କ୍ରିକେଟର ବିରାଟ କୋହଲୀଙ୍କ ଭିଡିଓକୁ ନେଇ ଉତରାଖଣ୍ଡରେ ହଲଚଲ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କୋର୍ଟ ମାଗିଲେ ଜବାବ

1,252

କନକ ବ୍ୟୁରୋ : କ୍ରିକେଟର ବିରାଟ କୋହଲିଙ୍କ ଗୋଟିଏ ଭିଡିଓ ଭାଇରାଲ୍ ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୋଟିସ୍ ଜାରି କଲେ ଉତରାଖଣ୍ଡ ହାଇକୋର୍ଟ । କୋହଲି ଏକ ଭିଡ଼ିଓରେ କିଛି ପିଲାଙ୍କ ସହ ଆଲୋଚନା କରୁଛନ୍ତି । ଏଥିରେ ପିଲାମାନେ କହୁଛନ୍ତି ସେମାନଙ୍କ ପାଇଁ ଆବଶ୍ୟକ ଖେଳ ପଡ଼ିଆ ନାହିଁ । ସେମାନେ କ୍ରୀଡ଼ା ପାଇଁ ଉପଯୁକ୍ତ ଭିତିଭୂମି ପାଉନାହାନ୍ତି । କୋହଲିଙ୍କ ଏହି ଭିଡିଓ ଭାଇରାଲ୍ ପରେ ଉତରାଖଣ୍ଡ ହାଇକୋର୍ଟ ଶୁଣାଣି କରିଛନ୍ତି । ଏହି ମାମଲାରେ ବିଚାରପତି ବିପିନ୍ ସାଂଘି ଓ ବିଚାରପତି ରାକେଶ ଥାପଲିଆଲ୍ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜବାବ ଦେବା ପାଇଁ ନୋଟିସ୍ ଜାରି କରିଛନ୍ତି । ଉତରାଖଣ୍ଡ କ୍ରୀଡ଼ା ସଚିବ, ସହରୀ ବିକାଶ ସଚିବ ଓ ଭାରତ ସରକାରଙ୍କ କ୍ରୀଡ଼ା ସଚିବଙ୍କ ସମେତ ଅନ୍ୟମାନଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ଉତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତ । କିଛି ପିଲାମାନେ ମଧ୍ୟ ଏହି ମାମଲାରେ ମୁଖ୍ୟ ବିଚାରପତିଙ୍କୁ ବି ଚିଠି ଲେଖିଛନ୍ତି । ଅଦାଲତଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି କାହିଁକି ପିଲାମାନଙ୍କ ପାଇଁ ଆବଶ୍ୟକ ଖେଳ ପଡ଼ିଆ ନାହିଁ । ପିଲାମାନଙ୍କ କ୍ରୀଡ଼ାର ଉନ୍ନତି ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି? କ୍ରୀଡ଼ା ହିଁ ଶାରୀରିକ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । କିିନ୍ତୁ ଏବେ ପିଲାମାନେ ଖେଳ ଛାଡ଼ି କମ୍ପ୍ୟୁଟର, ମୋବାଇଲ୍ ଓ ଲାପଟପରେ ସମୟ କାଟୁଛନ୍ତି । ଯାହାକି ପିଲାଙ୍କ ଶାରୀରିକ ଓ ମାନସିକ ଗତିବିଧିକୁ ପ୍ରଭାବିତ କରୁଛି । ମାମଲାର ପରବର୍ତୀ ଶୁଣାଣି ଅକ୍ଟୋବର ୯ ତାରିଖରେ ହେବ ।