ରାତି ବଢିଲେ ରାଜଧାନୀ ରାଜରାସ୍ତାରେ ବଢୁଛି ଅପରାଧୀଙ୍କ ରାଜୁତି । ବୁଲୁଛି ଖଣ୍ଡା, ବନ୍ଧୁକ ଧରି ଆତଙ୍କ ଖେଳାଉଛନ୍ତି ଅସାମାଜିକ ବ୍ୟକ୍ତି ।

248

କନକ ବ୍ୟୁରୋ : ଅସୁରକ୍ଷିତ ହୋଇପଡ଼ୁଛି ରାଜଧାନୀର ରାତି । ରାଜରାସ୍ତାରେ ଖୁଲମଖୁଲା ଚାଲୁଛି ଦାଦାଗିରି । ହାତରେ ଖଣ୍ଡା, ବନ୍ଧୁକ ଧରି ଅସାମାଜିକ ଯୁବକ ମାନେ ଆରମ୍ଭ କରିଦେଉଛନ୍ତି ରାଜୁତି । ମାରଣାସ୍ତ୍ର ସହ ନାଚୁଛନ୍ତି, ଆଉ ତାର ଭିଡିଓ ବି କରୁଛନ୍ତି । ପୁରା ଫିଲ୍ମ ଷ୍ଟାଇଲରେ ଚକ୍କର କାଟି କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଏହି ଅପରାଧୀ । ଏକ ବନ୍ଧୁକ ଲୁଟ୍ ମାମଲାର ପର୍ଦ୍ଦାଫାଶ ବେଳେ ଏପରି ଚାଞ୍ଚଲ୍ୟକର ଭିଡିଓ ସାମ୍ନାକୁ ଆସିଛି । ପ୍ରଶ୍ନ ଉଠୁଛି, ରାତି ହେଲେ ସାଧାରଣ ଲୋକ ଆଉ ଘରୁ ବାହାରକୁ ବାହାରି ପାରିବେ ନାହିଁ କି ?

ରାଜଧାନୀ ଭୁବନେଶ୍ୱରର ଭୟାନକ ଚିତ୍ର । ରାତି ବଢିଲେ ବଢୁଛି ଅପରାଧୀଙ୍କ ରାଜୁତି । କାହା ହାତରେ ବନ୍ଧୁକ ତ ଆଉ କାହା ହାତରେ ଭୁଜାଲି । ବଡ଼ ବଡ଼ ଗାଡିରେ ଆସୁଛନ୍ତି । ରାସ୍ତା ମଝିରେ ଗାଡି ରଖି ମାରଣାସ୍ତ୍ର ସହ ନାଚ ଗୀତ କରୁଛନ୍ତି । ଆପଣ ଭାବୁଥିବେ ଏହା କୌଣସି ଫିଲ୍ମର କାହାଣୀ । ହେଲେ ଏହା ଫିଲ୍ମ ନୁହଁ ରାଜଧାନୀ ରାଜରାସ୍ତାର ଦୃଶ୍ୟ । ରାତି ବଢିଲେ ବଢୁଛି ଅପରାଧୀଙ୍କ ରାଜୁତି । ହାତରେ ହତିଆର ଓ ବନ୍ଧୁକ ଧରି ରାସ୍ତାକୁ ଓହ୍ଲାଇ ଆସୁଛନ୍ତି ଏମାନେ ।

