ବିଦ୍ୟାଭାରତୀଙ୍କ ବିରୋଧରେ ଫାଇଲ ହେଲା ଚାର୍ଜସିଟ : ଅବହେଳା ପାଇଁ ହୋଇଥିଲା ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ

କ୍ରାଇମବ୍ରାଞ୍ଚ ଏଡିଜି କହିଲେ, ସ୍ୱାମୀଙ୍କୁ ବଂଚାଇବା ପାଇଁ ନେଇନାହାନ୍ତି ଉଚିତ ପଦକ୍ଷେପ

191

କନକ ବ୍ୟୁରୋ :ଏଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଦାଖଲ ହୋଇଛି ଚାର୍ଜସିଟ । ଗତକାଲି ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଂଚ । ଏସିଏଫ ସୌମ୍ୟ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ ଡିଏସପି ଜ୍ଞାନରଂଜନ ମିଶ୍ର ପାରଳାଖେମୁଣ୍ଡି କୋର୍ଟରେ ପହଂଚି ଚାର୍ଜସିଟ ଦାଖଲ କରିଛନ୍ତି । ଏହି ଘଟଣାରେ ୮୦ଜଣଙ୍କୁ ଜେରା କରାଯାଇଛି । ଜେରା କରାଯାଇଥିବା ସମସ୍ତ ବ୍ୟକ୍ତିଙ୍କ କଲ ରେକର୍ଡ ସହ ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ମିଛଧରା ପରୀକ୍ଷା ରିପୋର୍ଟ କୋର୍ଟରେ ଦାଖଲ କରିଛନ୍ତି ତଦନ୍ତାକାରୀ ଅଧିକାରୀ ।

ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ବେଳେ ସେଠାରେ ଉପସ୍ଥିତ ଥିବା ପତ୍ନୀ ବିଦ୍ୟାଭାରତୀ ତାଙ୍କୁ ବଂଚାଇବାକୁ ଉଚିତ ପଦକ୍ଷେପ ନେଇନଥିବା ତଦନ୍ତରୁ ଜଣାପଡିଥିବା କହିଥିଲେ କ୍ରାଇମବ୍ରାଂଚ ଏଡିଜି । ସଂଜୀବ ପଣ୍ଡା କହିଥିଲେ, ସୌମ୍ୟଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା ତେବେ ତାଂକୁ ବଂଚାଇବା ଦିଗରେ ପତ୍ନୀ ବିଦ୍ୟାଭାରତୀଙ୍କ ଅବହେଳା ସାମ୍ନାକୁ ଆସିଥିଲା । ଏଥିପାଇଁ ତାଙ୍କ ବିରୋଧରେ ଧାରା ୩୦୪-ଏ, ଅର୍ଥାତ ଅବହେଳା ଯୋଗୁଁ ମୃତ୍ୟୁ ଏବଂ ଧାରା ୨୮୫, ଅର୍ଥାତ ନିଆଁ ଲାଗିଥିବା ବେଳେ ଅବହେଳା ପ୍ରଦର୍ଶନ ଚାର୍ଜସିଟ ଦାଖଲ କରାଯାଇଛି । ଏସବୁ ଦଫାରେ ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ପ୍ରାବଧାନ ରହିଛି ।