କନକ ବ୍ୟୁରୋ: ହାତୀ ମୃତ୍ୟୁ ଘଟଣାର ହେବ କ୍ରାଇମବ୍ରାଂଚ ତଦନ୍ତ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସାତଟି ହାତୀଙ୍କ ଜୀବନ ଯିବା ଘଟଣାକୁ ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବଂ ଏହି ଘଟଣାରେ କ୍ରାଇମବ୍ରାଂଚ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଢେଙ୍କାନାଳ କମଳାଙ୍ଗଠାରେ ଗତକାଲି ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ୭ଟି ହାତୀର ମୃତ୍ୟୁ ଘଟିଥିଲା । କିଭଳି ପରିସ୍ଥିତିରେ ହାତୀଙ୍କର ମୃତ୍ୟୁ ଘଟିଛି ଏବଂ ଏଥିପାଇଁ ପ୍ରକୃତ ଦୋଷୀ କିଏ ? ତାର ପୁଂଖାନୁପୁଂଖ ଯାଂଚ କରିବ କ୍ରାଇମବ୍ରାଂଚ ଦଳ ।
ଅନ୍ୟପଟେ ବନ ବିଭାଗ ମଧ୍ୟ ଆକ୍ସନମୋଡକୁ ଆସିଛି । ଏହି ଘଟଣାରେ ତିନି ଅଧିକାରୀଙ୍କୁ ନିଲମ୍ବିତ କରିଛି ବନବିଭାଗ । କାର୍ୟ୍ୟରେ ଅବହେଳା ପାଇଁ ଢେଙ୍କାନାଳ ରେଞ୍ଜ ଅଫିସର ପ୍ରସନ୍ନ ବିଶ୍ୱାଳ, ମେରାମଣ୍ଡଳି ସେସନ ଫରେଷ୍ଟର ପ୍ରଭାକର ରଣା, ଫରେଷ୍ଟଗାର୍ଡ ଗିରିଶ ଚନ୍ଦ୍ର ଦେହୁରୀଙ୍କୁ ନିଲମ୍ବିତ କରାଯାଇଛି । ଏହାସହ ବିଦ୍ୟୁତ୍ ବିଭାଗ ତଥା ସେସୁ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ପିସିସିଏଫ୍ ୱାଇଲ୍ଡ ଲାଇଫ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ସେସୁ ଅଧିକାରୀଙ୍କ ବିରୋଧରେ ଶକ୍ତି ବିଭାଗ ପଦକ୍ଷେପ ନେଉ ବୋଲି ଉକ୍ତ ଚିଠିରେ ଦର୍ଶାଯାଇଛି।
ଉଲ୍ଲେଖ ଥାଉ କି, ଶନିବାର ସକାଳ ନହେଉଣୁ ଆଖି ବୁଜି ସାରିଥିଲେ ସାତ ସାତଟି ହାତୀ । କିଛି କ୍ଷଣ ମଧ୍ୟରେ ଚାଲିଯାଇଥିଲା ବିରାଟକାୟ ହାତୀଙ୍କ ଜୀବନ । ଯାହା ମଧ୍ୟରେ ଥିଲେ ୫ ଟି ମାଇ ହାତୀ, ଗୋଟିଏ ଛୁଆ ଓ ଗୋଟିଏ ଦନ୍ତା ହାତୀ । କେନାଲ ଓ ପାଖ ବିଲରେ ନିସ୍ତେଜ ହୋଇ ପଡି ରହିଥିଲା ହାତୀଙ୍କ ମୃତଦେହ । ଶନିବାର ଭୋର୍ ପ୍ରାୟ ୪ଟା । ଢେଙ୍କାନାଳର କଂଟାବଣିଆ ଅଂଚଳରେ ୨୧ଟି ହାତୀ ଥିବା ଏକ ହାତୀପଲ ସ୍ଥାନୀୟ ଅଂଚଳରେ ଘୁରି ବୁଲୁଥିଲେ । ଶୁକ୍ରବାର ରାତିରେ ହାତୀ ପଲ ନାଳ ପାଖ ଧାନ ବିଲକୁ ପଶିଥିଲେ ଖାଦ୍ୟ ପାଇଁ । ହେଲେ ନାଳ ହୁଡା ଉପରେ ଅଳ୍ପ ଉଚ୍ଚରେ ଯାଇଥିବା ଇଲେଭେନ୍ କେଭି ବିଦ୍ୟୁତ୍ ତାର ହାତୀପଲକୁ ଜୋରଦାର ଝଟକା ଦେଇଥିଲା । ଘଟଣାସ୍ଥଳରେ ଟଳି ପଡିଥିଲେ ସାତ ସାତଟି ହାତୀ ।