କନକ ବ୍ୟୁରୋ: ବିଶ୍ୱକପରୁ ବିଦାୟ ନେଇସାରିଛି ଟିମ୍ ଇଣ୍ଡିଆ । ଭାଙ୍ଗି ସାରିଛି କୋଟି କୋଟି ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ହୃଦୟ । ସେମିଫାଇନାଲରେ ଇଂଲଣ୍ଡଠୁ ବଡ ପରାଜୟ ଭୋଗିବା ସହ...ଟୁର୍ଣ୍ଣାମେଂଟକୁ ଟିମ୍ ଇଣ୍ଡିଆ କହିଛି ଗୁଡବାଏ । ତେବେ ୨୦୧୧ ପରେ ବିଶ୍ୱକପ୍ ଜିତିବାକୁ ଭାରତ ଯେଉଁ ସ୍ୱପ୍ନ ଦେଖିଥିଲା...ତାହା ଏବେ ପୁଣିଥରେ ଅଧାରେ ରହିଯାଇଛି । ଭାରତ ପାଇଁ ବିରାଟଙ୍କ ଟି-୨୦ ବିଶ୍ୱକପ୍ ଜିତିବାର ସ୍ୱପ୍ନ ପୁଣିଥରେ ଭାଙ୍ଗିଯାଇଛି ।

Advertisment

ବିଶ୍ୱକପ୍ ସେମିଫାଇନାଲରେ ହାରିବା ପରେ ଏବେ ସବୁଠି ହତାଶା । ଆଉ ସବୁଠି ନିରାଶା ଦେଖିବାକୁ ମିଳିଛି । ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କର ମଧ୍ୟ ବିଶ୍ୱକପ୍ ସ୍ୱପ୍ନ ଅଧାରୁ ଭାଙ୍ଗିବା ପରେ...ସେ ଭାବବିହ୍ୱଳ ହୋଇପଡିଛନ୍ତି । ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଲେଖି ବିରାଟ କହିଛନ୍ତି । ହୃଦୟରେ ନିରାଶା ଭାବ ନେଇ...ସ୍ୱପ୍ନକୁ ପୂରା ନକରି ଅଷ୍ଟ୍ରେଲିଆରୁ ଫେରୁଛୁ । ଏ ଟୁର୍ଣ୍ଣାମେଂଟରୁ କିଛି ଭଲ ଅନୁଭୂତି ମିଳିଲା । ଗୋଟିଏ ଗ୍ରୁପ ଭାବେ ଆମେ ଆହୁରି ଉନ୍ନତ ହେବୁ । ପଡିଆରେ ଆମକୁ ସପୋର୍ଟ କରିଥିବାରୁ ପ୍ରତିଟି ପ୍ରଂଶସକଙ୍କୁ ଧନ୍ୟବାଦ । ଏ ଜର୍ସି ପିନ୍ଧି, ଏ ଦେଶ ପାଇଁ ଖେଳିବା, ସବୁବେଳେ ମୋତେ ଗୌରବାନ୍ୱିତ ଅନୁଭବ କରାଏ ।

ଏଥର ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ପାଇଁ କୋହଲି ହିଁ ସବୁଠୁ ଚମକ୍ରାର ପ୍ରଦର୍ଶନ କରିଥିଲେ । ୬ଟି ମ୍ୟାଚ ଖେଳି ୯୮ ଦଶମିକ ୬୬ ଆଭରେଜରେ, ସେ ଟୁର୍ଣ୍ଣାମେଂଟରେ ମୋଟ ୨୯୬ ରନ୍ କରିଥିଲେ । ଟୁର୍ଣ୍ଣାମେଂଟରେ କୋହଲି ୪ଟି ହାଫ୍ ସେଂଚୁରୀ ମାରିଥିବାବେଳେ, ଭାରତ ପାଇଁ ସବୁଠୁ ଅଧିକ ରନ୍ ସଂଗ୍ରହ କରିଥିଲେ । ସେମିଫାଇନାଲ୍ ମ୍ୟାଚରେ ମଧ୍ୟ କୋହଲିଙ୍କ ଜଲୱା ଦେଖିବାକୁ ମିଳିଥିଲା । ଇଂଲଣ୍ଡ ବିପକ୍ଷରେ ସେ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ବି, ଖରାପ ବୋଲିଂ କାରଣରୁ ଦଳ ପରାଜୟ ବରଣ କରିଛି ।

