ସାଧାରଣ ଲୋକ ଫାଇନ ଗଣନ୍ତି, ଅପରାଧୀ ଏଠି ଛୁରୀ ମାରନ୍ତି । ରାଜଧାନୀରେ ପଦାକୁ ବାହାରିବାକୁ ଲାଗୁଛି ଡର । ପ୍ରଶ୍ନ ଉଠୁଛି, ଭୁବନେଶ୍ୱରରେ କଣ କେବଳ ଫାଇନ କାଟିବାକୁ ପୋଲିସ ଅଛି?

217

କନକ ବ୍ୟୁରୋ : ଭୁବନେଶ୍ୱରର ନୟାପଲ୍ଲୀ ମର୍ଣ୍ଣିଂ ୱାକ୍ କରୁଥିବା ମହିଳାଙ୍କୁ ଛୁରାମାଡ ଘଟଣା, ସାରା ରାଜ୍ୟରେ ଚର୍ଚ୍ଚା ପାଲଟିଛି । କେମିତି ସ୍ପଷ୍ଟ ଦିବାଲୋକରେ ସକାଳ ୬ଟା ୩୦ରେ ମହିଳାଙ୍କୁ ଛୁରା ମାରି ଦୁର୍ବୃତ୍ତ ଜଣକ ଆରାମରେ ଦୌଡି ପଳାଇ ଯାଇଛି, ତାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି । କିନ୍ତୁ ଏପଟେ ଆମ ପୁଲିସ ବାବୁମାନେ ଫାଇନ୍ କାଟିବାରେ ଖୁବ୍ ସ୍ମାର୍ଟ । କେହି ତାଙ୍କ ଆଖି ସାମ୍ନାରୁ ବର୍ତି ପାରିବେ ନାହିଁ । କିନ୍ତୁ ଦିନ ବେଳେ ଛୁରା ମାରି ଲୁଟେରା ଖସି ଯାଇ ପାରୁଛନ୍ତି ।

ଗତକାଲି ସକାଳେ ଭୁବନେଶ୍ୱର ନୟାପଲ୍ଲୀ ଅଂଚଳର ଭିଆଇପି ରୋଡରେ ମହିଳାଙ୍କୁ ଏକୁଟିଆ ଦେଖି ଛୁରୀ ମାରି ଲୁଟ ଉଦ୍ୟମ କରିଥିଲା ଜଣେ ଲୁଟେରା । ଯାହାର ସଂପୂର୍ଣ୍ଣ ଚିତ୍ର ସିସିଟିଭିରେ କଏଦ ହୋଇଛି । ଏହି ଚିତ୍ର ହିଁ କମିଶନରେଟ ପୋଲିସର ପାରିବା ପଣିଆ ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ଅପରାଧୀଙ୍କ ମନରେ ପୋଲିସର ଭୟ ଥିଲେ, ବିଚ୍ ରାସ୍ତା ଉପରେ ଏଭଳି ମହିଳାଙ୍କ ବେକ କାଟିଦେବାର ସାହସ ହୋଇନଥାନ୍ତା ବୋଲି ଲୋକେ କହିଛନ୍ତି ।

ଅନ୍ୟପଟେ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ଲକଡାଉନ ଲାଗୁହେବା କ୍ଷଣି ଯେମିତି ତତ୍ପର ହୋଇଉଠେ ପୋଲିସ । ହେଲମେଟ ଚେକିଂରୁ ଆରମ୍ଭ କରି ମାସ୍କ ଚେକିଂ କରି ଅମାନିଆଙ୍କଠାରୁ ଫାଇନ ଆଦାୟରେ ଲାଗିପଡେ । ହେଲେ ଚୋର, ଲୁଟେରା ଓ ଅପରାଧୀଙ୍କୁ ଧରିବାରେ ସେମିତି ତତ୍ପରତା ଦେଖାଇଲେ ଅନେକ ମାତ୍ରାରେ ଅପରାଧ କମିପାରନ୍ତା ବୋଲି ସାଧାରଣ ଲୋକ ପ୍ରତିକ୍ରିୟା ଦେଇଛନ୍ତି ।

ସରକାରୀ ନିୟମକୁ ମାନୁନଥିବା ଅମାନିଆଙ୍କଠାରୁ ଫାଇନ ଆଦାୟ ହେବା ଦରକାର । ଏହାକୁ କାର୍ଯ୍ୟକାରୀ କରିବା ପୋଲିସର ଦାୟିତ୍ୱ ମଧ୍ୟ । ହେଲେ ଫାଇନ ଆଦାୟ ପାଇଁ ପୋଲିସ ଯେମିତି ତତ୍ପରତା ଦେଖାଉଛି, ଅପରାଧ ନିୟନ୍ତ୍ରଣ କିରବାରେ ସେହିଭଳି ତତ୍ପର ତ? ରାତିରେ କିମ୍ବା ନିରୋଳାରେ ସାଧାରଣ ଲୋକଟିଏ ପୋଲିସକୁ ଦେଖିଦେଲେ ତା ମନରେ ସାହସ ସୃଷ୍ଟି ହେବାକଥା । ସେ ନିଜକୁ ସୁରକ୍ଷିତ ମନେ କରିବା କଥା । ହେଲେ ହେଲମେଟ ଚେକିଂରୁ ଆରମ୍ଭ କରି ମାସ୍କ ଚେକିଂ ନାଁରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପୋଲିସକୁ ଦେଖି ଲୋକେ ଭୟ କରୁଛନ୍ତି । କିନ୍ତୁ ପୋଲିସକୁ ଦେଖି ସାଧାରଣ ଲୋକ ନୁହେଁ ଅପରାଧୀ ଭୟ କରିବା କଥା ।

ହିନ୍ଦି ଫିଲ୍ମର ହିରୋ ଭଳି ପୋଲିସ ସଂପୂର୍ଣ୍ଣ ଅପରାଧମୁକ୍ତ ସମାଜଟିଏ ରାତାରାତି ତିଆରି କରିଦେବ ବୋଲି ଆମେ କହୁନାହୁଁ । କିନ୍ତୁ ଅପରାଧୀଟିଏ ଯେକୌଣସି ଅପରାଧ ଘଟାଇବା ଆଗରୁ ପୋଲିସ କଥା ଭାବି ଭୟ କରୁ ବାସ ଏତିକି ପୋଲିସ ବିଭାଗଠାରୁ ଆମେ କଣ ଆଶା କରିପାରିବାନି ?