କନକ ବ୍ୟୁରୋ:  କ୍ରିକେଟରେ କମାଲ କରିବା ପରେ ଏବେ ମହେନ୍ଦ୍ର ସିଂ ଧୋନୀଙ୍କ ନଜର ଏବେ କୁକୁଡା ଚାଷ ଉପରେ । କଡକନାଥ ପ୍ରଜାତିର ଖାସ୍ କୁକୁଡା ଚାଷ କରୁଛନ୍ତି ଧୋନୀ  । ମଧ୍ୟପ୍ରଦେଶର ଝାବୁଆ ଇଲାକାରେ ମିଳୁଥିବା ଖାସ୍ ପ୍ରଜାତିର ଏହି କୁକୁଡା । ନିଜ ହୋମ ଟାଉନ୍ ରାଞ୍ଚିରେ ଏହାର ଚାଷ କରିବାକୁ ଝାବୁଆର ଜଣେ ଯୁବ ଚାଷୀଙ୍କୁ ୨୦୦୦ କଡକନାଥ କୁକୁଡା ଚିଆଁ ଅର୍ଡର ଦେବା ପରେ ତାଙ୍କ ଫାର୍ମ ହାଉସରେ ପହଞ୍ଚାଯାଇଛି ୨୦୦୦ କଡକନାଥ କୁକୁଡା ଚିଆଁ ।

Advertisment

ଏହି କୁକୁଡାକୁ ଦେଖନ୍ତୁ  । ନାଁ କଡକନାଥ । ମଧ୍ୟପ୍ରଦେଶର ଆଦିବାସୀ ଅଧ୍ୟୁଷିତ ଝାବୁଆ ଇଲାକାରେ ମିଳିଥାଏ ଏହି ବିଶେଷ ପ୍ରଜାତିର କୁକୁଡା । କୁକୁଡାଙ୍କ ମଧ୍ୟରେ ଖାସ୍ । ଏହାର ଭାରି ଡିମାଣ୍ଡ ବି ରହିଛି । ଏତେ ଖାସ୍ ଯେ, ଏହା ଉପରେ ଟିମ ଇଣ୍ଡିଆନ୍ କ୍ରିକେଟର ଟିମର ପୂର୍ବ କ୍ୟାପ୍ଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ ମନ ଆସିଯାଇଛି । କ୍ରିକେଟରୁ ସନ୍ନ୍ୟାସ ପରେ ଧୋନୀ ରାଞ୍ଚିରେ ଜୈବିକ ଚାଷ ସହ କଡକନାଥ ଫାର୍ମିଙ୍ଗ କରିବାକୁ ମନ ବଳାଇଛନ୍ତି  ।

 କଡକନାଥ କୁକୁଡାର ଗୋଡ ଠାରୁ ମୁଣ୍ଡ ସବୁ କଳା । ଏପରିକି ଏହାର ରକ୍ତର ରଙ୍ଗ ମଧ୍ୟ କଳା । ଏହାର ଅଣ୍ଡା ଓ ମାଂସର ଦାମୀ ଅନ୍ୟ କୁକୁଡାଙ୍କ ଠାରୁ ଯଥେଷ୍ଟ ଅଧିକ । ଶୁକ୍ରବାର ଏକ ଗାଡିରେ ୨୦୦୦ କୁକୁଡା ଧୋନିଙ୍କ ଭିଟାମାଟି ରାଞ୍ଚି ଫାର୍ମ ହାଉସକୁ ପଠାଯାଇଛି । ଧୋନୀଙ୍କ ଭଳି ଜଣେ କ୍ରିିକେଟର ଏହି ପ୍ରଜାତିର କୁକୁଡା ମଗାଇବା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

 ଯେକୌଣସି ବ୍ୟକ୍ତି ଅନଲାଇନ୍ ମାଧ୍ୟମରେ ଏହି କୁକୁଡା ଅର୍ଡର କରିପାରିବେ । ଏହି କୁକୁଡାର ଚାହିଦା ଦେଖି ୨୦୧୮ରେ କଡକନାଥ ଆପ୍ ଲଞ୍ଚ କରିଥିଲେ ମଧ୍ୟପ୍ରଦେଶ ସରକାର । ଏହି ଆପ୍ ମାଧ୍ୟମରେ ଜଣେ ବ୍ୟକ୍ତି ଯେକୌଣସି ସ୍ଥାନରୁ ଅନଲାଇନରେ ଅର୍ଡର କରିପାରିବେ  ।

କଡକନାଥ କୁକୁଡା ପୁରା କଳା ରଙ୍ଗର ଏହାର ରକ୍ତ, ମାଂସ ମଧ୍ୟ କଳା । ଏହାର ମାସଂ ଶରୀର ପାଇଁ ବେଶ୍ ଉପକାରୀ । ଏଥିରେ ଆଇରନ୍ ଓ ପ୍ରୋଟିନ୍ ପ୍ରଚୂର ପରିମାଣରେ ଥାଏ । କିନ୍ତୁ ଏହାର ମାଂସରେ ଆଦୌ ଫ୍ୟାଟ୍ ନଥିବାରୁ  ଏହା ରୋଗୀଙ୍କ ପାଇଁ ଖାଇବା ବିପଦମୁକ୍ତ । ବିଶେଷ  କରି ହାର୍ଟ ଓ ଡାଇବେଟିଜ୍ ରୋଗୀଙ୍କ ପାଇଁ  ଏହି କୁକୁଡା ବେଶ୍ ଲାଭଦାୟୀ ।