ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ରହସ୍ୟ ଖୋଲିବ କି ପଲିଗ୍ରାଫ୍ ଟେଷ୍ଟ? ଫରେନସିକ୍ ଲ୍ୟାବର ଅନୁମତି ମିଳିବା ପରେ ବଢ଼ିଲା ଉତ୍କଣ୍ଠା

168

କନକ ବ୍ୟୁରୋ: ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତ୍ୟୁ ମାମଲାରେ ପଲିଗ୍ରାଫ୍‌ ଟେଷ୍ଟକୁ ଫରେନସିକ୍‌ ଲ୍ୟାବ୍‌ର ଅନୁମତି ମିଳିବା ପରେ ସାଧାରଣରେ ଉତ୍କଣ୍ଠା ବଢ଼ି ଯାଇଛି। ଅନ୍ତତଃ ଏହି ପରୀକ୍ଷାରୁ ଆଦିତ୍ୟଙ୍କ ମୃତ୍ୟୁ ସଂପର୍କରେ କିଛି ଭିତିରି କଥା ପଦାକୁ ଆସିପାରେ ବୋଲି ଆଦିତ୍ୟଙ୍କ ହଜାର ହଜାର ଶୁଭେଚ୍ଛୁ ଓ ପରିବାରଲୋକ ଆଶାବାଦୀ ଅଛନ୍ତି। ଅପରପକ୍ଷେ ଏହି ଟେଷ୍ଟ ହେବାକୁ ଥିବା ୪ଜଣଙ୍କ ମଧ୍ୟରୁ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ସାଙ୍ଗ ପପୁ ଓ ବିକାଶ ମଧ୍ୟ ଏହାକୁ ସ୍ବାଗତ କରିଛନ୍ତି। ବିଧିବଦ୍ଧ ଭାବେ ସେମାନେ ଟେଷ୍ଟ ପାଇଁ ଅନୁମତି ଦେଇ ନଥିଲେ ହେଁ ଏହି ପରୀକ୍ଷା ଦେବାକୁ ସେମାନେ ରାଜି ଅଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି। ଏହାଦ୍ବାରା କିଏ ମିଛ କହୁଛି ଓ କିଏ ସତ କହୁଛି, ତାହା ପ୍ରମାଣିତ ହୋଇଯିବ ବୋଲି ସେମାନେ କହିଛନ୍ତି।

ଅପରପକ୍ଷେ ଫରେନ୍‌ସିକ୍‌ ଲ୍ୟାବ୍‌ ପ୍ରଶ୍ନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସମସ୍ତ କେସ୍‌ ରେକର୍ଡକୁ ଯାଞ୍ଚ କରିବା ପରେ ଲ୍ୟାବ୍‌ର ବରି‌ଷ୍ଠ ଅଧିକାରୀ ପ୍ରଶ୍ନ ତିଆରି କରୁଛନ୍ତି। କାହାକୁ କେଉଁ ପ୍ରଶ୍ନ ପଚରାଯିବ, ସେ ସବୁର ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ତେବେ ପଲିଗ୍ରାଫ୍‌ ଟେଷ୍ଟର ନିର୍ଯାସକୁ କୋର୍ଟ ଗ୍ରହଣ କରୁ ନଥିବାରୁ ଏଥିରେ କିଛି ଅଧିକା ଲାଭ ହେବ ନାହିଁ ବୋଲି ଅନେକ କହିଛନ୍ତି।

ପଲିଗ୍ରାଫ୍‌ ଟେଷ୍ଟ କଣ?

ଶରୀରରେ ମେସିନ୍‌ ଖଞ୍ଜା ଯିବା ପରେ ପ୍ରଶ୍ନ ପଚରା ହୁଏ। ପ୍ରଶ୍ନ ଅନୁସାରେ ଶରୀରର ହୃଦ୍‌ସ୍ପନ୍ଦନ, ରକ୍ତଚାପକୁ ମେସିନ୍‌ ରେକର୍ଡ କରେ। ହୃଦ୍‌ସ୍ପନ୍ଦନ ଉପରେ କାହାର ନିୟନ୍ତ୍ରଣ ନ ଥାଏ। ଏଣୁ ମିଛ କହିବା ବେଳେ ବା କିଛି ଲୁଚାଇବା ବେଳେ ହୃଦ୍‌ସ୍ପନ୍ଦନ ବୃଦ୍ଧି ପାଇଥାଏ, ଯାହାକୁ ମେସିନ୍‌ ରେକର୍ଡ କରିନିଏ। ଏହି ଆଧାରରେ ରିପୋର୍ଟ ପ୍ରସ୍ତୁତ ହୁଏ। ଯଦିଓ ଏହି ରିପୋର୍ଟ କୋର୍ଟରେ ଗ୍ରହଣୀୟ ହେବ ନାହିଁ, କିନ୍ତୁ ମାମଲା ପରିଚାଳନା‌ରେ ଏହା ସହାୟକ ହୋଇଥାଏ।