କନକ ବ୍ୟୁରୋ: କଳ୍ପନା ଦାଶ ଓ ବବଲି ଦାଶ ହାତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ କରାଇବା ଲାଗି ଛତିଶଗଡ଼ ପୁଲିସ ପକ୍ଷରୁ କରାଯାଇଥିବା ଆବେଦନକୁ ରାୟଗଡ଼ ଏସଡିଜେଏମ୍‌ କୋର୍ଟ ଖାରଜ କରି ଦେଇଥିବା ସରକାରୀ ଓକିଲ ଗୁରୁବାର ସୂଚନା ଦେଇଛନ୍ତି।

Advertisment

ହତ୍ୟା ମାମଲାର ତଦନ୍ତ କରୁଥିବା ଚକ୍ରଧରନଗର ପୁଲିସ ଏଯାବତ ପାରିପାର୍ଶ୍ୱିକ ପ୍ରମାଣ ଯୋଗାଡ଼ କରିଥିଲେ ହେଁ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ଜବତ କରିନାହିଁ। ଅନ୍ୟପଟେ ଦୁଇଦୁଇ ଥର ଅନୁପ ସାଏଙ୍କୁ ରିମାଣ୍ଡରେ ନେଇଥିଲେ ମଧ୍ୟ ତାଙ୍କଠାରୁ ଠୋସ୍‌ କଥା ଆଦାୟ କରି ପାରିନାହିଁ ପୁଲିସ। ଯାହାଫଳରେ ମୁଖ୍ୟ ଅଭିଯୁକ୍ତ ତଦନ୍ତକାରୀଙ୍କ ସହ ଅସହଯୋଗ କରୁଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା। ଏହି କାରଣରୁ ପୁଲିସ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ କରିବାକୁ ଅଦାଲତରେ ଆବେଦନ କରିଥିଲା। ମାତ୍ର ଆଜି ରାୟଗଡ଼ ଅଦାଲତ ଏହାକୁ ଖାରଜ କରି ଦେଇଛନ୍ତି।

ଅନ୍ୟପକ୍ଷରେ ପୁଲିସ ତଦନ୍ତ ଲାଗି ଅନୁପ ସାଏଙ୍କ ପରିବାରର ସଦସ୍ୟଙ୍କୁ ମଧ୍ୟ ନୋଟିସ୍‌ ଦେଇ ଡକାଇଛି। ରିମାଣ୍ଡ ଅବଧି ଶେଷ ହୋଇଥିବାରୁ ଅନୁପ ସାଏଙ୍କୁ ବର୍ତ୍ତମାନ ରାୟଗଡ଼ ଜେଲରେ ରଖାଯାଇଛି। ଏହାପରେ ପୁଲିସ ପକ୍ଷରୁ କି ପଦକ୍ଷେପ ନିଆଯିବ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଅନୁପ ସାଏଙ୍କ ପକ୍ଷରୁ ଜାମିନ ଆବେଦନ କରାଯିବ ବୋଲି ସୂଚନା ମିଳିଛି।

ସେହିପରି ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଲିସ ଦିନିକିଆ ରିମାଣ୍ଡରେ ଆଣି ପଚରାଉଚରା କରି ସାରିଛି । ଛତିଶଗଡ଼ର ବିଲାସପୁର ଆଇଜି ଗୀତାଂଶୁ କାବରା ଉଭୟ ଅନୁପ ସାଏ ଓ ବର୍ଦ୍ଧନ ଟପ୍ପୋଙ୍କୁ ପଚରାଉଚରା କରିଥିଲେ। ଏହା ପରେ ସେ କହିଥିଲେ କି ଉଭୟ ଅନୁପ ଓ ବର୍ଦ୍ଧନଙ୍କ କଥାରେ ତାଳମେଳ ରହୁନାହିଁ।