ଚା’ ପିଇବାକୁ ଡାକି ବିଶ୍ୱାସରେ ବିଷ ଦେଲା ବନ୍ଧୁ । କିଡନାପ୍ କରି ମାଗିଥିଲା ୩୦ ଲକ୍ଷ ଟଙ୍କା ।

228

କନକ ବ୍ୟୁରୋ : ବନ୍ଧୁ କରିଥିଲା ବନ୍ଧୁ ଅପହରଣର ଷଡଯନ୍ତ୍ର । ଭୁବନେଶ୍ୱରର ଇସାନ ଅଗ୍ରୱାଲଙ୍କ ଅପହରଣକାରୀଙ୍କୁ ପୁଲିସ ୩୬ ଘଂଟାରେ ଧରିବା ଯେତିକି ଚର୍ଚ୍ଚିତ, ଅପହରଣ ପଛର କାହାଣୀ ସେତିକି ରୋଚକ । ଇସାନଙ୍କ ସ୍କୁଲ ସମୟର ବନ୍ଧୁ ହିଁ ତାଙ୍କ ଅପହରଣ ମାଷ୍ଟର ମାଇଣ୍ଡ । ଚା’ ପିଇବାକୁ ଡାକି ବିଶ୍ୱାସରେ ବିଷ ଦେଇଥିଲା ବନ୍ଧୁ । ଆଜି ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଛି ପୁଲିସ ।

ବନ୍ଧୁ ଭାଙ୍ଗିଲା ବିଶ୍ୱାସ । ଚା’ ପିଇବା ବାହାନାରେ କରିଥିଲା ଅପହରଣ । ଭୁବନେଶ୍ୱର ଇଶାନ ଅଗ୍ରୱାଲ ଅପହରଣ ଘଟଣାରେ ଏପରି ଏକ ନାଟକୀୟ ଦିଗ ସାମ୍ନାକୁ ଆସିଛି । ଅପହରଣକାରୀ ପୁଲିସ ପଞ୍ଝାରେ ପଡିବା ପରେ ଅଭିଯୁକ୍ତଙ୍କ ଅପରାଧର ରେକର୍ଡ ଖୋଜୁଛି ପୁଲିସ । ଉଦ୍ଧାର ହେବା ପରେ ଇଶାନ ଚିହ୍ନିଥିଲେ ଅପହରଣକାରୀଙ୍କ ମଧ୍ୟରୁ ସେହି ବିଶ୍ୱାସଘାତକ ବନ୍ଧୁକୁ । ଆଉ ଏହାପରେ ଅପହରଣ ପଛର ରହସ୍ୟ ଉପରୁ ଉଠିଥିଲା ପରଦା । ଲକ୍ଷ୍ମୀସାଗର ପୁଲିସ ଏବଂ ସ୍ପେଶାଲ ସ୍କାର୍ଡ ଏହି ଘଟଣାରେ ସିନ୍ ରିକ୍ରିଏସନ କରିଛି । କିଭଳି ଅପହରଣ ହୋଇଥିଲା, ତାର ପୁରା ଭିଡିଓ ରେକର୍ଡ କରିଛି ପୁଲିସ ।

ଅଭିଯୁକ୍ତଙ୍କର ରହିଛି କ୍ରାଇମର ଲମ୍ବା ରେକର୍ଡ । ଇଶାନ ପୂର୍ବରୁ ବ୍ରହ୍ମପୁରରେ ଆଉ ଜଣଙ୍କୁ କରିଥିଲେ ଶିକାର । ପୁଲିସ ତଦନ୍ତ ବେଳେ ଏମାନଙ୍କର ଖୋଲିଛି ଗୁମର । ଜାନୁଆରୀ ୩, ୨୦୨୨ରେ ଭୁବନେଶ୍ୱରର ଏକ କାର ଫ୍ୟାଶନ ସୋରୁମର ମାଲିକକୁ ବ୍ରହ୍ମପୁର ଡାକିଥିଲେ ଏହି ଅଭିଯୁକ୍ତ । ମାଲିକ ଜଣଙ୍କୁ ମଧ୍ୟ ସମାନ ତରିକାରେ କରିଥିଲେ କିଡନାପ୍ ।

ପରିବାର ଲୋକଙ୍କୁ ୩୦ ଲକ୍ଷ ଟଙ୍କା ମାଗିବା ସହିତ ମୁଣ୍ଡ ଜାମିନ ପାଇଁ ତାଙ୍କ ଏଟିଏମରୁ ୪୦ ହଜାର ଟଙ୍କା ତାଙ୍କ ଏଟିଏମରୁ ଉଠାଇଥିଲେ । ଆଉ ପୁଲିସ ହାତରୁ ଧରାପଡିବା ପୂର୍ବରୁ ସମ୍ପୃକ୍ତ ଅପହୃତଙ୍କୁ କାରରେ (ଭର୍ଣ୍ଣା କାର) ଛାଡି ଚମ୍ପଟ ମାରିଥିଲେ ଏହି ଗ୍ୟାଙ୍ଗ୍ । ଆଉ ଛାଡିଯାଇଥିବା କାରକୁ ବ୍ରହ୍ମପୁର ପୁଲିସ ଜବତ କରିଥିବା ବେଳେ ଭୁବନେଶ୍ୱର ଇଶାନ ଅପହରଣ ଘଟଣାରେ ଧରାପଡିଯାଇଥିଲେ ଅଭିଯୁକ୍ତ । ରିମାଣ୍ଡରେ ଆସିବା ପରେ ଆହୁରି ଖୋଲିପାରେ ଏହି ଗ୍ୟାଙ୍ଗର କ୍ରାଇମ ରେକର୍ଡ ।