ନକଲି ସଚ୍ଚିନ ତେନ୍ଦୁଲକରଙ୍କ ପରିବାର ଉପରେ ଦୁଃଖର ପାହାଡ଼ : କରୋନା କାଳରେ ହାତରୁ ଚାଲିଗଲା ଚାକିରୀ , କୋଭିଡ଼୍ କବଳରେ ପୁରା ପରିବାର

1,390

ଦେଶରେ ସଂକଟ ପରିସ୍ଥିତି ଉତ୍ପନ୍ନ କରାଇଥିବା କରୋନା ଅନେକ ଲୋକଙ୍କ ଜୀବନ ନେବା ସହ ଆର୍ଥୀକ ଅବସ୍ଥାକୁ ମଧ୍ୟ ଦୋହଲାଇଦେଇଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନେକ ଲୋକ ଚାକିରୀ ହରାଇ ଘରେ ହାତ ବାନ୍ଧି ବସିଛନ୍ତି । ଆଉ ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାଷ୍ଟରବ୍ଲାଷ୍ଟର୍ ସଚ୍ଚିନ ତେନ୍ଦୁଲକରଙ୍କ ଡୁପଲିକେଟ୍ ବଲବୀର୍ ଚନ୍ଦ୍ । ସଚ୍ଚିନଙ୍କ ଡୁପଲିକେଟ୍ ପରିଚୟ ତାଙ୍କୁ ଲୋକଙ୍କ ମଧ୍ୟରେ ଖୁବ୍ ପରିଚିତ କରାଇଛି । କିନ୍ତୁ କରୋନା ପାଇଁ ତାଙ୍କ ଜୀବନ ଏବେ କଲବଲ । କରୋନା ମହାମାରୀ ତାଙ୍କ ଆର୍ଥୀକ ଅବସ୍ଥାକୁ ଶୋଚନୀୟ କରିଦେଇଛି ।

ମୁମ୍ବାଇରେ ରହୁଥିବା ବଲବୀର କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତି । ଖାଲି ବଲବୀର ନୁହଁ ତାଙ୍କ ପୁରା ପରିବାର ଏହି ଭାଇରସର କବଳରେ ଆସିଯାଇଛନ୍ତି । ବର୍ତ୍ତମାନ ସେ ମୁମ୍ବାଇ ଛାଡ଼ି ପଞ୍ଜାବର ଏକ ଗାଁରେ ରହୁଛନ୍ତି । ତେବେ କରୋନା ପୂର୍ବରୁ ବଲବୀରଙ୍କ ଜୀବନଶୈଳୀ ଖୁବ୍ ସୁରୁଖୁରୁରେ ଚାଲିଥିଲା । ସେ ଗୋଲି ବଡ଼ାପାଓଁ ଫାଷ୍ଟଫୁଡ୍ ଚେନର ବ୍ରାଣ୍ଡ୍ ଆମ୍ବାସଡ଼ର୍ ଥିଲେ । କିନ୍ତୁ କରୋନା ପରେ ତାଙ୍କ ଜୀବନ ଯନ୍ତ୍ରଣାମୟ ହୋଇଗଲା । ତାଲାବନ୍ଦ ଯୋଗୁଁ କମ୍ପାନୀକୁ କ୍ଷତି ହେବାରୁ କର୍ମଚାରୀ ଛଟେଇ ପ୍ରକ୍ରିୟା ଆରମ୍ଭ ହେଲା । ଏଥିରେ ବଲବୀରଙ୍କ ହାତରୁ ମଧ୍ୟ ଚାକିରୀ ଚାଲିଗଲା । ମାୟାନଗରୀ ମୁମ୍ବାଇରେ ବିନା କାମରେ ୩ ପ୍ରାଣୀ କୁଟୁମ୍ବକୁ ଧରି ରହିବା କାଠିକର ପାଠ ହୋଇଗଲା । ତେଣୁ ସେ ନିଜ ଗାଁକୁ ଚାଲିଆସିଲେ । କିନ୍ତୁ ଟ୍ରେନରେ ଆସିବା ସମୟରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସି ସେ ଏବଂ ତାଙ୍କ ପୁରା ପରିବାର କରୋନା ଭୁତାଣୁରେ ଆକ୍ରାନ୍ତ ହେଲେ ।