କ୍ରିକେଟ ବିଶ୍ୱକପ୍ ୨୦୨୩ର ଚାମ୍ପିୟନ ହେଲା ଅଷ୍ଟ୍ରେଲିଆ । ଭାରତକୁ ୬ ୱିକେଟରେ ହରାଇ ଷଷ୍ଠ ଥର ପାଇଁ ବିଶ୍ୱବିଜୟୀ । ରୋହିତଙ୍କ ଆଖିରେ ପରାଜୟର ଲୁହ ।

248

କନକ ବ୍ୟୁରୋ: ସଫଳ ହେଲାନି କଙ୍ଗାରୁ ଶିକାର । ଫାଇନାଲ ଫାଇଟ୍ରେ ଫେଲ୍ ମାରିଲା ଭାରତ । ପୁଣିଥରେ ବିଶ୍ୱ ବିଜୟୀ ହେଲା ଅଷ୍ଟ୍ରେଲିଆ । ଷଷ୍ଠ ଥର ପାଇଁ ଦିନିକିଆ ବିଶ୍ୱକପ୍ ହାସଲ କଲା କଙ୍ଗାରୁ ଦଳ । ୨୦ ବର୍ଷ ପରେ ୨୦୦୩ ପରାଜୟର ପ୍ରତିଶୋଧ ପାଇଁ ଭାରତ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ଧୁଳିସାତ ହୋଇ ଯାଇଛି । ଏଥିସହ ତୃତୀୟ ଥର ପାଇଁ ଭାରତର ବିଶ୍ୱକପ୍ ବିଜୟ ସ୍ୱପ୍ନ ଅଧୁରା ରହିଯାଇଛି । ୬ ୱିକେଟ୍ରେ ଟିମ୍ ଇଣ୍ଡିଆକୁ ହରାଇ ଦେଇଛି ଅଷ୍ଟ୍ରେଲିଆ । ନିରାଶ ହୋଇଯାଇଛନ୍ତି ଭାରତର କୋଟି କୋଟି ପ୍ରଶଂସକ । ଯେଉଁ ଦମ୍ରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିଲା ଭାରତ, ଶେଷରେ ତାହା ନୈରାଶ୍ୟଜନକ ଭାବେ ଶେଷ ହୋଇଛି । ୨୪୧ ରନ୍ ଟାର୍ଗେଟକୁ ପିଛା କରିଥିଲା ଅଷ୍ଟ୍ରେଲିଆ । ୪୩ ଓଭରରେ ମାତ୍ର ୪ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଛି କଙ୍ଗାରୁ ଦଳ । ଚଳିତ ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା, ତାହା ଫଳ ଭୋଗିଛି ରୋହିତ ବାହିନୀ । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ, ସବୁ ବିଭାଗରେ ଭାରତ ଠାରୁ ଉନ୍ନତମାନର ଖେଳ ପ୍ରଦର୍ଶନ କରିଥିଲା ପ୍ୟାଟ୍ କମିନ୍ସଙ୍କ ଦଳ । ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିବା ପରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଷ୍ଟ୍ରେଲିଆର ଦଳୀୟ ସ୍କୋର ୪୭ ରନ୍ ଥିବା ବେଳେ ୩ ୱିକେଟ୍ ହରାଇଥିଲା । ଯଶପ୍ରୀତ ବୁମରା ୨ଟି ୱିକେଟ୍ ଓ ମହମ୍ମଦ ସାମି ଗୋଟିଏ ୱିକେଟ୍ ନେବା ପରେ ବ୍ୟାକ୍ଫୁଟକୁ ଚାଲି ଯାଇଥିଲା କଙ୍ଗାରୁ ଦଳ । କିନ୍ତୁ ଟ୍ରାଭିସ୍ ହେଡ୍ ଓ ମାର୍ନସ୍ ଲାବୁସେନ୍ଙ୍କ ଯୋଡି ପାଳି ସମ୍ଭାଳିବା ସହ ଦଳକୁ ବିଜୟୀ କରାଇଥିଲେ । ଏକାକୀ ଟ୍ରାଭିସ୍ ହେଡ୍, ଭାରତର ସବୁ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ । ବିଶ୍ୱସ୍ତରୀୟ ବୋଲର ବୁମରା, ସାମି ଓ ସିରାଜ, ଏହି ଦୁଇ ବ୍ୟାଟରଙ୍କୁ ଆଉଟ କରିପାରିନଥିଲେ । ଟ୍ରାଭିସ ହେଡ ଲଢୁଆ ଶତକୀୟ ପାଳି ଖେଳି ଭାରତଠୁ ବିଜୟ ଛଡାଇ ନେଇଛନ୍ତି । ହେଡ ଓ ଲାବୁସେନଙ୍କ ଧୈର୍ଯ୍ୟପୂର୍ଣ୍ଣ ଓ ଚମକ୍ରାର ବ୍ୟାଟିଂ କରି ଦଳକୁ ବିଜୟୀ କରାଇଛନ୍ତି । ଟ୍ରାଭିସ ହେଡ ୧୩୭ ରନ କରି ପ୍ୟାଭିଲିୟନ ଫେରିଥିବା ବେଳେ ଲାବୁସେନ ଅପରାଜିତ ୫୮ ରନ କରିଛନ୍ତି । ଫାଇନାଲ ମୁକାବିଲାରେ ଚମକ୍ରାର ପ୍ରଦର୍ଶନ କରିଥିବା ଟ୍ରାଭିସ ହେଡଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଘୋଷଣା କରାଯାଇଛି । କୋହଲିଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଂଟ ଘୋଷଣା କରାଯାଇଛି ।

ରୋହିତଙ୍କ ଆଖିରେ ଲୁହ । ପରାଜୟ ପରର ଲୁହକୁ ନେଇ ଚର୍ଚ୍ଚା । କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ୍ ସମୟରେ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି । ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍ରେ ଭାରତ ପରାସ୍ତ ହେବା ପରେ ପଡ଼ିଆରୁ ପ୍ୟାଭିଲିୟନକୁ ଫେରୁଥିଲେ ଭାରତୀୟ ଦଳର ଖେଳାଳି । ଠିକ୍ ଏହି ସମୟରେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ଆଖିରୁ ଲୁହ ଝରୁଥିବା ଦେଖିବାକୁ ମିଳିଥିଲା । କେବଳ ରୋହିତ ଶର୍ମା କାହିଁକି କି, ମହମ୍ମଦ ସିରାଜ୍ ମଧ୍ୟ ଲୁହ ଲୁଛାଉଥିବା ଦେଖିବାକୁ ମିିଳିଥିଲା । ସେହିପରି ବିରାଟ୍ କୋହଲି, ଭାବବିହ୍ୱଳ ହୋଇ ଟୋପିରେ ମୁହଁ ଲୁଚାଇବାର ଦେଖିବାକୁ ମିଳିଥିଲା । କେବଳ ଖେଳାଳି କାହିଁକି କ୍ରିକେଟ ପ୍ରେମୀମାନେ ମଧ୍ୟ ଛୋଟ ପିଲାଙ୍କ ଭଳି କାନ୍ଦୁଥିବାର ଦେଖିବାକୁ ମିଳିଛି ।