ପାର୍ସଲ ବୋମା ପୀଡିତା ମୁହଁ ଖୋଲିବା ପରେ କ୍ରାଇମବ୍ରାଂଚର ଛାନଭିନ୍ : ପାଟଣାଗଡ ଗଲା କ୍ରାଇମବ୍ରାଂଚର ଏକ ସ୍ୱତନ୍ତ୍ର ଟିମ, ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଥିଲେ ପୀଡିତା

30

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ପୀଡିତା ୨୫ ଦିନ ପରେ ଖବର କାଗଜରୁ ସ୍ୱାମୀ ମୃତ୍ୟୁ ଖବର ଜାଣିବାପରେ ଗତକାଲି ମୁହଁ ଖୋଲିଥିଲେ । ପୀଡିତା ମୁହଁ ଖୋଲିବା ପରେ ଆଜି କ୍ରାଇମବ୍ରାଂଚ ସାଇବର ସେଲର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ ଆରମ୍ଭ କରିଛି । ପାଟଣାଗଡ ପୁଲିସକୁ କ୍ରାଇମବ୍ରାଂଚ ସାଇବର ସେଲ ଟିମ ତଦନ୍ତରେ ସହଯୋଗ କରୁଥିବା କ୍ରାଇମବ୍ରାଂଚ ସାଇବର ସେଲ ପକ୍ଷରୁ କୁହାଯାଇଛି । ଗତକାଲି ପୀଡିତା ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ବିନା ଦୋଷରେ ତାଙ୍କ ସ୍ୱାମୀ ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବା ରୀମା କହିଛନ୍ତି ।

blast 11

ସୂଚନାଯୋଗ୍ୟ ଗତକାଲି ପାଟଣାଗଡ଼ ଗିଫ୍ଟ ବୋମା ବିସ୍ଫୋରଣର ପୂରା ସତ ଜାଣିଲେ ଆହତ ନବବଧୂ ରିମା । ବିସ୍ଫୋରଣରେ ସ୍ୱାମୀ ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବା ଖବର ଘଟଣାର ୨୫ ଦିନ ପରେ ଜାଣିଲେ ରିମା । କଟକ ମେଡିକାଲ୍ ପ୍ଲାଷ୍ଟିକ୍ ସର୍ଜରି ବର୍ନ ୱାର୍ଡରେ ସକାଳୁ ଟିଫିନ୍ ଖାଉଥିବା ବେଳେ ଏକ ପୁରୁଣା ଖବର କାଗଜରୁ ରିମାଙ୍କୁ ମିଳିଥିଲା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଖବର ।ପରିବାର ଲୋକ ଓ ଡାକ୍ତର ଲୁଚାଇଥିବା ଏହି ନିଷ୍ଠୁର ସତ୍ୟକୁ ଅତି ନାଟକୀୟ ଭାବେ ଜାଣିବା ପରେ ସେ ଏହାକୁ ବରଦାସ୍ତ କରିପାରିନଥିଲେ । ଖସି ଯାଇଥିଲା ତାଙ୍କ ପାଦ ତଳରୁ ମାଟି । ସ୍ୱାମୀ ତ ମରି ଯାଇଛନ୍ତି, ତାଙ୍କୁ କାହିଁକି ବଂଚାଇଲ ବୋଲି କାନ୍ଦି କାନ୍ଦି କହୁଥିଲେ ରିମା । ପ୍ରାୟ ୪ -୫ ଘଂଟା ପର୍ୟ୍ୟନ୍ତ ତାଙ୍କୁ ସମ୍ଭାଳିବା ପାଇଁ ଡାକ୍ତର, ନର୍ସ ଓ ପରିବାର ଲୋକ ନୟାନ୍ତ ହୋଇଥିଲେ । ଗତ ଫେବ୍ରୁଆରି ମାସ ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ ।

blast