କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ନୟାଗଡ ଯଦୁପୁର କୁନି ଝିଅ ପରୀ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆଜି ଏନେଇ ବିଧାନସଭାରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀ କହିଛନ୍ତି, ଏହି ଘଟଣାରେ ୩୪ଜଣ ସନ୍ଦିଗ୍ଧ ଓ ଗ୍ରାମବାସୀଙ୍କୁ ପଚରାଉଚୁରା କରାଯାଇଛି । ଆବଶ୍ୟକ ସ୍ଥଳରେ ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ ବି ହୋଇଛି ।

Advertisment

ଏହାସହ ଏହି ମାମଲାରେ ସଂପୃକ୍ତି ନେଇ ଯେଉଁମାନଙ୍କ ଉପରେ ପୁଲିସର ସନ୍ଦେହ ହୋଇଛି, ସେମାନଙ୍କ କଲ୍ ରେକର୍ଡ ଯାଂଚ କରାଯାଇଛି । ଏହାସହ ପରୀକୁ ଅପହରଣ କରିବା ପରେ ହତ୍ୟା କରାଯାଇଥିବା ପାରିପାଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି । ନୟାଗଡ ଏସଡିପିଓ ପୁରା ଘଟଣାର ତଦନ୍ତ କରୁଥିବା ବିଧାନସଭାରେ ମନ୍ତ୍ରୀ ସୂଚନା ଦେଇଛନ୍ତି । ଗତକାଲି ବିଧାନସଭାରେ ପରୀ ମୃତ୍ୟୁ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ । ଏବଂ ଏହି ଘଟଣାରେ ବିବୃତି ରଖିବା ପାଇଁ ରୁଲିଂ ଦେଇଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆଜି ଗୃହରାଷ୍ଟ୍ର ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ସରକାର ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ଜୁଲାଇ ୧୪ ତାରିଖରେ ନୟାଗଡ ସଦର ଥାନା ଯଦୁପୁର ଗାଁର ୫ ବର୍ଷର ପରି ଗାଁ ଦାଣ୍ଡରେ ଖେଳୁଥିବାବେଳେ କେହି ତାକୁ ଅପହରଣ କରିନେଇଥିଲା । ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ହେଲେ ୧୦ଦିନ ପରେ ଏକ ବସ୍ତାରେ ବନ୍ଧା ହୋଇ ପରୀର ଖଣ୍ଡଖଣ୍ଡ ଗଳିତ ମୃତଦେହ ମିଳିଥିଲା । ପୋଲିସ ଏହି ମାମଲାରେ ବିଭିନ୍ନ ଲୋକଙ୍କୁ ଥାନାକୁ ନେଇ ଜେରା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ । ଅନ୍ୟ ପକ୍ଷରେ ନ୍ୟାୟ ଦାବି କରି ପରିର ପରିବାର ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ ବାଢିଥିଲେ ।