ବିଏମଡବ୍ଲୁରେ ଆସିଲେ, ଅତି ବିଭତ୍ସ ଭାବେ ହତ୍ୟା କଲେ । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ବୃତଙ୍କ ନୃଂଶସ କାଣ୍ଡ, ୪ ଜଣଙ୍କୁ ଗିରଫ କଲା ପୋଲିସ ।

1,461

କନକ ବ୍ୟୁରୋ : ଭୁବନେଶ୍ୱର-ବ୍ରହ୍ମପୁର ଜାତୀୟ ରାଜପଥରେ ବିଏମଡବ୍ଲୁ କାରରେ ବାରକୁ ମଦ ପିଇବାକୁ ଆସି ଛୁରାମାଡ କରିଛନ୍ତି ଯୁବକ । ମଦ କିଣିବା ବେଳେ ବାର୍ କର୍ମଚାରୀଙ୍କ ସହ ପ୍ରଥମେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ଛୁରାମାଡ କରି ଫେରାର ହୋଇଯାଇଥିଲେ ଯୁବକମାନେ । ପୋଲିସ ଦାମୀ ବିଏମଡବ୍ଲୁ କାର ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ବିଏମଡବ୍ଲୁ କାରରେ ଆସି ଦୁବୃର୍ତ ଅପରାଧ ଘଟାଇବାର ଏହି ଘଟଣା ପୋଲିସ ଆଖିରୁ ନିଦ ହଜେଇଦେଇଛି । ତାରିଖ-୧୪.୭.୨୦୨୦ । ସମୟ-ଅପରାହ୍ନ ୫ଟା । ଜାତୀୟ ରାଜପଥ ୧୬, ଅର୍ଥାତ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ରାସ୍ତା । ଏହି ରାସ୍ତାର କଡରେ ଥିବା ଏକ ବାରକୁ ଏହି ବିଏମଡବ୍ଲୁର୍ ଆସିଥିଲେ ୪ଜଣ ଯୁବକ । ମଦ କିଣିବାକୁ କେନ୍ଦ୍ର କରି ବାର କର୍ମଚାରୀ ଏବଂ ଏହି ୪ଜଣ ଯୁବକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଯୁକ୍ତିତର୍କ । ଏପରିକି କଥା ଠେଲାପେଲା, ଧସ୍ତାଧସ୍ତି ପର୍ଯ୍ୟନ୍ତ ଯାଇଥିଲା ।

ପରେ ଯୁବକମାନେ ବିଏମଡବ୍ଲୁ ନେଇ ସେଠାରୁ କୁଆଡେ ଚାଲିଯାଇଥିଲେ । ଆଉ ଅଧ ଘଂଟାଏ ମଧ୍ୟରେ ପୁଣିଥରେ ଫେରିଥିଲେ ଏହି ୪ ଯୁବକ । ଅଚାନକ ବିଏମଡବ୍ଲୁରୁ ବାହାରି ବାରର କର୍ମଚାରୀ ଅମିୟ ବାରିକଙ୍କୁ ଛୁରା ଧରି ଗୋଡାଇଥିଲେ । ଅମିୟ ତଳେ ପଡିଯିବା କ୍ଷଣି ନୃଶଂସ ଭାବେ ବାରମ୍ବାର ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ହୋଇଯାଇଥିଲେ ଅମିୟ । ଅମିୟଙ୍କୁ ଆକ୍ରମଣ କରିବାର କିଛି ସମୟ ମଧ୍ୟରେ ବାରରେ ଥିବା ଅନ୍ୟ କର୍ମଚାରୀମାନେ ବାହାରକୁ ଦୌଡି ଆସିଥିଲେ । ଏହା ଦେଖି ୪ଜଣ ଯୁବକ ସଙ୍ଗେ ସଙ୍ଗେ ବିଏମଡବ୍ଲୁ ଧରି ଦ୍ରୁତ ଗତିରେ ସେଠାରୁ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ଛଟପଟ ହେଉଥିଲେ ଅମିୟ ।

ଅମିୟଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଖବର ପାଇଁ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ଏବଂ ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ସିସିଟିଭି ଫୁଟେଜ ଜବତ କରି ତନାଘନା ତଦନ୍ତ ଆରମ୍ଭ କରିଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ରଣପୁର ଜଙ୍ଗଲରୁ ଏକ ଦାମୀ କାରକୁ ଜବତ କରିଛି ପୋଲିସ । ଇଏ ହେଉଛି ସେହି ଦାମି କାର । ଏଥିସହ ୪ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଆଉ ୨ଜଣଙ୍କୁ ପଚରା ଉଚରା କରୁଛି ପୋଲିସ । ଗିରଫ ୪ଜଣ ଯୁବକଙ୍କ ହତ୍ୟାକାଣ୍ଡରେ କଣ ସମ୍ପୃକ୍ତି ରହିଛି ସେ ନେଇ ଅଧିକ ଖୋଳତାଡ କରୁଛି ପୋଲିସ ।