କନକ ବ୍ୟୁରୋ : ନୂଆବର୍ଷ ବିଳମ୍ବିତ ରାତିରେ ବୋମାମାଡ଼ । ଅଧ ରାତିରେ ରାଜଧାନୀରେ ଘର ଉପରକୁ ବୋମା ମାଡ ହୋଇଛି । ଗତକାଲି ପ୍ରାୟ ରାତି ୧୨ଟା ବେଳେ ଝାରପଡାର କବିରାଜ ସ୍ୱାଇଁଙ୍କ ଘରକୁ ବୋମା ମାଡ ହୋଇଥିଲା । ସେଥିରେ କବିରାଜ ସାମାନ୍ୟ ଆହାତ ହୋଇଥିବା ବେଳେ ତାଙ୍କ ଘରର କାନ୍ଥ ଭାଙ୍ଗି ଯାଇଛି । ତେବେ କିଏ କାହିଁକି ବୋମାମାଡ କରିଛନ୍ତି ତାହା ଏଯାଏଁ ଜଣାପଡିନାହିଁ । ଝରପଡା ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।
ବର୍ଷର ପ୍ରଥମ ଦିନରେ ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ । ସମସ୍ତେ ନୂଆ ବର୍ଷ ପାଳୁଥିବା ବେଳେ ବିଭିନ୍ନ ସ୍ଥାନରେ ହଣାକଟା ଓ ଗୁଳିମାଡ଼ ହୋଇଛି । ଭୁବନେଶ୍ୱର ଶୈଳଶ୍ରୀବିହାରରେ ବୁଲିଲା ଖଣ୍ଡା, ରକ୍ତ ରଂଜିତ ହେଲା କ୍ଲବ । ଦୁର୍ବୃତଙ୍କ ଆକ୍ରମଣରେ ତ୍ରାହି ତ୍ରାହି ଡାକିଲେ କଲୋନୀବାସୀ । ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ସାଢେ ୧୨ଟା ବେଳେ ଶୈଳଶ୍ରୀବିହାରର କଳିଙ୍ଗ ୟୁଥ୍ କ୍ଲବ ଭିତରକୁ ପ୍ରବେଶ କରିଥିଲେ କିଛି ମୁଖା ପିନ୍ଧା ଯୁବକ । ହାତ ଧରିଥିଲେ ଖଣ୍ଡା । କ୍ଲବରେ ଖାଉଥିବା ସଂଗ୍ରାମ ସିଂ କିଛି ବୁଝିବା ଆଗରୁ ତାଙ୍କୁ ଆକ୍ରମଣ କରିଥିଲେ । ଚୋଟ ପରେ ଚୋଟ ପକାଇଥିଲେ । ଦୁର୍ବୃତଙ୍କ ଆକ୍ରମଣରେ ସଂଗ୍ରାମ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି ।