ରାତିରେ ରାଜଧାନୀ ରାସ୍ତାରେ ଆତଙ୍କରାଜ । ଖଣ୍ଡା ବୁଲାଇ, ବନ୍ଧୁକ ଧରି ରାସ୍ତା ଉପରେ ଅପରାଧୀ କରୁଛନ୍ତି ନାଚ ।

526

କନକ ବ୍ୟୁରୋ : ରାଜଧାନୀରେ ରାଜରାସ୍ତାରେ ଖଣ୍ଡା ବୁଲାଇ ଅସମାଜିକ ଯୁବକ ଉତ୍ପାତ କରୁଥିବାର ଆଉ ଏକ ଭିଡିଓ ସାମ୍ନାକୁ ଆସୁଛି । ଏହି ଅସାମାଜିକ ଯୁବକମାନେ, ନିଜ ପତିଆରା ଓ ଦବଦବା ଜାହିର କରିବା ପାଇଁ ଲୋକଙ୍କୁ ଭୟଭୀତ କଲା ଭଳି ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ଛାଡୁଛନ୍ତି । ସେପଟେ ଡିସିପି କହିଛନ୍ତି ଭିଡିଓରେ ଥିବା ଯୁବକଙ୍କୁ ଚିହ୍ନଟ କରାଯାଇଛି । ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବ ।

ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଭିଡିଓ ଛାଡି ଏହି ଗ୍ୟାଙ୍ଗ୍ ବାର୍ତ୍ତା ଦେବାକୁ ଚାହୁଁଛି ଯେ ସେମାନେ କାହାକୁ ଭୟ କରନ୍ତି ନାହିଁ, ପୋଲିସକୁ ବି ନୁହେଁ । ସେଥିପାଇଁ ଗାଡି ତଳେ ଓ ଉପରେ ଠିଆ ହୋଇ ତେଲୁଗୁ ଫିଲ୍ମ ଷ୍ଟାଇଲରେ ଶକ୍ତି ପଦର୍ଶନ କରୁଛନ୍ତି । ଏହି ଗ୍ୟାଙ୍ଗ୍ ରାଜଧାନୀରେ ଆତଙ୍କ ଖେଳାଇ ଲୁଟ୍ କରନ୍ତି । ସମସ୍ତଙ୍କ ହାତରେ ହତିଆର ଥାଏ, ଆଉ ଯିଏ ଆଗରେ ପଡିଲା ତାକୁ ସର୍ବଶ୍ୱାନ୍ତ କରିଦିଅନ୍ତି । ଆଉ ଯଦି କିଛି ଯୁକ୍ତିତର୍କ କଲା ତେବେ ପିଠିରେ ଓ ବେକରେ ଛୁରୀ ଭୁସି ଦିଅନ୍ତି ।

ଏମାନଙ୍କର ହାବଭାବକୁ ଦେଖିଲେ ଆପଣ ସହଜରେ ଅନୁମାନ କରିପାରିବେ ଏହି ଗ୍ୟାଙ୍ଗ୍ ଯେଉଁଠି ପହଞ୍ଚିଯିବ ସେଠାରେ ସାଧାରଣ ଲୋକଙ୍କ ଚଳପ୍ରଚଳ କଷ୍ଟକର ହୋଇଯିବ । ଏହି ଗ୍ୟାଙ୍ଗରେ ୩୦ରୁ ଅଧିକ ଅପରାଧି ଅପରେଟ କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗ୍ୟାଙ୍ଗ୍ ସବୁଠୁ ସୁରକ୍ଷିତ କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରରେ ଆତଙ୍କରାଜ ଚଳାଇଛନ୍ତି ।

ଏହି ଗ୍ୟାଙ୍ଗର ଅପରାଧୀମାନେ ପୂର୍ବରୁ ଲୁଚି ଲୁଚି ଲୋ ପ୍ରୋଫାଇଲରେ ରହି ନିଜ କାମ କରୁଥିଲେ । ଏବେ କିନ୍ତୁ ନିଜର ଦବଦବା ଓ ପତିଆରା ଜାହିର ପାଇଁ ରାସ୍ତା ମଝିରେ ଖୁଲମଖୁଲା ଖଣ୍ଡା ଓ ପିସ୍ତଲ ଦେଖାଇ ନାଚୁଛନ୍ତି । ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଭିତରେ ଓ ପ୍ରତିଦ୍ୱନ୍ଦୀ ଗ୍ୟାଙ୍ଗ୍ ଭିତରେ ଆତଙ୍କ ଖେଳାଇବା ।

କମିଶନରେଟ ପୋଲିସ ଅପିଲ କରି କହିଛି, ଯଦି କିଏ ଏହି ଗ୍ୟାଙ୍ଗର ଆକ୍ରୋଶର ଶିକାର ହୋଇଥିବେ, ସେମାନେ ବିନା ଦ୍ୱିଧାରେ ପୋଲିସକୁ ଆସି ଯୋଗାଯୋଗ କରନ୍ତୁ । ଏହାଛଡା ପୋଲିସ ଆହୁରି ମଧ୍ୟ କହିଛି, ଗ୍ୟାଙ୍ଗର ସମସ୍ତ ଅପରାଧୀ ଚିହ୍ନଟ ହୋଇଯାଇଛନ୍ତି । ଏହି ଗ୍ୟାଙ୍ଗର ଏଯାଏ ଚାରି ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଅପରାଧୀମାନେ କେବେ ଧରା ପଡୁଛନ୍ତି, ତାକୁ ଅପେକ୍ଷା କରାଯାଇଛି ।