ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣା : କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର ।

133

କନକ ବ୍ୟୁରୋ: ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତଥ୍ୟ ଲିକ୍ ଅଭିଯୋଗରେ ୪ ଜଣ ଠିକା କର୍ମଚାରୀ ଗିରଫ ହେବା ପରେ ଏବେ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ଅନ୍ୟପଟେ କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ଘଟଣାରେ ଏବେ ସୁଦ୍ଧା ଗିରଫ ହୋଇଥିବା ୪ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସହଦେବ ଖୁଣ୍ଟା ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହିତ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନା ନେବା ବେଳକୁ ଜଣେ ଅଭିଯୁକ୍ତ ପ୍ରତିକ୍ରିୟା ରଖି ତାଙ୍କୁ ଫସାଇ ଦିଆଯାଇଥିବା କହିଛି ।

ସେପଟେ ଏହି ଘଟଣାରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହା ପଛରେ ହନି ଟ୍ରାପର ଲିଙ୍କ୍ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ହନି ଟ୍ରାପ ଜରିଆରେ ହେଉଥିଲା ତଥ୍ୟ ଲିକ୍ । ପାକିସ୍ତାନର ଜଣେ ମହିଳାଙ୍କ ସହ ଗିରଫ ଠିକା କର୍ମଚାରୀ ଯୋଗାଯୋଗରେ ଥିଲେ । କଲ ରେକର୍ଡରେ ମହିଳାଙ୍କ ସ୍ୱର ଥିବା ସୂଚନା ମିଳିଛି । ମହିଳାଙ୍କ ସହ ସମସ୍ତ ଅଭିଯୁକ୍ତଙ୍କ ସମ୍ପର୍କ ହୋଇଥିଲା । ଜଣକ ପରେ ଜଣେ ଅଭିଯୁକ୍ତ ଏହି ମହିଳାଙ୍କ ସମ୍ପର୍କରେ ଆସିଥିଲେ । ଏପରିକି ମହିଳାଙ୍କ ସହ ଅଭିଯୁକ୍ତଙ୍କର ଟଙ୍କା ଦେଣନେଣ ହୋଇଥିବା ସୂଚନା ମିଳିଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତ୍ୟେକ ଦିନର କାର୍ଯ୍ୟର ତଥ୍ୟ ପାଇବା ଲାଗି ବିଭିନ୍ନ ବାହାନାରେ ଟଙ୍କା ପଠାଉଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ପାକିସ୍ତାନୀ ମହିଳାଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ । ଅନ୍ତର୍ଜାତିକ କଲ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ ହେଉଥିଲା । ଯୁବତୀଙ୍କ ସହ ଟଙ୍କା ବଢାଇବା ଆଶାରେ ହନିଟ୍ରାପରେ ଫସିଯାଇଥିଲେ ଏହି ୪ ଠିକା କର୍ମଚାରୀ ।