ଖାରବେଳଙ୍କ ଆକ୍ରମଣ ପଛରେ କିଏ ? ଆରମ୍ଭ ହେଲା ତନାଘନା, କ୍ରାଇମବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । 

189

କନକ ବ୍ୟୁରୋ : କାହିଁକି ଖାରବେଳଙ୍କ ଉପରେ ହେଉଛି ବାରମ୍ବାର ଆକ୍ରମଣ? କିଏ କରୁଛି ଆକ୍ରମଣ? ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆକ୍ରମଣ ପଛର କାରଣ ଖୋଜିବ କ୍ରାଇମବ୍ରାଂଚ୍ । ଗତକାଲି ରାୟଗଡାରେ ଉକ୍ରଳ ଭାରତ ମୁଖ୍ୟ ଐର ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଆକ୍ରମଣ କରିଥିବା ବ୍ୟକ୍ତି ବିଜେଡ଼ିର ବୋଲି ଖାରବେଳ ଅଭିଯୋଗ ଆଣିଥିବା ବେଳେ ବିଜେଡ଼ି ଏହାକୁ ଖଣ୍ଡନ କରିଛି ।

ରାୟଗଡ଼ାର କାଶିପୁର ବ୍ଲକରେ ଖାରବେଳ ସ୍ୱାଇଁଙ୍କୁ ମାଡ ଘଟଣାକୁ ନେଇ ଓଡ଼ିଶା ରାଜନୀତିରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଜଣେ ନେତାଙ୍କୁ ଏଭଳି ଖୁଲମଖୁଲା ଆକ୍ରମଣ ହେବା ପରେ, ଏହା ପଛରେ କିଏ ଅଛି ସେନେଇ ତନାଘନା ଆରମ୍ଭ ହୋଇଛି । ଅନ୍ୟପଟେ ଘଟଣାର କ୍ରାଇମ ବ୍ରାଂଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ପଛରେ କିଏ ଅଛି, କାହିଁକି ବାରମ୍ବାର ଖାରବେଳଙ୍କୁ ଏ ପ୍ରକାର ଆକ୍ରମଣ ହେଉଛି, ସେନେଇ ରିପୋର୍ଟ ଦେବା ସହ ସଂପୃକ୍ତ ବ୍ୟକ୍ତି ବିଶେଷକୁ ଧରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଖାରବେଳଙ୍କୁ ଅମାନବୀୟ ଭାବେ ମାଡ ମାଡିବା ଘଟଣାରେ ଏବେ ରାଜନୀତିରେ ଆରୋପ ପ୍ରତ୍ୟାରୋପ ବଢ଼ୁଛି । ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କ ବିଜେଡ଼ିର ବୋଲି ଖାରବେଳ ଅଭିଯୋଗ ଆଣିଥିବା ବେଳେ ବିଜେଡ଼ି ଏହାକୁ ଖଣ୍ଡନ କରିଛି । ଏପରିକି ଏହି ଘଟଣାରେ ସମସ୍ତେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ ବୋଲି କଂଗ୍ରେସ କହିଛି । ଆଉ ଏସବୁ ଭିତରେ ଘଟଣାରେ ସଂପୃକ୍ତ ବ୍ୟକ୍ତି ସୁମନ୍ତ ନାୟକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏବେ କ୍ରାଇମ ବ୍ରାଂଚର ତଦନ୍ତକୁ ଅପେକ୍ଷା କରାଯାଉଛି ।