ଖାଲି ବିରାଟ ନୁହେଁ...ବିଶ୍ୱକପରୁ ଟିମ୍ ଇଣ୍ଡିଆର ବିଦାୟ ପରେ, ଅନେକ ବରିଷ୍ଠ କ୍ରିକେଟର ମଧ୍ୟ ଏନେଇ ଚିନ୍ତା ଜାହିର କରିଛନ୍ତି । ଦଳର ପୂର୍ବତନ ଓପନର ତଥା, ୨୦୧୧ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ବୀରେନ୍ଦ୍ର ସେହ୍ୱାଗ ସିଧା ସିଧା ସିନିୟର ଖେଳାଳିଙ୍କ ଫର୍ମକୁ ନେଇ ପ୍ରତିକିୟା ରଖିଛନ୍ତି । ୟଙ୍ଗ୍ ପ୍ଲେୟାରମାନେ ଭଲ ଖେଳୁଥିବାବେଳେ, ସେମାନଙ୍କୁ ଦଳରେ ସୁଯୋଗ ମିଳୁନି । ହେଲେ ଖରାପ ଫର୍ମ ସତ୍ୱେ ସିନିୟର ଖେଳାଳିମାନେ ମ୍ୟାଚ୍ ଖେଳୁଛନ୍ତି ବୋଲି ସେହ୍ୱାଗ କହିଛନ୍ତି ।

ଦ୍ୱିପାକ୍ଷିକ ସିରିଜରେ ଇଶାନ କିଷାନ, ସଞ୍ଜୁ ସାମସନ୍, ରୁତୁରାଜ ଗାଏକ୍ୱାଡଙ୍କ ଭଳି ଖେଳାଳି ରନ୍ କରୁଛନ୍ତି । ହେଲେ ସେମାନଙ୍କୁ ୱାଲ୍ଡକପ୍ ଭଳି ଟୁର୍ଣ୍ଣାମେଂଟରେ ଦେଖିବାକୁ ମିଳୁନି । ହେଲେ ଅଧିକାଂଶ ସମୟ ରେଷ୍ଟ ନେଇ ଦଳକୁ ଫେରୁଥିବା ସିନିୟର ଖେଳାଳି...ଟୁର୍ଣ୍ଣାମେଂଟ ଖେଳୁଛନ୍ତି, ଆଉ ଏହାର ଫଳସ୍ୱରୂପ ଭାରତ ବିଶ୍ୱକପ ଅଧାରୁ ବିଦାୟ ନେଉଛି ବୋଲି ସେହ୍ୱାଗ କହିଛନ୍ତି ।

ଆଗକୁ ଭାରତ ନ୍ୟୁଜିଲାଣ୍ଡ ଭିତରେ କ୍ରିକେଟ୍ ସିରିଜ୍ ହେବାକୁ ଯାଉଛି । ଏହି ମ୍ୟାଚରେ ଅନେକ ସିନିୟର ଖେଳାଳିଙ୍କୁ ରେଷ୍ଟ ଦିଆଯାଇଥିବାବେଳେ, ଏକାଧିକ ୟଙ୍ଗ୍ କ୍ରିକେଟର ଦଳରେ ସ୍ଥାନ ପାଇଛନ୍ତି । ତେଣୁ ଏହି କ୍ରିକେଟରମାନେ, ଭଲ ପ୍ରଦର୍ଶନ କଲେ, ସେମାନଙ୍କୁ କଣ ପୁରସ୍କାର ମିଳୁଛି ? ସେ ନେଇ ପ୍ରଶ୍ନ ଉଠାଇବା ସହ ବିସିସିଆଇ ଖରାପ ଖେଳାଳିଙ୍କୁ ଖୁବଶୀଘ୍ର ଧନ୍ୟବାଦ ଦେଉ ବୋଲି ସେହ୍ୱାଗ କହିଛନ୍ତି ।