ରାଜଧାନୀର ରାସ୍ତାକୁ ନିଜ କବଜାକୁ ନେଉଛନ୍ତି । ବଡ଼ ବଡ଼ ଗାଡିରେ ବସି ପୂରା ତେଲଗୁ ଫିଲ୍ମ ଷ୍ଟାଇଲରେ ଚକ୍କର କାଟୁଛନ୍ତି । ମନରେ ପୋଲିସର ଭୟ ନାହିଁ । ପୂରା ଖୁଲମଖୁଲା ଚାଲୁଛି ମଉଜ ମଜଲିସ୍ । ଯାହା ଦେଖିଲେ ଜଣେ ସାଧାରଣ ଲୋକ ଭୟଭୀତ ହୋଇପଡ଼ିବ । ରାତିରେ ବାହାରକୁ ବାହାରିବା ପାଇଁ ଭୟ କରିବ । କେବଳ ରାଜଧାନୀ ବାସିନ୍ଦା କାହିଁକି, ଭୁବନେଶ୍ୱରକୁ ବାହାରୁ ଆସୁଥିବା ଲୋକେ ମଧ୍ୟ ରାତିରେ ଆସିବା ପାଇଁ ଭୟ କରିବେ ।

ଏହି ଅପରାଧୀମାନେ ରାତିରେ ରାଜୁତି କରୁଛନ୍ତି । ନିଶାଶକ୍ତ ଅବସ୍ଥାରେ କିଏ ଗାଡି ଉପରେ ନାଚୁଛି ତ ଆଉ କିଏ ରାସ୍ତାରେ ଗାଡି ରଖି ନାଚିବା ଆରମ୍ଭ କରିଦେଉଛି । କେବଳ ଏତିକି ନୁହଁ, ନାଚ ଗୀତ ସରିବା ପରେ ଫଟୋ ସେସନ୍ ବି ହେଉଛି । ବନ୍ଧୁକ ଓ ରିଭରଭଲ ସହ ନାଚ ଗୀତ କରି ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି ଏହି ଅପରାଧୀମାନେ । ଏହା ଜାଣିବା ପରେ ଆକ୍ସନ ମୋଡକୁ ଆସିଛି ପୋଲିସ । ୩ ଜଣ ଅପରାଧୀଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଏହି ପୂରା ଘଟଣାର ପର୍ଦ୍ଦାଫାଶ ହୋଇଥିଲା ଯେତେବେଳେ ଏକ ବନ୍ଧୁକ ଚୋରି ମାମଲାର ତଦନ୍ତ କରି ପୋଲିସ ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ରାହୁଲ ଜେନାକୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଆଉ ଏବେ ଭିଡିଓରେ ଥିବା ଅନ୍ୟମାନଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ସଜବାଜ ହେଉଥିବା ସୂଚନା ମିଳିଛି ।

ତେବେ ଏଠି ପ୍ରଶ୍ନ, ଅପରାଧୀଙ୍କ ଏପରି କାର୍ଯ୍ୟକଳାପ ବେଳେ ଜଣେ ସାଧାରଣ ଲୋକ ରାତିରେ ଘରୁ ବାହାରିବ କିପରି? ଯଦି ଅପରାଧୀଙ୍କ ହାବୁଡରେ ପଡ଼ିଯାଏ, ତେବେ ତାର ଅବସ୍ଥା କ’ଣ ହେବ? ପୋଲିସ ସେମାନଙ୍କୁ ସୁରକ୍ଷା ଦେଇପାରିବ ତ? ରାଜଧାନୀରେ ରାତିରେ କମିଶନରେଟ୍ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏମାନେ ଏତେ ସାହାସର ସହ ଏପରି କରିପାରୁଛନ୍ତି କେମିତି? ପୋଲିସ ହାବୁଡରେ ଏମାନେ ପଡୁନାହାନ୍ତି କିପରି? ରାଜଧାନୀ ରାସ୍ତାରେ ଲାଗିଥିବା ସିସିଟିଭିରେ ଏହି ଦୃଶ୍ୟ କଏଦ ହେଉଛି ତ? ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ରିଲ୍ ଦେଖିଲେ ଲାଗୁଛି ଏମାନେ ପୋଲିସକୁ ଖାତିର କରୁନାହାନ୍ତି କି ଡରୁ ବି ନାହାନ୍ତି । ପୋଲିସକୁ ଚ୍ୟାଲେଞ୍ଜ ଦେଉଥିବା ଏହି ଅପରାଧୀଙ୍କ ସାହାସ ଆସୁଛି କେଉଁଠୁ ।