ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ । ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ ।

103

କନକ ବ୍ୟୁରୋ : ଓଡିଶାର ସବୁଠାରୁ ବଡ ଭିଜିଲାନ୍ସ ରେଡ୍ ବୋଲି କୁହାଯାଉଥିବା ପାଠକ ପରିବାର ଦୁର୍ନୀତି ଘଟଣାରେ ଆଜି ଦୁଇଟି ଘଟଣା ଘଟିଛି । ଗୋଟିଏ ପଟେ ପୁଅ ଆକାଶ ପାଠକକୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । କୋର୍ଟରେ ହାଜର ପରେ ନିଜ କଷ୍ଟଡିକୁ ନେଇଛି କ୍ରାଇମବ୍ରାଂଚ । ଆଉ ଗୋଟିଏ ପଟେ ପାଠକ ପରିବାର ସହ ଟଙ୍କା କାରବାରରେ ଲିପ୍ତ ଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଆସନ୍ତା ୨ମାସ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଏପଟେ ଆକାଶ ପାଠକଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ପାଇଁ ଉଦ୍ୟମ କରିବ କ୍ରାଇମବ୍ରାଂଚ ।

ଦିନେ ଭଡାରେ ବିମାନ ନେଇ ଆକାଶରେ ଉଡୁଥିବା ଓ ତାଜ ପାଲେସ ଭଳି ଦେଶର ସବୁଠାରୁ ଦାମୀ ହେଟେଲରେ ଦିନ ବିତାଉଥିବା ଏହି ୩୨ ବର୍ଷୀୟ ଯୁବକ ଆକାଶ ପାଠକର ଏବେ ସମୟ ବଦଳି ଯାଇଛି । ଆଗରୁ ଆକାଶ ଯୁଆଡେ ଯାଉଥିଲେ ତାଙ୍କୁ ଘେରି ରହି ସୁରକ୍ଷା ଦେଉଥିଲେ ୮ରୁ ୧୦ ବାଉଁସର, ଆଉ ଏବେ ତାଙ୍କୁ ଘେରି ରହୁଛନ୍ତି ପୁଲିସ କର୍ମୀ ।

ନୂଆ ମାମଲାକୁ ନେଇ କୋର୍ଟଙ୍କୁ ଜଣାଇବା ସହ ୬୫ ଲକ୍ଷ ଠକେଇ ମାମଲାରେ ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଛି । ଆକାଶଙ୍କ ବିରୋଧରେ ୪୧୯, ୪୨୦, ୪୬୮, ୪୭୧ ୫୦୬, ୩୪ ଆଇପିସି ଦଫା ଲାଗିଛି । ଟାଟା ମୋଟର୍ସର ଠକେଇ ସିଣ୍ଡିକେଟର ଅଧିକ ଖୋଳତାଡ ପାଇଁ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି ।

ନିଜକୁ ନୀରିହ କହୁଥିବା ଆକାଶ, ନିଜ ସପକ୍ଷରେ କଣ ପ୍ରମାଣ ଦେବେ ତାହା ସବୁଠାରୁ ବଡ ପ୍ରଶ୍ନ । ଏପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ପାଠକ ପରିବାର ସହ ମିଶି ଦୁର୍ନୀତିର ଅଭିଯୋଗ ଆସିଥିବା ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରି ୨ ମାସ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।