କନକ ବ୍ୟୁରୋ : କରୋନା ଭୂତାଣୁର ଶୃଙ୍ଖଳ ଭାଙ୍ଗିବା ପାଇଁ ଚଳିତ ସପ୍ତାହର ୨ ଦିନିଆ ସଟ୍ଡାଉନ୍ ଥିଲା। ପହିଲି ରଜକୁ ଦୃଷ୍ଟିରେ ରଖି ରାଜଧାନୀ ସାରା ପୂରା ପୁଲିସ ଛାଉଣୀ ହୋଇ ରହିଥିଲେ। ଯେପରି କେହି ଘରୁ ନ ବାହାରିବେ, ସେଥିପ୍ରତି ସହରର ମୁଖ୍ୟ ଛକଗୁଡ଼ିକରେ ପୁଲିସ୍ ଜଗି ରହିଥିଲା। କିନ୍ତୁ କଡ଼ା ସୁରକ୍ଷା ସତ୍ୱେ ଜଣେ ଦୁର୍ବୃତ୍ତ ସହରରେ ତୁମୁଳକାଣ୍ଡ ଘଟାଇଛି। କୋଭିଡ୍ ମୁକାବିଲାରେ ନିୟୋଜିତ ଜଣେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କରିବା ସହ ବିଚ୍ ରାସ୍ତାରେ ଗଡ଼ାତଡ଼ା କରି ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଛି। ଗତକାଲି ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ଜୟଦେବବିହାର-ଆଚାର୍ଯ୍ୟବିହାର ରାସ୍ତାର ଓକାକ୍ ବିଲ୍ଡିଂ ଫାଟକ ସାମ୍ନାରେ ଏହି ଅଘଟଣ ଘଟିଛି।
ଏନେଇ ଥାନାରେ ଅଭିଯୋଗ ହେବାରୁ ସହିଦନଗର ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଛି। ପାଖ ବସ୍ତିର କେହି ଅସାମାଜିକ ନିଶା ଖାଇ ଏଭଳି କରିଥିବା ସନ୍ଦେହ କରି ଦୁଇଜଣଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା। ହେଲେ ଅଟକ ଯୁବକଦ୍ୱୟ ଆକ୍ରମଣକାରୀ ନୁହନ୍ତି ବୋଲି ଯୁବତୀଜଣକ କହିବାରୁ ପୁଲିସ୍ ସେମାନଙ୍କୁ ଛାଡ଼ି ଦେଇଛି। ସେହି ରାସ୍ତାରେ ଲାଗିଥିବା ସିସିଟିଭି ଓ ଅନ୍ୟ ଉତ୍ସରୁ ଅଭିଯୁକ୍ତକୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି।
ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ସେ କୋଭିଡ୍ କଲ୍ ସେଣ୍ଟର୍ରେ କାମ କରନ୍ତି। ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ଡ୍ୟୁଟି ସାରି ସେ ଫେରୁଥିବା ବେଳେ ଫାଟକ ନିକଟରେ ଜଣେ ଯୁବକ ତାଙ୍କୁ କମେଣ୍ଟ ମାରିଥିଲା। ସେ ପ୍ରତିବାଦ କରିବାରୁ ଯୁବକଜଣକ ତାଙ୍କୁ ଆକ୍ରମଣ କରିଥିଲା। ତଳେ ପକାଇ ଗଡ଼ାପଡ଼ା କରିଥିଲା। କାନ କାମୁଡ଼ି ଦେବା ସହ ତଣ୍ଟି ଚିପିବା ପାଇଁ ଉଦ୍ୟମ କରିଥିଲା। ତେବେ ଯୁବତୀଜଣକ ତା’ ହାତକୁ ଜୋର୍ରେ କାମୁଡ଼ି ଦେବାରୁ ସେ ସେଠାରୁ ପଳାଇ ଯାଇଥିଲା। ଅପରପକ୍ଷେ ଯୁବତୀଙ୍କ ଚିତ୍କାର ଶୁଣି କରିବାରୁ ସହକର୍ମୀମାନେ ଘଟଣାସ୍ଥଳକୁ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏ ସଂପର୍କରେ ସହିଦନଗର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଖୁବ୍ଶୀଘ୍ର ଅଭିଯୁକ୍ତ ଧରାପଡ଼ିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/Crime-against-Women.jpg)