ଟି-୨୦ ବିଶ୍ୱକପକୁ ନେଇ ସେନ୍ ୱାର୍ଣ୍ଣଙ୍କ ବଡ ଭବିଷ୍ୟତବାଣୀ । କହିଲେ, ବିଶ୍ୱକପ୍ ଫାଇନାଲ ଖେଳିବେ ଏହି ଦଳ… 

1,997

କନକ ବ୍ୟୁରୋ: ଟି-୨୦ ବିଶ୍ୱକପକୁ ନେଇ ସେନ୍ ୱାର୍ଣ୍ଣଙ୍କ ଭବିଷ୍ୟତବାଣୀ । କେଉଁ ଦଳ ଟି-୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିବ ସେନେଇ ଭବିଷ୍ୟତବାଣୀ କରିଛନ୍ତି ଅଷ୍ଟ୍ରେଲିଆର ଏହି ପୁରୁଖା କ୍ରିକେଟର । ତେବେ ଦୁନିଆର ଯେକୌଣସି ଟୁର୍ଣ୍ଣାମେଣ୍ଟ ହେଉନା କାହିଁକି ସେନ୍ ୱାର୍ଣ୍ଣ ଏହାକୁ ନେଇ ଅନେକ ସମୟରେ ଭବିଷ୍ୟତବାଣୀ କରିଥାନ୍ତି । ଅନେକ ସମୟରେ ତାଙ୍କର ଏହି ଭବିଷ୍ୟତବାଣୀ ସତ ମଧ୍ୟ ସାବ୍ୟସ୍ତ ହୋଇଛି । ତେବେ ଶନିବାର ରାତିରେ ସେ ଚଳିତ ଟି-୨୦ ବିଶ୍ୱକପକୁ ନେଇ ଏକ ବଡ ଭବିଷ୍ୟତବାଣୀ କରିଛନ୍ତି ।

ସେନ୍ ୱାର୍ଣ୍ଣଙ୍କ ଭବିଷ୍ୟତବାଣୀ ମୁତାବକ, ଗ୍ରୁପ୍ ୧ରୁ ଇଂଲଣ୍ଡ ଟପରେ ରହି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ । ସେହିପରି ଦ୍ୱିତୀୟ ଦଳ ଭାବେ ଅଷ୍ଟ୍ରେଲିଆ ଗ୍ରୁପ୍ ୧ରୁ ସେମିଫାଇନାଲ ଖେଳିବ । ଏହି ଦୁଇ ଦଳ ଗ୍ରୁପ୍ ୧ରୁ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ ବୋଲି ସେନ୍ ୱାର୍ଣ୍ଣ ଭବିଷ୍ୟତବାଣୀ କରିଛନ୍ତି ।

ଅନ୍ୟପଟେ ଗ୍ରୁପ୍ ୨ରୁ ପାକିସ୍ତାନ ପ୍ରଥମ ସ୍ଥାନରେ ରହି ସେମିଫାଇନାଲ ଖେଳିବ । ଏହା ସହିତ ଟିମ୍ ଇଣ୍ଡିଆ ମଧ୍ୟ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ ବୋଲି ୱାର୍ଣ୍ଣ ନିଜ ଭବିଷ୍ୟତବାଣୀରେ ଉଲ୍ଲେଖ କରିଛନ୍ତି । ତେବେ ଏହି ୪ଟି ଟିମ୍ ସେମିଫାଇନାଲକୁ ଯିବା ପରେ ଏଥର ବିଶ୍ୱକପ୍ ଫାଇନାଲରେ ଦର୍ଶକମାନେ ଭାରତ ବନାମ ପାକିସ୍ତାନ କିମ୍ବା ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ମ୍ୟାଚ୍ ଦେଖିବାକୁ ପାଇବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ସୁପର ୧୨ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ୱାର୍ଣ୍ଣ କହିଥିଲେ, ଟି-୨୦ ବିଶ୍ୱକପ୍ ଚାମ୍ପିୟନ ହେବାକୁ ଭାରତ ଓ ଇଂଲଣ୍ଡ ବଡ ଦାବିଦାର ।