ନାରୀ ନିର୍ଯାତନା : ଏନ୍‌ସିଆର୍‌ବି ସାଂଘାତିକ୍ ରିପୋର୍ଟ, ଶୀର୍ଷରେ ରହିଛି ଓଡ଼ିଶା

182

କନକ ବ୍ୟୁରୋ : ୨୦୧୯ ତୁଳନାରେ ୨୦୨୦ରେ ଦେଶରେ ନାରୀ ନିର୍ଯାତନା ହାର ୮.୩% ହ୍ରାସ ପାଇଛି । କିନ୍ତୁ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଏହା ବୃଦ୍ଧି ପାଇଥିବା କଥା ମଙ୍ଗଳବାର ଦିନ ‘ନ୍ୟାସ୍‌ନାଲ୍‌ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ’ ରିଲିଜ୍ କରିଥିବା ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି । ‘ଏନ୍‌ସିଆର୍‌ବି’ ତଥ୍ୟ ଅନୁସାରେ, ନାରୀ ନିର୍ଯାତନା କ୍ଷେତ୍ରରେ ବର୍ଷ ୨୦୨୦ରେ ଓଡ଼ିଶା ଶୀର୍ଷରେ ରହିଛି । ୨୦୨୦ରେ ଓଡ଼ିଶା ପୁଲିସ ନାରୀମାନଙ୍କ ବିରୋଧରେ ହୋଇଥିବା ଅତ୍ୟାଚାର ସମ୍ବନ୍ଧୀୟ ୨୫,୪୮୯ ମାମଲା ରୁଜୁ କରିଥିବା ବେଳେ ବର୍ଷ ୨୦୧୯ରେ ରାଜ୍ୟରେ ପଞ୍ଜିକୃତ ନାରୀ ନିର୍ଯାତନା ମାମଲା ସଂଖ୍ୟା ଥିଲା ୨୩,୧୮୩ ।

ରିପୋର୍ଟ ଅନୁସାରେ, ରାଜ୍ୟରେ ‘ଇଜ୍ଜତ୍‌ ନେବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ନାରୀମାନଙ୍କ ଉପରେ ଆକ୍ରମଣ ମାମଲା’ ସଂଖ୍ୟା ହେଉଛି ୧୨,୬୦୬ । ଅର୍ଥାତ୍‌ ୨୦୨୦ ବର୍ଷରେ ଓଡ଼ିଶା ରାଜ୍ୟରେ ମହିଳାମାନଙ୍କ ଉପରେ ହୋଇଥିବା ଆକ୍ରମଣ ହାର ୫୫.୮%। ଏହା ବ୍ୟତିରେକେ, ୨୦୨୦ରେ ମହିଳାମାନଙ୍କୁ ଉଲଗ୍ନ କରାଯାଇଥିବା ମାମଲା ସଂଖ୍ୟା ୩,୨୩୨ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ନାରୀମାନଙ୍କ ଇଜ୍ଜତ୍‌ହାନି ଏବଂ ନାରୀ ଅପହରଣ ମାମଲାରେ ମଧ୍ୟ ବର୍ଷ ୨୦୨୦ରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ରହିଛି ।

ସେହିପରି, ରାଜ୍ୟରେ ୫୨୬ଟି ମାମଲା ନାରୀମାନଙ୍କ ପ୍ରତି କରାଯାଇଥିବା ସାଇବର୍ ଅପରାଧ ସହ ସମ୍ପୃକ୍ତ। ଏହାଛଡ଼ା, ୨୯୨ଟି ଯୌନଶୋଷଣ ସାମଗ୍ରୀ ପ୍ରକାଶନ କରି ଓଡ଼ିଶା ଦେଶର ଦ୍ବିତୀୟ ସ୍ଥାନରେ ରହିଛି। ନାରୀମାନଙ୍କୁ ବ୍ଲାକ୍‌ମେଲ୍‌ କରିବା, ମାନହାନି କରିବା ଓ ମର୍ଫିଙ୍ଗ୍ କରିବା କ୍ଷେତ୍ରରେ ବି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ଆଗୁଆ ରହିଛି । ବର୍ଷ ୨୦୨୦ରେ ଏଭଳି ସମୁଦାୟ ୨୩୪ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ବର୍ଷ ୨୦୧୯ରେ ଦେଶରେ ସମୁଦାୟ ୩,୭୧,୫୦୩ ନାରୀ ନିର୍ଯାତନା ମାମଲା ପଞ୍ଜିକୃତ ହୋଇଥିବା ବେଳେ ବର୍ଷ ୨୦୨୦ରେ ୪,୦୫,୩୨୬ ମାମଲା ପଞ୍ଜିକୃତ ହୋଇଛି। ଅର୍ଥାତ୍‌ ଦେଶରେ ନାରୀ ନିର୍ଯାତନା ହାର ୮.୩% ହ୍ରାସ ପାଇଛି ।

ଅଧିକାଂଶ ନାରୀ ନିର୍ଯାତନା ମାମଲା ‘ସ୍ବାମୀ କିଂବା ତାଙ୍କ ଆତ୍ମୀୟଙ୍କ ନିଷ୍ଠୁରତା’ (୩୦.୦%) ବୋଲି ପଞ୍ଜିକୃତ ହୋଇଛି । ଏହା ତଳକୁ ରହିଛି ‘ଇଜ୍ଜତ୍‌ ନେବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ନାରୀମାନଙ୍କ ଉପରେ ଆକ୍ରମଣ ମାମଲା (୨୩.୦%) । ସେହିପରି, ‘ନାରୀ ଅପହରଣ ମାମଲା ୧୬.୮% ଥିବା ବେଳେ ୭.୫% ରହିଛି ଦୁଷ୍କର୍ମ ମାମଲା । ଉପରୋକ୍ତସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ୨୦୧୯ ତୁଳନାରେ ୨୦୨୦ରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ଅତ୍ୟାଚାର ବୃଦ୍ଧି ପାଇଛି ।

ଅପରପକ୍ଷେ, ୨୦୧୯ରେ ଦିଲ୍ଲୀରେ ୧୩,୩୯୫ ନାରୀ ନିର୍ଯାତନା ମାମଲା ରେକର୍ଡ କରାଯାଇଥିବା ବେଳେ ୨୦୨୦ରେ ୧୦,୦୯୩ ମାମଲା ରେକର୍ଡ ହୋଇଛି । ଦେଶରେ ଦ୍ରୁତ ନାରୀ ନିର୍ଯାତନା ହ୍ରାସ ପାଇଥିବା ରାଜ୍ୟମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶ ମଧ୍ୟ ସ୍ଥାନ ପାଇଛି। ସେଠାରେ ୨୦୧୯ରେ ୫୯,୮୫୩ଟି ନାରୀ ନିର୍ଯାତନା ମାମଲା ହୋଇଥିବା ବେଳେ ୨୦୨୦ରେ ୪୯,୩୮୫ଟି ମାମଲା ହୋଇଛି ।