କନକ ବ୍ୟୁରୋ: ରମିଜ୍ ରାଜାଙ୍କ ବିଦାୟ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡରେ ଦେଖିବାକୁ ମିଳିଛି ପରିବର୍ତ୍ତନ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍ ପୂର୍ବରୁ ବୋର୍ଡ ନୂଆ ସିଲେକ୍ସନ କମିଟି ଗଠନ କରିଛି । ଦଳର ପୂର୍ବ ଅଧିନାୟକ ସାହିଦ ଆଫ୍ରିଦିଙ୍କୁ ବଡ ଦାୟିତ୍ୱ ଦେଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ବର୍ତ୍ତମାନ ପାଇଁ ତାଙ୍କୁ ଅନ୍ତରୀଣ ଚୟନ କମିଟିର ମୁଖ୍ୟ କରାଯାଇଛି । ଏହି କମିଟିରେ ଆଫ୍ରିଦିଙ୍କ ସହିତ ଅବଦୁଲ ରଜାକ୍, ରାବ ଇଫ୍ତିଖାର ଅଞ୍ଜୁମ ଏବଂ ହାରୁନ୍ ରଶିଦଙ୍କୁ ମଧ୍ୟ ସାମିଲ କରାଯାଇଛି । ତେବେ ହାରୁନଙ୍କୁ ଏହି କମିଟିର ସଂଯୋଜକ ଦାୟିତ୍ୱ ଦିଆଯାଇଛି ।

Advertisment

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ପାକିସ୍ତାନ ୦-୩ ହାରିଛି । ଏହାପରେ ଆଫ୍ରିଦି କିଛିଦିନ ତଳେ ବାବର ଆଜମଙ୍କ ଉପରେ ବର୍ଷିବା ସହିତ ତାଙ୍କ କ୍ୟାପଟେନ୍ ହେବାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏବେ ଆଫ୍ରିଦି ନିଜେ ଚୟନ କମିଟିରେ ଥିବାରୁ, ସେ ବାବରଙ୍କୁ ନେଇ କଣ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବା ବାକି ରହିଲା ।

ଅନ୍ୟପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡର ନୂଆ ଅଧ୍ୟକ୍ଷ ନଜମ ସେଠୀ ଏହି ନୂଆ ସିଲେକ୍ସନ କମିଟିକୁ ସ୍ୱାଗତ କରିଛନ୍ତି । କମ ସମୟ ଥିବା ପରିବର୍ତ୍ତେ ଏହି କମିଟି ସାହାସୀ ପଦକ୍ଷେପ ନେଇଛି । ନିଶ୍ଚୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ନଜମ ସେଠୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଫ୍ରିଦିଙ୍କ ପାଖରେ ଲମ୍ବା ସମୟ ଧରି କ୍ରିକେଟ୍ ଖେଳିବାର ଅଭିଜ୍ଞତା ରହିଛି । ସେ ପାକିସ୍ତାନ ପକ୍ଷରୁ ୨୭ଟି ଟେଷ୍ଟ ୩୯୮ଟି ଦିନିକିଆ ଏବଂ ୯୯ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ତେଣୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଭବିଷ୍ୟତରେ ତାଙ୍କୁ ଚୟନ କମିଟିରେ ମଧ୍ୟ ସାମିଲ କରିପାରେ ।