ନିର୍ଦ୍ଦେଶ ଦେଲେ ପୋଲିସ ଡିଜି, କ୍ରାଇମବ୍ରାଞ୍ଚ ହାତକୁ ଆସିଲା କେସ୍ । ଆଦିତ୍ୟ ମୃତ୍ୟୁ ରହସ୍ୟ ଉପରୁ ଉଠିବ ପରଦା!

599

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାସ ହତ୍ୟା ମାମଲାରେ ଗୁମର ଖୋଲିବ କ୍ରାଇମବ୍ରାଞ୍ଚ । ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ଘଟଣାର ରହସ୍ୟ ଉପରୁ ପରଦା ହଟାଇବା ପାଇଁ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଆରମ୍ଭ କରିଦେଇଛି । ଲିଙ୍ଗରାଜ ଷ୍ଟେସନରେ ମଧ୍ୟ ପହଞ୍ଚି କ୍ରାଇମବ୍ରାଞ୍ଚ ଘଟଣା ସ୍ଥଳରେ ଅନୁସନ୍ଧାନ କରିଛି । ଗତ ଜୁଲାଇ ୭ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ରେଳଧାରଣା କଡରୁ ଆଦିତ୍ୟଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା ।

ପୁଲିସ୍ ଡିଜିଙ୍କ ନିର୍ଦ୍ଦେଶ ଆସିବା କ୍ଷଣି ହିଁ ଅଭିଯାନ ଆରମ୍ଭ କରିଦେଇଛି କ୍ରାଇମବ୍ରାଞ୍ଚ । ପ୍ରାୟ ଏକ ମାସ ଧରି ତଦନ୍ତ କରୁଥିବା ଜିଆରପି ଠାରୁ ତଥ୍ୟ ସଂଗ୍ରହ କରିବା ସହ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଆତ୍ମହତ୍ୟା ନା ହତ୍ୟା? ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଇଏ ହେଉଛି ସେହି ପ୍ରଶ୍ନ, ଯାହାର ଉତ୍ତର ଏବେ ବି ଖୋଜା ଚାଲିଛି । ଆଉ ମାମଲା କ୍ରାଇମ୍ବ୍ରାଞ୍ଚକୁ ଯିବା ପରେ ପୁଣି ଥରେ ଗୋଟିଏ ବିନ୍ଦୁରୁ ଆଉ ଗୋଟିଏ ବିନ୍ଦୁକୁ ଯୋଡ଼ିବାକୁ ଉଦ୍ୟମ କରାଯିବ । ବିଦ୍ୟାଶ୍ରୀ (ଆଦିତ୍ୟଙ୍କ ପତ୍ନୀ), ପପ୍ପୁ(ଆଦିତ୍ୟଙ୍କ ସାଙ୍ଗ), ବିକାଶ(ଆଦିତ୍ୟଙ୍କ ସାଙ୍ଗ), ପ୍ରୀତମ(ଟ୍ରଷ୍ଟ ମେମ୍ବର) ଏବଂ ବିଶ୍ୱ (ଟ୍ରଷ୍ଟ ମେମ୍ବର) । ଏହି ସବୁ ନାଁର ଚାରିପାଖରେ ଘୁରି ବୁଲୁଥିବା, ସବୁ ରହସ୍ୟ ଖୋଲିବ କ୍ରାଇମବ୍ରାଞ୍ଚ ।

ମାନବପ୍ରେମୀଙ୍କ ମୃତ୍ୟୁର ରହସ୍ୟ ସହିତ ଏମିତି ଅନେକ ଦିଗ ରହିଛି ଯାହା ଉପରୁ ପରଦା ଉଠାଇବାକୁ ଉଦ୍ୟମ କରିବ କ୍ରାଇମବ୍ରାଞ୍ଚ ।

-ମୃତ୍ୟୁ ପଛରେ ରହିଛି କି ଟଙ୍କା କାରବାର?

-ମୃତ୍ୟୁ ପଛରେ ସମାଜସେବାର ଲିଙ୍କ୍ ରହିଛି କି ?

-ମୃତ୍ୟୁ ପଛରେ ବନ୍ଧୁଙ୍କ ଭୂମିକା କ’ଣ?

-ବିଦ୍ୟାଶ୍ରୀ-ଆଦିତ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା କି?

-ଶେଷଥର ପାଇଁ କାହା ସହିତ କଥା ହୋଇଥିଲେ ଆଦିତ୍ୟ?

-ଆଦିତ୍ୟ ଡାଏରୀର ସତ ଖୋଜିବ କି କ୍ରାଇମବ୍ରାଞ୍ଚ?

-୭୦ ହଜାରର ସତ ପଛରେ କିଛି ରହସ୍ୟ ରହିଛି କି ?

ପୋଷ୍ଟମର୍ଟମ ରିପୋର୍ଟ, କୋରି ରିପୋର୍ଟ ଏବଂ ସୁଇସାଇଡ ନୋଟ । ଏହି ୩ଟି ମାଧ୍ୟମରେ ମୃତ୍ୟୁର ଚେରକୁ ପହଞ୍ଚିବା ଉଦ୍ୟମ କରିବାକୁ ଲକ୍ଷ୍ୟ ରଖିଛି କ୍ରାଇମବ୍ରାଞ୍ଚ  । ଆଉ ଯାହାର ଅଭିଯାନ ଆରମ୍ଭ ହୋଇସାରିଛି ।