କନକ ବ୍ୟୁରୋ: ଦିନେ ବାପା ପୁଅର କ୍ରିକେଟ୍ ଖେଳ ପାଇଁ ଚାକିରି ଛାଡିଥିଲେ । ଆଉ ନିଜ ପୁଅ ପାଇଁ କ୍ୟାରିୟରକୁ ବାଜିରେ ଲଗେଇଥିଲେ । ଏବେ ସେହି ପୁଅ ସଫଳତା ପାଇଛି, ସଂଘର୍ଷ ଭିତରେ ସୁନା ଭଳି ଚମକିଛି । ଏ କାହାଣୀ ହେଉଛି ଗତକାଲି ଆଇପିଏଲ୍ ଖେଳାଳି ନିଲାମରେ ବିକ୍ରି ହେଇ ଚେନ୍ନାଇ ସୁପରକିଙ୍ଗସରେ ସାମିଲ ହେଇଥିବା ଖେଳାଳି ଶେଖ୍ ରସିଦଙ୍କର ।

Advertisment

ଗତକାଲି ଆଇପିଏଲ୍ ଖେଳାଳି ନିଲାମରେ ଶେଖ ରସିଦଙ୍କୁ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଦଳ ଚେନ୍ନାଇ ସୁପର କିଙ୍ଗସ୍ ୨୦ ଲକ୍ଷ ଟଙ୍କା ଦେଇ କିଣିଛି । ୧୮ ବର୍ଷୀୟ ଏହି କ୍ରିକେଟର ଆଇପିଏଲର ୧୬ତମ ସିଜିନରେ ସିଏସକେ ପକ୍ଷରୁ ମ୍ୟାଚ୍ ଖେଳିବେ ।

ତେବେ ୨୦୦୪ ମସିହା ସେପ୍ଟେମ୍ବର ୨୪ ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମ ଗ୍ରହଣ କରିଥିବା ଶେଖ ରସିଦ ଏହା ପୂର୍ବରୁ ୧୯ ବର୍ଷରୁ କମ୍ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ମଧ୍ୟ ରହିସାରିଛନ୍ତି । ବିଶ୍ୱକପ୍ ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଅର୍ଦ୍ଧଶତକୀୟ ଇଂନିସ ବଳରେ ସେ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ରସିଦଙ୍କ ଏହି ସଫଳତା ପାଇଁ ତାଙ୍କ ବାପାଙ୍କୁ କିଛି କମ୍ ସଂଘର୍ଷ କରିବାକୁ ପଡିନଥିଲା ।

ଶେଖ୍ ରସିଦ ଦିନେ ବଡ କ୍ରିକେଟର ହେବା ସହ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବେ ବୋଲି ତାଙ୍କ ବାପା ପିଲା ଦିନୁ ହିଁ ମନ ସ୍ଥିର କରିନେଇଥିଲେ । ଏମିତିକି ଏଥିପାଇଁ ସେ ତାଙ୍କ ବ୍ୟାଙ୍କ ଚାକିରି ମଧ୍ୟ ଛାଡିଦେଇଥିଲେ । ପୁଅର ଟ୍ରେନିଂ ପାଇଁ ତାଙ୍କୁ ୧୨ କିଲୋମିଟର ଯିବାକୁ ପଡୁଥିବାରୁ, ତାଙ୍କ ଚାକିରିରେ ସେ ଠିକ୍ ଭାବେ ଜଏନ୍ କରିପାରୁନଥିଲେ । ଆଉ ଶେଷକୁ ସେ ଏଥିପାଇଁ ଚାକିରି ଛାଡିଥିଲେ । ତେବେ ବାପାଙ୍କ ଏ ବଳିଦାନ ହିଁ, ବୋଧହୁଏ ରସିଦଙ୍କୁ ସଫଳତାର ସ୍ୱାଦ ଚଖେଇଥିଲା । ରସିଦ ଅଣ୍ଡର-୧୪ ଟିମ୍ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିବା ସହ ଅଣ୍ଡର-୧୬ ଟିମ୍ ପାଇଁ ଚୟନ ହେଇଥିଲେ । ଖାଲି ସେତିକି ନୁହେଁ, ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପ୍ ଖେଳିବା ସହ ସେଠାରେ ମଧ୍ୟ ଚମକିଥିଲେ ଶେଖ୍ ରସିଦ୍ ।

ରସିଦ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଦଳର ଉପ-ଅଧିନାୟକ ରହିବା ସହ ବିଶ୍ୱକପର ୪ଟି ମ୍ୟାଚରେ ମୋଟ ୨୦୧ ରନ୍ କରିଥିଲେ । ଆଉ ଏବେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଦଳ ସିଏସକରେ ସେ ସାମିଲ ହେଇଛନ୍ତି ।