କନକ ବ୍ୟୁରୋ : ଭାରତୀୟ ଟିମର ପୂର୍ବତନ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କ ନାମରେ କେରଳରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗରେ ଉଲ୍ଲେଖ ରହିଛି କି, ଏସ୍ ଶ୍ରୀସନ୍ଥ ଓ ଅନ୍ୟ ଦୁଇଜଣ ଏକ କ୍ରିକେଟ ଏକାଡେମୀ ଖୋଲିବା ନାମରେ ୧୮.୭୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ।

Advertisment

କେରଳର ଚୁଣ୍ଡାରେ ରହୁଥିବା ଅଭିଯୋଗକାରୀ ଅଭିଯୋଗ କରିଛନ୍ତି କି, ରାଜୀବ କୁମାର ଓ ଭେଙ୍କେଟେସ୍ କିନି ୨୦୧୯ ଏପ୍ରିଲ ୨୫ ତାରିଖରେ ତାଙ୍କ ଠାରୁ ୧୮.୭୦ ଲକ୍ଷ ଟଙ୍କା ନେଇଥିଲେ । ସେମାନେ ପ୍ରତିଶ୍ରୁତି ଦେଇଥିଲେ କି, ଏହି ଟଙ୍କାରେ କର୍ଣ୍ଣାଟକର କୋଲ୍ଲୁର ଜିଲ୍ଲାରେ ଏକ କ୍ରିକେଟ ଏକାଡେମୀ ଖୋଲିବେ । ରାଜୀବ ଓ ଭେଙ୍କେଟସଙ୍କ କମ୍ପାନୀରେ ଶ୍ରୀସନ୍ଥଙ୍କର ଭାଗିଦାରୀ ରହିଛି ।
ଅଭିଯୋଗକାରୀ ସରୀଣ ଗୋପାଳନ କହିଛନ୍ତି କି ଏକାଡେମୀରେ ଭାଗିଦାରୀ ହେବାର ସୁଯୋଗ ଓ ଲୋଭରେ ପଡି ସେ ନିବେଶ କରିଥିଲେ । ଏନେଇ ଶ୍ରୀସନ୍ଥ ଓ ଅନ୍ୟ ସାଥୀଙ୍କ ଉପରେ ଆଇପିସିର ଧାରା ୪୨୦ କ୍ରମରେ ମାମଲା ରୁଜୁ ହୋଇଛି ।

ସୂଚନା ଥାଉକି ଏସ୍ ଶ୍ରୀସନ୍ଥ ଟି-୨୦ ବିଶ୍ୱକପ ୨୦୦୭ ଓ ୨୦୧୧ ଏକଦିବସୀୟ ବିଶ୍ୱକପରେ ଭାରତୀୟ ଟିମରେ ସାମିଲ ଥିଲେ । ଶ୍ରୀସନ୍ଥ ଭାରତ ପାଇଁ ୨୭ଟି ଟେଷ୍ଟ, ୫୩ଟି ଏକଦିବସୀୟ ଓ ୧୦ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହାସହ ସେ ଆଇପିଏଲରେ ମଧ୍ୟ ୪୪ ଟି ମ୍ୟାଚ ଖେଳି ୪୦ଟି ୱିକେଟ୍ ହାସଲ କରିଥିଲେ ।

୨୦୧୩ ମେ’ମାସରେ ମ୍ୟାଚ ଫିକ୍ସିଂ ମାମଲାରେ ରାଜସ୍ଥାନ ରୟାଲସର ଦୁଇଜଣ ଖେଳାଳୀ ଅଜିତ୍ ଚାଣ୍ଡିଲା ଓ ଅଙ୍କିତ ଛବନକୁ ପୋଲିସ ଗିରଫ କରିଥିଲା । ଏହାପରେ ବିସିସିଆଇ ଏହି ୩ ଖେଳାଳୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହି ମାମଲାରେ ୨୦୧୫ ମସିହାରେ ଏକ ସ୍ୱତନ୍ତ୍ର ଅଦାଲତ ଶ୍ରୀସନ୍ଥଙ୍କୁ ଦୋଷମୁକ୍ତ କରିଥିଲା ।