ହ୍ୱାଟ୍ସଆପରେ ମେସେଜ୍ ଆପଣଙ୍କୁ ବର୍ବାଦ କରିଦେଇପାରେ । ଠକେଇରୁ ବର୍ତ୍ତିବାକୁ କ୍ରାଇମବ୍ରାଞ୍ଚ ଜାରିକଲା ନିର୍ଦ୍ଦେଶାବଳୀ

163

କନକ ବ୍ୟୁରୋ: ଆଜିକା ସମୟରେ ସୋସିଆଲ ମିଡିଆରେ ଆପ୍ସଗୁଡିକର ବ୍ୟବହାର ଆଶାତୀତ ଭାବେ ବଢିଯାଇଛି । ହ୍ୱଟ୍ସଆପ୍ ଯେତିକି ଲୋକପ୍ରିୟ ହେଉଛି ଏହାକୁ ଢାଲ କରି ଠକେଇ ବି ସେତିକି ବଢିବାରେ ଲାଗିଛି । ଏହି ହ୍ୱାଟ୍ସଆପ୍ ସ୍କାମର ନାଁ ରହିଛି ‘ଫ୍ରେଣ୍ଡ ଇନ୍ ନିଡ୍’ ସ୍କାମ ।

ହ୍ୱାଟ୍ସଆପରେ ଆପଣଙ୍କ ପାଖକୁ ଗୋଟିଏ ମେସେଜ୍ ଆସିବ ଆଉ ଆପଣଙ୍କୁ କାଙ୍ଗାଳ କରିଦେବ । କଥାଟା ଏପରି । ଏହି ସ୍କାମରେ ସାଇବର ଫ୍ରଡ୍ ଆପଣଙ୍କ କୌଣସି ବନ୍ଧୁ ବା ପରିଚିତଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟରୁ ମେସେଜ୍ କରିବ । ସେ କୌଣସି ଜାଗାରେ ଫଶିଯାଇଛି । ପାଖରେ ଆବଶ୍ୟକ ଅର୍ଥ ନାହିଁ । ତେଣୁ ଟଙ୍କା ପଠାଇବାକୁ କହିବ । ଏହି ଆଳରେ ଆପଣଙ୍କ ଆକାଉଣ୍ଟର ସବୁ ତଥ୍ୟ ମାଗିନେବ । ଆପଣ ବି ନିଜ ସାଙ୍ଗ ବା ପରିଚିତ ଭାବି ବିଶ୍ୱାସରେ ସବୁ ତଥ୍ୟ ସେୟାର କରିଦେବେ । ଆଉ କିଛି ସମୟ ପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ।

ଏବେ ଆମ ରାଜ୍ୟରେ ଏପରି ଠକେଇ ମାମଲା ଆସୁଥିବାରୁ ଏଥିରୁ ବର୍ତ୍ତିବାକୁ କ୍ରାଇମବ୍ରାଞ୍ଚ ଜାରି କରିଛି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ । ହ୍ୱାଟ୍ସଆପ୍ ବ୍ୟବହାରକାରୀ ମାନେ ନିଜ ହ୍ୱାଟ୍ସଆପ ଆକାଉଣ୍ଟ ଖୋଲି ସେଥିରେ ଥିବା ‘ଟୁ ଷ୍ଟେପ୍ ଭେରିଫିକେସନ’କୁ ଆକ୍ଟିଭ କଲେ ଏପରି ଠକେଇରୁ ବର୍ତ୍ତି ପାରିବେ । ତେବେ ଜାଣନ୍ତୁ ଏହି ଠକେଇରୁ ବର୍ତ୍ତିବାକୁ କ’ଣ ରହିଛି ନିର୍ଦ୍ଦେଶାବଳୀ:

ହ୍ୱାଟ୍ସଆପ୍ ଠକେଇରୁ କିପରି ବଞ୍ଚିବେ?

ନିଜ ହ୍ୱାଟ୍ସଆପ୍  account ର Two step verification କୁ କାର୍ଯ୍ୟକ୍ଷମ କରନ୍ତୁ

Whatsapp account > setting > Accounts > Two step  Verification  > Enable > Six Digit Pin > Confirm same Pin again >  email id > confirm email id >  Save > Done

କୌଣସି ଅଜଣା ଲିଙ୍କ କ୍ଲିକ୍ କରନ୍ତୁ ନାହିଁ ବା  OTP କାହାକୁ ଦିଅନ୍ତୁ ନାହିଁ ।

ଅନଲାଇନ୍ ଟଙ୍କା ପଠାଇବା ପୂର୍ବରୁ ମାଗୁଥିବା ବ୍ୟକ୍ତିଙ୍କ ସହ କଥା ହୋଇ ଯାଞ୍ଚ କରନ୍ତୁ ।

ବିଦେଶରେ ଏହି ଠକେଇ ଅନେକାଂଶରେ ବଢିଯାଇଥିବାବେଳେ ଏବେ ଆମ ରାଜ୍ୟରେ ବି ଏପରି ମାମଲା ସାମ୍ନାକୁ ଆସିଛି । ଓକାକ୍ ମୁଖ୍ୟ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ କରି ସାଇବର ଠକ ୭ ଲକ୍ଷ ଟଙ୍କା ଠିକନେବା ପରେ ରାଜ୍ୟ କ୍ରାଇମବ୍ରାଞ୍ଚ ଏ ଦିଗରେ ତତ୍ପରତା ଦେଖାଇ ସଚେତନ କରାଇଛି । ଏବଂ ଉପରୋକ୍ତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।