁଲିସ ପ୍ରଶାସନର ତତ୍ତ୍ୱାବଧାନରେ ସେମାନଙ୍କର ଚିକିତ୍ସା ଚାଲିଛି । କାହିଁକି ବିଷ ପିଇଲେ ସେନେଇ ତଦନ୍ତ କରୁଛି ଇନ୍ଦୋର ପୁଲିସ ।

ପୂରା ଘଟଣା ଏମିତି ଯେ କିଛି ଦିନ ତଳେ ପନ୍ଧରିନାଥ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିବା କିନ୍ନର କହିଥିଲେ, ‘ ଶିବିରର ଗୁରୁଙ୍କ ବିରୋଧରେ ମେ’ ୨୪ ତାରିଖରେ ଏକ ଏଫଆଇଆର ରୁଜୁ ହୋଇଥିଲା । ପରବର୍ତ୍ତୀ ସମୟରେ ଜୁନ ୧୨ ତାରିଖରେ ଅଭିଯୁକ୍ତ ପଙ୍କଜ ଜୈନ ତାଙ୍କ ସହଯୋଗୀ ଅକ୍ଷୟଙ୍କ ସହିତ ତାଙ୍କ ଶିବିରରେ ପହଞ୍ଚିଥିଲେ । ତା'ପରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଏହାପରେ ଦୁଇ ଜଣ ବ୍ୟକ୍ତି କିଛି କିନ୍ନରଙ୍କୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ।

Advertisment

ପ୍ରାଥମିକ ତଦନ୍ତ ଆଧାରରେ ପୁଲିସ କହିଛି କି, କିନ୍ନରଙ୍କ ଦ୍ୱାରା ସାମୂହିକଭାବେ ଜୀବନ ହାରିବାର ଉଦ୍ୟମ ପଛରେ କାରଣ ହେଉଛି ଦୁଇଟି ଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦ । ପାୟଲ ଏବଂ ସୀମା ଗୁରୁଙ୍କ ଗୋଷ୍ଠୀ ମଧ୍ୟରେ ଭିନ୍ନ ଭିନ୍ନ ଏରିଆକୁ ନେଇ ଅନେକ ଦିନରୁ ବିବାଦ ଚାଲିଛି । ଏହାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି ।