ଆଜିଠୁ କ୍ରିକେଟ ମହାକୁମ୍ଭ : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ

262

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି କ୍ରିକେଟ ମହାକୁମ୍ଭ । ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ଆଜିଠାରୁ ଆରମ୍ଭ ହେବ । ଏଥର ଭାରତ ଏକାକି ବିଶ୍ୱକପର ଆୟୋଜନ କରୁଥିଲେ ମଧ୍ୟ ଉଦଘାଟନୀ ଉତ୍ସବ ପାଳନ ହେବନାହିଁ । ଉଦଘାଟନୀ ମ୍ୟାଚରେ ଗତଥର ଫାଇନାଲକୁ ଯାଇଥିବା ଦୁଇ ଟିମ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । କିନ୍ତୁ ମ୍ୟାଚ ପୂର୍ବରୁ କୌଣସି ଉଦଘାଟନୀ ଉତ୍ସବ ଅବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ ନାହିଁ । ଆଇପିଏଲରେ ଉଦଘାଟନୀ ଉତ୍ସବରେ କୋଟି କୋଟି ଟଙ୍କା ବିସିସିଆଇ ବ୍ୟୟ କରୁଥିବା ବେଳେ ବିଶ୍ୱକପରେ କାହିଁକି ଉଦଘାଟନୀ ଉତ୍ସବ ପାଳିବ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।

ଉଦଘାଟନୀ ଉତ୍ସବ ପାଳନ ହେଉନଥିବା ବେଳେ ଆନୁଷ୍ଠାନିକ ଭାବେ ସଚିନ ତେନ୍ଦୁଲକର ବିଶ୍ୱକପ ଟ୍ରଫିର ଉଦଘାଟନ କରିବେ । ମ୍ୟାଚ୍ ପୂର୍ବରୁ ବିଶ୍ୱକପ୍ ଟ୍ରଫି ସହ ପଡ଼ିଆକୁ ଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ଆଇସିସିର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ ହୋଇଥିବା ସଚିନ୍ ତେନ୍ଦୁଲକର । ସେପଟ ପ୍ରଥମ ମ୍ୟାଚ ପାଇଁ ଦୁଇ ଦେଶ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଟିମ ଅହମ୍ମଦାବାଦରେ ପହଂଚି ସାରିଛି । ନ୍ୟୁଜିଲାଣ୍ଡ ତୁଳନାରେ ଇଂଲଣ୍ଡର ପଲା ଭାରି ରହିଥିଲେ ବି ଉଦଘାଟନୀ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।

ଗତ ୪୮ ବର୍ଷର ବିଶ୍ବକପ୍‌ ଇତିହାସରେ ଭାରତ ପ୍ରଥମ ଥର ପାଇଁ ଏକକ ଆୟୋଜକ ହୋଇଛି । ଏଥିପୂର୍ବରୁ ୧୯୮୭, ୧୯୯୬ ଓ ୨୦୧୧ରେ ପଡ଼ୋଶୀ ଦେଶମାନଙ୍କୁ ନେଇ ମିଳିତ ଭାବେ ଭାରତ ବିଶ୍ବକପ୍‌ ଆୟୋଜନ କରିଥିଲା । ଚଳିତ ସଂସ୍କରଣରେ ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ପାକିସ୍ତାନ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ନେଦରଲାଣ୍ଡ୍ସ ଓ ଆଫଗାନିସ୍ତାନ ଅଂଶଗ୍ରହଣ କରୁଛନ୍ତି । ରାଉଣ୍ଡ ରବିନ ପଦ୍ଧତିରେ ଲିଗ୍‌ ପର୍ଯ୍ୟାୟ ଖେଳାଯିବ । ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ୪୫ଟି ଲିଗ୍‌ ମ୍ୟାଚ୍‌ ଖେଳାଯିବ। ନଭେମ୍ବର ୧୫ ତାରିଖରେ ମୁମ୍ବାଇରେ ପ୍ରଥମ ସେମିଫାଇନାଲ୍‌ ଓ ୧୬ ତାରିଖରେ କୋଲକାତାରେ ଦ୍ବିତୀୟ ସେମିଫାଇନାଲ୍‌ ଅନୁଷ୍ଠିତ ହେବ । ନଭେମ୍ବର ୧୯ ତାରିଖରେ ଅହମଦାବାଦରେ ଫାଇନାଲ୍‌ ଖେଳାଯିବ । ଏହି ତିନି ସ୍ଥାନ ସହିତ ବେଙ୍ଗାଲୁରୁ, ଚେନ୍ନାଇ, ନୂଆଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, ଲକ୍ଷ୍ନୌ, ପୁଣେରେ ଅନ୍ୟ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ ।