କନକ ବ୍ୟୁରୋ : ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ପ୍ରେସ ରିଲିଜ ଜାରି କରି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ଅଭୟ । କ୍ରାଇମବ୍ରାଞ୍ଚ ଏହି ମାମଲାର ଅନେକ ଦିଗକୁ ନେଇ ତଦନ୍ତ କରିପାରେ । ଭୋଜି ବାହାନାରେ ଚିତ୍ତରଞ୍ଜନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇନି ତ? ହତ୍ୟା ପଛରେ ଟଙ୍କା ନା ଆଉ କିଛି କାରଣ ରହିଛି । ଦୁର୍ଘଟଣାସ୍ଥଳରୁ ଏତେ ଦୂରରୁ କିଭଳି ମିଳିଲା ଚିତ୍ତରଞ୍ଜନଙ୍କ ମୃତଦେହ? ଦୁର୍ଘଟଣାର ରୂପ ଦେବାକୁ ମିଛ କହୁଛନ୍ତି କି ସାଙ୍ଗ ଜଗନ୍ନାଥ? ଦୁର୍ଘଟଣା ସ୍ଥାନରୁ ନୂଆନଈ ପର୍ଯ୍ୟନ୍ତ କେମିତି ଗଲେ ଚିତ୍ତରଞ୍ଜନ? ଯଦି ଚିତ୍ତରଞ୍ଜନଙ୍କୁ ହତ୍ୟା କରାଯାଇଥାଏ ତେବେ ଏଥିରେ କେତେ ଜଣଙ୍କର ସମ୍ପୃକ୍ତି ରହିଛି? ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବ କ୍ରାଇମବ୍ରାଞ୍ଚ ।
ଗତ ୧୧ ତାରିଖରେ ଚିତ୍ତରଞ୍ଜନ ଭୋଜି କରିବାକୁ ଯାଇ ଆଉ ଫେରିନଥିଲେ । ପରେ ୧୩ ତାରିଖରେ ନୂଆନଈ ନିକଟରୁ ଚିତ୍ତରଞ୍ଜନଙ୍କ ମୃତଦେହ ଜବତ ହୋଇଥିଲା । ତେବେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ମାମଲାରେ ବିବାଦ ଘେରକୁ ଆସିଥିଲେ ସଞ୍ଜୟ ଦାସବର୍ମା । ଏସବୁ ଭିତରେ ସଂଜୟଙ୍କ ସହଯୋଗୀ ଚତରଞ୍ଜନ ପଲେଇଙ୍କୁ ହତ୍ୟା ଷଡଯନ୍ତ୍ର ନେଇ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ମୃତ୍ୟୁର କାରଣ ଖୋଜିବାକୁ ଡେଥ୍ ସ୍ପଷ୍ଟରେ ତଦନ୍ତ କରିଛି ଫରେନସିକ୍ ଟିମ୍ । । ଡ୍ରୋନ୍ ମାଧ୍ୟମରେ ଭିଡିଓ ରେକର୍ଡିଂ କରିବା ସହ ଡଗ ସ୍ୱାର୍ଡ ଦ୍ୱାରା ଛାନଭିନ୍ କରିଛି ପୋଲିସ । କୁହାଯାଉଛି, ପୋଲିସର ଏହି ଛାନଭିନରେ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି । ଯାହା ଚିତରଞ୍ଜନଙ୍କ ମୃତ୍ୟୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସଂକେତ ଦେଉଛି ।
ସବୁଠାରୁ ବଡ ପ୍ରଶ୍ନ ହେଉଛି, ଦୁର୍ଘଟଣା ଘଟିଛି ବୋଲି କୁହାଯାଉଥିବା ସ୍ଥାନରୁ ଅଧ କିଲୋମିଟର ଦୂରରେ ମୃତଦେହ କେମିତି ପଡିଲା । ଏହାଛଡା ଭୋଜି ସରିବା ପରେ ସେମାନେ ଏହି ନିକାଞ୍ଚନ ସ୍ଥାନକୁ କାହିଁକି ଯାଉଥିଲେ । ତେଣୁ ୧୧ ତାରିଖ ରାତିରେ ଭୋଜି କରିଥିବା ସମସ୍ତଙ୍କ ଫୋନ ଟ୍ରାକିଂ କରୁଛି ପୋଲିସ । ଏପରିକି ପୁରୁଣା କଲ ରେକର୍ଡକୁ ଯାଞ୍ଚ କରାଯାଉଛି । ମାଟିଆପଡା ଛକରୁ ଜଗନ୍ନାଥ କହୁଥିବା ଦୁର୍ଘଟଣାସ୍ଥଳ ପର୍ଯ୍ୟନ୍ତ ସିସିଟିଭି କ୍ୟାମେରା ଫୁଟେଜକୁ ପୋଲିସ ସଂଗ୍ରହ କରୁଛି ।
