କନକ ବ୍ୟୁରୋ: ଆଇପିଏଲ ୨୦୨୩ର ଗୋଟିଏ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ପଞ୍ଜାବ କିଙ୍ଗସ ଏବଂ ଆରସିବି । ପଞ୍ଜାବ ମ୍ୟାଚ ହାରିଯାଇଥିଲେ ବି ଏହି ମ୍ୟାଚରେ ଜଣେ ବୋଲର ସମସ୍ତଙ୍କ ମନ ଜିତିଥିଲେ । ପୂରା ମ୍ୟାଚରେ ତାଙ୍କର ପ୍ରଦର୍ଶନ ଦମଦାର ରହିଥିଲା । ଏହି ବୋଲର ହେଉଛନ୍ତି ହରପ୍ରିତ ବ୍ରାର୍ । ବ୍ରାରଙ୍କ ଉପରେ ଚଳିତ ସିଜିନରେ ପଞ୍ଜାବ ଦଳ ପୂରା ଭରସା ଦେଖାଉଥିବା ବେଳେ ସେ ପ୍ରତ୍ୟେକ ମ୍ୟାଚରେ ଭଲ ପ୍ରଦର୍ଶନ କରୁଛନ୍ତି ।

Advertisment

ହରପ୍ରିତ ବ୍ରାର ଆରସିବି ବିରୋଧରେ ଖେଳାଯାଉଥିବା ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ସେ ୩ଓଭରରେ ୩୧ ରନ ଦେଇ ବିରାଟ କୋହଲି ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ବଡ ୱିକେଟ ହାସଲ କରିଥିଲେ । ଲଗାତର ୨ ବଲରେ ସେ ଉଭୟ ଖେଳାଳୀଙ୍କୁ ପ୍ୟାଭେଲିୟନର ରାସ୍ତା ଦେଖାଇଥିଲେ । ବିରାଟ ୫୯ ରନ କରି ଆଉଟ ହୋଇଥିବା ବେଳେ ମ୍ୟାକ୍ସୱେଲ ବିନା କୌଣସି ରନରେ ପଡିଆରୁ ଫେରିଥିଲେ । ମ୍ୟାକ୍ସୱେଲଙ୍କ ବିରୋଧରେ ବ୍ରାରଙ୍କ ରେକର୍ଡ ବେସ ଭଲ ରହିଛି । ସେ ୩ ଥର ତାଙ୍କର ଶିକାର କରିଛନ୍ତି ।

ଏହି ଦୁଇ ବର୍ଷ ମଧ୍ୟରେ ଏହା ଦ୍ୱିତୀୟ ଥର ଯେତେବେଳେ ବ୍ରାର ଲଗାତର ୨ ବଲରେ ୨ ସଫଳତା ହାସଲ କରିଛନ୍ତି । ଆଉ ତାହାପୁଣି ବିରାଟ ଏବଂ ମ୍ୟାକ୍ସୱେଲଙ୍କର । ଏହା ପୂର୍ବରୁ ୨୦୨୧ରେ ଉଭୟ ବିରାଟ ଏବଂ ମ୍ୟାକ୍ସୱେଲଙ୍କ ୱିକେଟ ହାସଲ କରିଥିଲେ ବ୍ରାର । ଏହି ମ୍ୟାଚରେ ସେ ଏବି ଡିଭିଲିୟର୍ସଙ୍କର ମଧ୍ୟ ୱିକେଟ ନେଇଥିଲେ । ସେହି ମ୍ୟାଚରେ ପଞ୍ଜାବ ବିଜୟ ହାସଲ କରିଥିଲା । ହରପ୍ରିତ ୩ ଓଭରରେ ୧୯ ରନ ଦେଇ ୩ ବଡ ସଫଳତା ପାଇଥିଲେ ।

ହରପ୍ରିତ ବ୍ରାର୍ ଯୁବରାଜ ସିଂହଙ୍କର ବଡ ଫ୍ୟାନ ହୋଇଥିବା ବେଳେ ଜଣେ ବାମହାତୀ ବୋଲର ଏବଂ ବ୍ୟାଟିଂ ମଧ୍ୟ କରିପାରନ୍ତି । ସେ ଗୋଟିଏ ଓଭରର ୫ ଛକା ମାରିସାରିଛନ୍ତି । ତାଙ୍କ ବାପା ପଞ୍ଜାବ ପୋଲିସରେ ଥିବା ବେଳେ ଆଇପିଏଲ ଖେଳିବା ତାଙ୍କ ପାଇଁ ଏତେ ସହଜ ନଥିଲା । ସେ ଧାରର କିଟ ଏବଂ ବ୍ୟାଟ ଆଣି କ୍ରିକେଟ ଖେଳୁଥିଲେ । ସେ ଗୋଟିଏ କି ଦୁଇ ଥର ନୁହେଁ ୪ ଥର ପଞ୍ଜାବ କିଙ୍ଗସ ପାଇଁ ଟ୍ରାଏଲ ଦେଇଥିଲେ । ପ୍ରତ୍ୟେକ ଥର ତାଙ୍କୁ ରିଜେକ୍ସନର ସାମ୍ନା କରିବାକୁ ପଡିଥିଲା । ସେପଟେ ସେ ପଞ୍ଜାବ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ମଧ୍ୟ ଖେଳିପାରୁନଥିଲେ । ଏହି ସମୟରେ ସେ କାନାଡା ଯିବା ପାଇଁ ସ୍ଥିର କରିସାରିଥିଲେ । ତେବେ ତାଙ୍କ ଭାଗ୍ୟରେ କିଛି ଅନ୍ୟ କଥା ଲେଖାଥିଲା । ୨୦୧୯ରେ ତାଙ୍କୁ ଆଇପିଏଲରେ ଖେଳିବାକୁ ସୁଯୋଗ ମିଳିଥିଲା । ଏହା ପରେ ସେ କେବେ ପଛକୁ ଫେରିଚାହିଁନାହାନ୍ତି । ପ୍ରତ୍ୟେକ ସିଜନରେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଗତ ୩ ସିଜିନରେ ସେ ୧୮ ମ୍ୟାଚ ଖେଳି ୧୩ଟି ସଫଳତା ପାଇଛନ୍ତି । ଚଳିତ ବର୍ଷ ସେ ୬ ମ୍ୟାଚରୁ ୪ ୱିକେଟ ନେଇ ସାରିଛନ୍ତି ।