ହତ୍ୟା ପଛରେ ଚିତରଞ୍ଜନଙ୍କ ଘନିଷ୍ଠ ବନ୍ଧୁ ଜଗନ୍ନାଥ ଷଡଙ୍ଗୀର ହାତ ରହିଥିବା ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତାକୁ ଅଟକ ରଖି ପଚରା ଉଚରା କରାଯାଉଛି । ସଂଜୟଙ୍କ ପିଏସଓଙ୍କ ସହ ଅନ୍ୟ ୪ ଜଣଙ୍କୁ ମଧ୍ୟ ପଚରା ଉଚରା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ । ଜଗନ୍ନାଥର ବୟାନରେ ତାଳମେଳ ରହୁନଥିବା ଜଣାପଡିଛି । ଅତ୍ୟଧିକ ନିଶାରେ ଥିବାରୁ ସେ କିଛି ଜାଣିପାରି ନଥିବା କହୁଛି । ପୋଲିସ ମାମଲାକୁ ଗୁରୁତର ସହ ନେଇ ୨ଟି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ୍ ଗଠନ କରିଛି । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ସଦର ଏସଡିପିଓଙ୍କୁ ନେଇ ଏକ ଟିମ ଗଠନ ହୋଇଥିବାବେଳେ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କୁ ନେଇ ଦ୍ୱିତୀୟ ଟିମ୍ ଗଠନ କରାଯାଇଥିବା ସୂଚନା ମିଳିଛି ।
ଏସବୁ ଭିତରେ ଚିତରଞ୍ଜନଙ୍କ ବାପା, ବଡବାପା , ଭାଇ ଓ ଭଉଣୀଙ୍କ ସହ ଯାଇ ଏସପିଙ୍କୁ ଭେଟିଛନ୍ତି ସଞ୍ଜୟ । ଘଟଣାର ବିଧିବଦ୍ଧ ତଦନ୍ତ କରି ହତ୍ୟାକାଣ୍ଡର ସମ୍ପୃକ୍ତି ଥିବା ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ନିବେଦନ କରିଛନ୍ତି । ଟଙ୍କା ପାଇଁ ଚିତରଞ୍ଜନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମାମଲାରେ ବିବାଦ ଘେରକୁ ଆସିଥିବା ସଞ୍ଜୟ ଦାସବର୍ମା କାହିଁକି ନିଜଆଡୁ ଚିତରଞ୍ଜନଙ୍କ ପରିବାର ସଦସ୍ୟଙ୍କୁ ନେଇ ଏସପିଙ୍କୁ ଭେଟିଲେ ତାହା ରହସ୍ୟ ବଢ଼ାଉଛି । ତେବେ ସଞ୍ଜୟଙ୍କ ସହ ବାପା ଏସପିଙ୍କୁ ଭେଟିବାବେଳେ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଚିତରଞ୍ଜନଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିନଥିଲା । କିମ୍ବା ତାଙ୍କ ମା ବି ନଥିଲେ । ସେମାନେ ଚିତରଞ୍ଜନଙ୍କ ମୃତ୍ୟୁ ପଛରେ ସଞ୍ଜୟ ଦାସବର୍ମାଙ୍କ ହାତ ଥିବା ସିଧାସଳଖ ଅଭିଯୋଗ ଆଣିଥିଲେ । କାରଣ ମୃତଦେହ ମିଳିବା ପରେ ଚିତରଞ୍ଜନଙ୍କ ପତ୍ନୀଙ୍କ ବୟାନ ସମ୍ପୂର୍ଣ୍ଣ ମାମଲାକୁ ଅଧିକ ରହସ୍ୟମୟ କରିଛି ।